ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଅବଢ଼ା ଯୋଜନା: ବାଟ ଓଗାଳୁଛି ଜମି ଅଧିଗ୍ରହଣ

ପୁରୀ ୦୯/୦୯ (ନିରଞ୍ଜନ ମିଶ୍ର) ଫଟୋ: କାର୍ତ୍ତିକ ସେନାପତି:  ବିଭିନ୍ନ ଦଳ ସରକାରକୁ ଆସୁଛି । ଶ୍ରୀକ୍ଷେତ୍ରର ବିକାଶ ଦଳୀୟ ସରକାର ସମୟରେ କରିବେ ବୋଲି କହୁଛନ୍ତି । ହେଲେ ଅଧୁରା ରହିଛି ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ରାଜଧାନୀ କରିବାର ସ୍ୱପ୍ନ ।  ଶ୍ରୀମନ୍ଦିରଠାରୁ ବେଳାଭୂମି, ଅଠରନଳାଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ପ୍ରତି ସାହି, ଗଳି, କନ୍ଦିରେ ମୁହଁମାଡ଼ି  ପଡ଼ିଛି ବିକାଶ । ମାତ୍ର ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ପୁରୀରେ ଅବଢ଼ା  ଯୋଜାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ଓବିସିସି କରୁଛି । ବିଜେଡି ସରକାର କ୍ଷମତାରୁ ଚାଲିଯିବା ପରେ ଅଧିକାଂଶ ପ୍ରକଳ୍ପ ଏବେ ଶେଷ ନିଃଶ୍ୱାସ ନେବାକୁ ବସିଛି । କେଉଁ ପ୍ରକଳ୍ପ ଅଧାରେ  ପଡ଼ିଥିବା ବେଳେ କେଉଁଠି ପ୍ରକଳ୍ପର ଆଦୌ କାମ ଆରମ୍ଭ ହୋଇନି । ପ୍ରଶାସନିକ ଅଧିକାରୀ ଏବଂ ନେତାଙ୍କ  ସମନ୍ୱୟର ଅଭାବ ତଥା ଦାୟିତ୍ୱହୀନତା ମୁଖ୍ୟ କାରଣ ହୋଇଛି ।

ପରିକ୍ରମା ପ୍ରକଳ୍ପ 


୪୫୮ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଶ୍ରୀଜଗନ୍ନାଥ ମନ୍ଦିର ଚୌହଦିରେ ପରିକ୍ରମା  ମାର୍ଗ ନିର୍ମାଣ ହେଉଛି । ଏଥିନିମନ୍ତେ ଜମି ଅଧିଗ୍ରହଣରେ ୫୦୦ କୋଟି ଖର୍ଚ୍ଚ ହୋଇଛି ।  ପରିକ୍ରମା ପ୍ରକଳ୍ପ ଭିତରେ ଆଭ୍ୟନ୍ତରୀଣ ଓ ବାହ୍ୟ ପରିକ୍ରମା ରାସ୍ତା, ଇନଫ୍ଲୁଏଣ୍ଟ  ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ୨୦ଟି ମଠ ଓ ମନ୍ଦିର ଉନ୍ନତୀକରଣ, ଦୋଳବେଦି ଉନ୍ନତୀକରଣ,  ସତ୍ୟନାରାୟଣ ମନ୍ଦିରଠାରୁ ଚୁଡ଼ଙ୍ଗସାହି ଦେଇ ବଡ଼ଦାଣ୍ଡ ରାସ୍ତା, ଶ୍ରୀଜଗନ୍ନାଥ  ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ତଥା ରଘୁନନ୍ଦନ  ଲାଇବ୍ରେରୀ, ଏସି ସେଡ୍‌ ପ୍ରଭୃତି ରହିଛି । ଏହା ଭିତରୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାମ ସରିଥିବା ବେଳେ ହେବାକୁ ଥିବା କମାଣ୍ଡ୍‌ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର, ଗାରବେଜ୍‌  ଚ୍ୟୁଟିସ୍‌, ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ ପ୍ରଭୃତିର କାର୍ଯ୍ୟ ଅଦ୍ୟାବଧି ସରିନାହିଁ । 

ସେହିପରି  ୨୦ଟି ମଠ ଓ ମନ୍ଦିର ଉନ୍ନତୀକରଣ, ଦୋଳବେଦି ଉନ୍ନତୀକରଣ, ସତ୍ୟନାରାୟଣ  ମନ୍ଦିରଠାରୁ ଚୁଡ଼ଙ୍ଗସାହି ଦେଇ ବଡ଼ଦାଣ୍ଡକୁ ରାସ୍ତା ନିର୍ମାଣ କାମ  ସରିନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କାର୍ଯ୍ୟ ସରିନି ।  ଶ୍ରୀଜଗନ୍ନାଥ ମନ୍ଦିର ରିସେପସନ ସେଣ୍ଟର କିମ୍ବା ରଘୁନନ୍ଦନ  ଲାଇବ୍ରେରୀ ନିର୍ମାଣ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ଏଥିନିମନ୍ତେ ଏନ୍‌ଏମ୍‌ଏ(ଜାତୀୟ ସ୍ମାରକୀ ପ୍ରାଧିକରଣ)  ଅନୁମତି ମିଳିନି । ଏଥର ରଥଯାତ୍ରା ପରଠାରୁ ବଡ଼ଦାଣ୍ଡ ଏସି  ସେଡ୍‌ ଭାଗ୍ୟ ଅନ୍ଧାରକୁ ଚାଲି ଯାଇଛି।

ମୂଷା ନଦୀ 

ଉନ୍ନତୀ କରଣ ମୂଷା ନଦୀ ଉନ୍ନତୀକରଣ ନିମନ୍ତେ  ସରକାର ୨୫୦ କୋଟିରୁ ଟଙ୍କା  ଘୋଷଣା କରିଥିଲେ । ପ୍ରଥମ  ପର୍ଯ୍ୟାୟରେ ୩୬ କୋଟି ୧୬ ଲକ୍ଷ  ଟଙ୍କା ବ୍ୟୟରେ ଅଳ୍ପକିଛି ସ୍ଥାନରୁ  ଦଳ ସଫେଇ ଓ ପଠା ନିର୍ମାଣ  ହୋଇଛି । ଏପର୍ଯ୍ୟନ୍ତ ମୂଷାନଦୀର  ଉତ୍ପତି ସ୍ଥଳଠାରୁ ଦେବୀ ଘାଟ  ପର୍ଯ୍ୟନ୍ତ କାଣିଚାଏ ଉନ୍ନତୀକରଣ  ହୋଇନି । ପ୍ରତିଦିନ ଡ୍ରେନେଜ୍‌ ଓ  ସ୍ୱେରେଜ୍‌ ପାଣି ମିଶି ଏହି ନଦୀ  ପ୍ରଦୂଷିତ ହେଉଛି । ଆବଶ୍ୟକ ଜମି  ଅଧିଗ୍ରହଣରେ ବିଳମ୍ବ ହେଉଛି ।  ପ୍ରାୟ ୬୦.୨୪ କୋଟି ଟଙ୍କା ସରକାର  ଏବାବଦରେ ଯୋଗାଇ ଦେଇଛନ୍ତି ।

ଗରିବ ଭକ୍ତଙ୍କ ନିମନ୍ତେ ଧର୍ମଶାଳା

ପୁରୁଣା ବାସେଳିସାହି ଥାନା ପାଖରେ  ଗରିବ ଶ୍ରଦ୍ଧାଳୁଙ୍କ ନିମନ୍ତେ ୩୮ କୋଟି  ୩୬ ଲକ୍ଷ ଟଙ୍କା ଖର୍ଚ୍ଚରେ ହେବାକୁ ଥିବା  ଧର୍ମଶାଳା ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ  ହୋଇପାରିନି । ଏନେଇ କୋର୍ଟରେ ମାମଲା  ଚାଲିଥିବାରୁ ପ୍ରକଳ୍ପ ଆରମ୍ଭରେ ସମସ୍ୟା  ସୃଷ୍ଟି ହୋଇଛି । ଫଳରେ ଏହି ପ୍ରକଳ୍ପ  ନିମନ୍ତେ ଇଟାଟିଏ ପଡ଼ିପାରିଲାନି । ରାଜ୍ୟ  ସରକାର ଗରିବ ଲୋକଙ୍କ ବ୍ୟବହାରରେ  ଆସୁଥିବା ବଗଲା ଧର୍ମଶାଳାକୁ ଲଜିଂ, ହୋଟେଲ ଓ ଅନ୍ୟ ଲୋକଙ୍କୁ ଥଇଥାନ  କରିବା ନିମନ୍ତେ ବାଣ୍ଟିଦେବା ଏବେବି  ସମାଲୋଚନାରେ ରହିଛି।

 ଅଠରନଳା ହେରିଟେଜ୍‌ ପ୍ରୋଜେକ୍ଟ

ପ୍ରାୟ ୧୩ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ  ଜାତୀୟ ଐତିହ୍ୟ ସ୍ମାରକୀ ଅଠରନଳା ବ୍ରିଜ୍‌  ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ବିକାଶ  ନିମନ୍ତେ ସରକାର କରିଥିବା ବ୍ୟବସ୍ଥା  ମୂଲ୍ୟହୀନ ହୋଇଛି । ଏପର୍ଯ୍ୟନ୍ତ ପ୍ରକଳ୍ପ  ସରିନଥିବା ବେଳେ ଠିକାସଂସ୍ଥା କାମ  ଆରମ୍ଭ କରି ଛୁ ମାରିଛି । ଫଳରେ ପ୍ରକଳ୍ପ  ଅଧାଗଢ଼ା ହୋଇପଡ଼ି ରହିଛି । ନର୍ଦ୍ଦମା  ପାଣିରେ ଅଠରନଳା ବ୍ରିଜ୍‌ ତିନ୍ତୁଥିବା  ବେଳେ ଅଠରନଳା ଅଞ୍ଚଳ ଗନ୍ଧରେ  ଫାଟୁଛି। ଅଠରନଳା ତଳ ମୂଷା ନଦୀରେ  ଆବର୍ଜନା ଭାସୁଛି । କଲିକତି ଦଳ ଓ  ପୋକ ସାଲୁବାଲୁ ପାଣି ଅଞ୍ଚଳରେ ରୋଗ  ବ୍ୟାପିବାର କାରଣ ହୋଇଛି ।

ପଥର ପୋଖରୀ ସୌନ୍ଦର୍ଯୀକରଣ


ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଥିବା ପ୍ରସିଦ୍ଧ ଆଲାମଚଣ୍ଡି ମନ୍ଦିର ସମ୍ମୁଖ ପ୍ରାଚୀନ ପଥର  ପୁଷ୍କରିଣୀର ବିକାଶ ନିମନ୍ତେ ସରକାର ୨ କୋଟି ୯୭ ଲକ୍ଷ  ଟଙ୍କା ଯୋଗାଇ ଦେଇଛନ୍ତି । ମାତ୍ର ଏହି  ପ୍ରକଳ୍ପ କାମ ଆଗଉନି । ପୁଷ୍କରିଣୀର  ପଙ୍କ କଢ଼ା ଯିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ମାତ୍ର ହଠାତ୍‌ ଅଧାରୁ  କାମ ବନ୍ଦ କରାଯିବା ସହ ପ୍ରକଳ୍ପ ଡିଜାଇନ୍‌  ପରିବର୍ତ୍ତନ ହେବ ବୋଲି ଓବିସିସି  ପକ୍ଷରୁ କୁହାଗଲା । ମାତ୍ର ଏପର୍ଯ୍ୟନ୍ତ  ଏବାବଦରେ ସରକାର ଏବଂ ଓବିସିସି  ନିରବ । ସେପଟେ ପଥର ପୁଷ୍କରିଣୀ  ଭୁଶୁଡ଼ି ପଡ଼ିଛି । ମଇଳା ଓ ଦଳରେ ଭର୍ତ୍ତି ହୋଇ ପାଣି ଗନ୍ଧ ହେଉଛି । ଏହାକୁ  ନେଇ ସ୍ଥାନୀୟ ଲୋକେ  ଅସନ୍ତୋଷ ପ୍ରକାଶ  କରିଛନ୍ତି ।

ସେଣ୍ଟ୍ରାଲ  କିଚେନ୍‌

ପ୍ରତିଦିନ ପୁରୀକୁ ଆସୁଥିବା  ହଜାର ହଜାର ଯାତ୍ରୀଙ୍କୁ  ଖାଇବା ଯୋଗାଇ ଦେବା  ଲକ୍ଷ୍ୟରେ ସେଣ୍ଟ୍ରାଲ  କିଚେନ୍‌ କରିବାକୁ  ସରକାର ପ୍ରକଳ୍ପ ମଂଜୁର  କରିଥିଲେ । ୫ ଟଙ୍କାରେ  ଏହି ଖାଦ୍ୟ ମିଳିଥାଆନ୍ତା ।  ମଙ୍ଗଳାଘାଟଠାରେ ଏହି  ପ୍ରକଳ୍ପ ହେବାକୁ ଥିଲା ।  ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ନାଁ ଗନ୍ଧ ନାହିଁ ।

 ହରିହର ଛକ, ୨ ପାର୍କିଂ

ବେଳାଭୂମି ଉନ୍ନତୀକରଣ, ଦିଗବାରିଣୀ ଛକଠାରେ ବହୁତଳ  ଗାଡି ପାର୍କିଂ, ଆଚାର୍ଯ୍ୟ ହରିହର ଛକ ଉନ୍ନତୀକରଣ,  ଶିପସରୁବାଲି ପାର୍କିଂ ସ୍ଥଳ, ଯାତ୍ରୀକା-୧ ଓ ୨ ପାର୍କିଂ ନିର୍ମାଣ  ନିମନ୍ତେ ପ୍ରାୟ ୧୨୯ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ  ହେଁ ଏପର୍ଯ୍ୟନ୍ତ ଅଧିକାଂଶ ପ୍ରକଳ୍ପ ଆରମ୍ଭ ହୋଇନି । ବେଳାଭୂମି  ରାସ୍ତା ଉନ୍ନତୀକରଣ କାମ ଚାଲିଛି, ଜମି ଅଭାବରୁ ଯାତ୍ରୀକା-୨ ପାର୍କିଂ  ପ୍ରକଳ୍ପ ଆରମ୍ଭ ହୋଇପାରିନି । ଦିଗବାରିଣୀ ବହୁତଳ କାର ପାର୍କିଂ ନିର୍ମାଣ କାମ  ଚାଲିଛି । ଏଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ନିମନ୍ତେ ବିଶାଳ ଗୋଲେଇ ସ୍ଥାନ, ବସିବା ନିମନ୍ତେ  ଗ୍ୟାଲେରୀ, ସ୍ୱତନ୍ତ୍ର ଚଲାପଥ, ଆଲୋକୀକରଣ ପ୍ରଭୃତିର ବ୍ୟବସ୍ଥା ହେବାର ଥିଲା । 

ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ

ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ ନିମନ୍ତେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅବଢ଼ା  ଯୋଜନାରେ ଓବିସିସି ପ୍ରାୟ ୫୪.୨୦ କୋଟି ଟଙ୍କା  ଖର୍ଚ୍ଚ କରୁଛି । ମାତ୍ର ନିର୍ଦ୍ଧାରିତ ସମୟରେ ଏହାର  କାମ ସରିନି । ଚଟାଣ କାମ ଅଦ୍ୟାବଧି ଜାରି ରହିଛି ।  ୨୦୧୯ ପରଠାରୁ ନବ ଦିନାଙ୍କ ରଥଯାତ୍ରା ବ୍ୟତୀତ  ଶ୍ରୀଗୁଣ୍ଡିଚା ମନ୍ଦିରକୁ ବନ୍ଦ ରଖାଯାଉଛି । ଯାତ୍ରୀମାନେ  ଏହାକୁ ପରିଦର୍ଶନ କରିବାର ସୁଯୋଗ ପାଉନାହାନ୍ତି । 

ପ୍ରମୋଦ ଉଦ୍ୟାନ ଉନ୍ନତୀକରଣ

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରମୋଦ ବା ଶ୍ରୀଜଗନ୍ନାଥ  ବଲ୍ଲଭ ମଠର ଉଦ୍ୟାନ ଏବେ କଂକ୍ରିଟ ଜଙ୍ଗଲରେ  ପରିଣତ ହୋଇଛି । ଏକଦା କେତକି, ମଲ୍ଲି, ତରାଟ,  ଜୁଇ, ଯାଇ, ମାଳତି, ତୁଳସୀ, ଆମ୍ବ, ପଣସ ପ୍ରଭୃତି  ଫୁଲଫଳ ବାସ୍ନାରେ ମହକୁଥିବା ଏହି ପ୍ରମୋଦ  ଉଦ୍ୟାନକୁ ସରକାର ଉନ୍ନତୀକରଣ ନାମରେ କଂକ୍ରିଟ  ଜଙ୍ଗଲ କରିବାରେ ଲାଗିଛନ୍ତି । ଅବଢ଼ା ଯୋଜନାରେ  ପ୍ରାୟ ୮୦ କୋଟି ୪୦ ଲକ୍ଷ ଟଙ୍କାରେ ଏହି ପ୍ରମୋଦ ଉଦ୍ୟାନର ଉନ୍ନତୀକରଣ ଯୋଜନା ଅଧାରେ ପଡ଼ିଛି ।  ପାଚେରି ନିର୍ମାଣ ଓ ଜବରଦଖଲ ଉଚ୍ଛେଦ କାମ  ସରିନି । ଚାରିଆଡେ ଆବର୍ଜନା ପାଣି ଓ ଅପରିଷ୍କାର  ପରିବେଶ ଯାତ୍ରୀଙ୍କୁ ତିକ୍ତ ଅନୁଭୂତି ଦେଉଛି ।  

ପୁରୀ ହ୍ରଦ ପ୍ରକଳ୍ପ 


ମୂଷା ନଦୀ ଅବବାହିକାରୁ ମତ୍ସ୍ୟପୋଖରୀ ପର୍ଯ୍ୟନ୍ତ  ଅଞ୍ଚଳକୁ ଉନ୍ନତୀକରଣ କରି ଯାତ୍ରୀଙ୍କୁ ଅବସର  ବିନୋଦନର ପୂରା ଖୋରାକ ଯୋଗାଇ ଲକ୍ଷ୍ୟରେ  ସରକାର ପୁରୀ ଲେକ୍‌ ପ୍ରକଳ୍ପ ଘୋଷଣା କରିଥିଲେ ।  ଏଠାରେ ସୁରମ୍ୟ ଜଳାଶୟ, କୃତ୍ରିମ ଝରଣା,  ବୋଟିଂ, ସାଇକେଲ ଓ ଚାଲିବା ନିମନ୍ତେ ସ୍ୱତନ୍ତ୍ର  ରାସ୍ତା ପ୍ରଭୃତି କରିବା ଯୋଜନା ଥିଲା । ତେବେ ଜମି  ଅଧିଗ୍ରହଣରେ ବିଳମ୍ବ ପ୍ରକଳ୍ପକୁ ରୂପ ଦେଇପାରିନି ।  ସରକାର ଏବାବଦରେ ୨୨ କୋଟି ୭ ଲକ୍ଷ ଟଙ୍କା  ମଞ୍ଜୁର କରିଥିଲେ ହେଁ ଏହା ପଡ଼ି ରହିଛି । 

ବାସେଳିସାହି ଧର୍ମଶାଳା 

ଶ୍ରଦ୍ଧାଳୁମାନଙ୍କୁ ବାସେଳିସାହିରେ କମ୍‌ ଦରରେ  ରହଣୀ ଯୋଗାଇ ଦେବା ନିମନ୍ତେ ସରକାର ଏକ  ଧର୍ମଶାଳା ନିର୍ମାଣ କରିବାକୁ ଘୋଷଣା କରିଥିଲେ ।  ଏଥିନିମନ୍ତେ ପ୍ରାୟ ୧୪୮ କୋଟି ୭୯ ଲକ୍ଷ ଟଙ୍କା  ମିଳିଛି । ମାତ୍ର ଏହାର କାମ ଏପର୍ଯ୍ୟନ୍ତ ସରିନଥିବା  ଜଣାପଡ଼ିଛି । ଫଳରେ ବିଶେଷ ଭାବେ ରାଜ୍ୟ ଓ  ରାଜ୍ୟ ବାହାରୁ ଆସୁଥିବା ଗରିବ ଶ୍ରଦ୍ଧାଳୁମାନେ  ହନ୍ତସନ୍ତ ହେଉଛନ୍ତି । କମ୍‌ ଦରରେ ରହିବାକୁ ଘର  ନପାଇ ଅନେକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଶୋଇ ରାତି  କାଟୁଥିବା ପ୍ରତିଦିନ ଦେଖିବାକୁ ମିଳୁଛି ।  

ରଥ ରହିବାକୁ ଘର ଓ  ଷ୍ଟାଫ୍‌ କ୍ୱାର୍ଟର୍ସ

ପ୍ରତିବର୍ଷ ରଥଯାତ୍ରା ପରେ ରଥ ଭଙ୍ଗା ଯାଇ  ଏହାର ଅଂଶବିଶେଷକୁ ରଖିବା ନିମନ୍ତେ  ମାର୍କଣ୍ଡେଶ୍ୱର ସାହିରେ ଏକ ଗୋଦାମ  ଘର ନିର୍ମାଣ ସହ ଶ୍ରୀମନ୍ଦିର ପ୍ରଶାସନିକ  କର୍ମଚାରୀଙ୍କ ନିମନ୍ତେ ଷ୍ଟାଫ୍‌ କ୍ୱାର୍ଟର୍ସ  କରିବାକୁ ସରକାର ୪୩ କୋଟି ୩୧ ଲକ୍ଷ  ଟଙ୍କା ମଞ୍ଜୁର କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଏହା  ସରିପାରିନାହିଁ । ଫଳରେ ରଥ କାଠ ଏଣେତେଣେ  ପଡ଼ୁଛି । ଏବେ ଏହା ନରେନ୍ଦ୍ର ମହଲା ବାଇକ୍‌  ପାର୍କିଂ ସ୍ଥଳରେ ଗଦା ହୋଇଛି । ଅନେକ ରଥ  ଅଂଶ ଓ ଠାକୁର ମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିରରେ  ରହିଛି । ସେହିପରି ଷ୍ଟାଫ୍‌ କ୍ୱାର୍ଟର୍ସ ନପାଇ ବିଳାସ  ପୂର୍ଣ୍ଣ ହୋଟେଲରେ ଅଫିସ୍‌ରମାନେ ରହୁଥିବାରୁ  କୋଟି କୋଟି ଟଙ୍କା ଅଯଥା ଖର୍ଚ୍ଚ ହେଉଛି । କ୍ୱାର୍ଟର୍ସ  ନଥିବାରୁ କର୍ମଚାରୀମାନେ ରହିବା ନିମନ୍ତେ ବହୁ  ହଇରାଣ ହେଉଛନ୍ତି।

ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପ

ପୁରୀର ମାଟିତୋଟାଠାରେ ସେବାୟତ ଘରର ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ନିମନ୍ତେ ସରକାର ୬୪ କୋଟି ୭୨ ହଜାର ଟଙ୍କା ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କରିବା ନିମନ୍ତେ ଯୋଗାଇ ଦେଇଛନ୍ତି । ମାତ୍ର ପ୍ରକଳ୍ପ ହେବାକୁ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ହୋଇପାରିନି । ଫଳରେ ଟଙ୍କା ପଡ଼ି।

ସେବାୟତଙ୍କ ନିମନ୍ତେ ଘର

ପ୍ରତ୍ୟେକ ସେବାୟତଙ୍କ  ନିମନ୍ତେ ଭଲ ଘରଟିଏ ନାହିଁ ।  ଏହାକୁ ଉପଲବ୍ଧି କରି ଭଲ  ଘର ନଥିବା ସେବାୟତଙ୍କୁ  ଘରଟିଏ ଯୋଗାଇ ଦେବାକୁ  ସରକାର ସେବାୟତ ହାଉସିଂ  ପ୍ରକଳ୍ପ ନିମନ୍ତେ ୯୬ କୋଟି ୬  ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।  ମାତ୍ର ଜମିଜମା ବାବଦରେ କୋର୍ଟରେ ମାମଲା ଥିବା  ଦର୍ଶାଇ ଏପର୍ଯ୍ୟନ୍ତ ପ୍ରକଳ୍ପ  ଆରମ୍ଭ କରାଯାଇନାହିଁ ।  ଯାହା ସେବାୟତ ମହଲରେ  ଅସନ୍ତୋଷ ସୃଷ୍ଟି କରିଛି । ଅନ୍ୟପଟେ ଟଙ୍କା ପଡ଼ି ରହିଛି  ଓ ଖର୍ଚ୍ଚ ହୋଇପାରୁନି ।

ଦର୍ଶନ ଟାୱାର

୧୮୮ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଶ୍ରୀସେତୁ କାମ ଶେଷ ହୋଇପାରିନି । ମାତ୍ର ଏହାକୁ ଗତ ଜାନୁଆରୀ ଠାରୁ ଲୋକଙ୍କ ବ୍ୟବହାର ନିମନ୍ତେ ଖୋଲି ଦିଆଯାଇଛି । ଏହି ସେତୁର ପ୍ରମୁଖ ଆକର୍ଷଣ ସ୍ୱାଗତ ଗେଟ୍‌ ତଥା ଦର୍ଶନ ଟାୱାର କାମ ଶେଷ ହୋଇନି । ଏହି ଟାୱାର ଶେଷ ହେଲେ ଲୋକେ ପରିଭ୍ରମଣର ସ୍ୱତନ୍ତ୍ର ମଜା ଉଠାଇ ପାରିବେ ।

ଓବିସିସି ମତାମତ

ଅବଢ଼ା ଯୋଜନା ସମ୍ପର୍କରେ ଓବିସିସି ଏମ୍‌ଡି ସୁନ୍ଦର ମାଧବ ପାଢ଼ୀ କହିଛନ୍ତି,  ଜେବିପିସିର ଦର୍ଶନ ଟାୱାର କାମ ଆସନ୍ତା ଡିସେମ୍ବର ସୁଦ୍ଧା ସରିଯିବ । ମୂଷା  ନଦୀ ଉନ୍ନତୀକରଣରେ ସମସ୍ୟା ହୋଇଛି ଜମି ଅଧିଗ୍ରହଣ । ହେରିଟେଜ୍‌ ଲେକ୍‌  ମଧ୍ୟରୁ ଶ୍ୱେତଗଙ୍ଗା ବାଦ୍‌ ଦେଲେ ଅନ୍ୟ ୩ଟି ପୁଷ୍କରିଣୀ କାମ ପ୍ରାୟତଃ ସରିଛି ।  ଶ୍ୱେତଗଙ୍ଗାକୁ ସ୍ୱତନ୍ତ୍ର ରାସ୍ତା ପାଇଁ ଜମି ଅଧିଗ୍ରହଣ ଅଟକି ରହିଛି । ସେହିପରି  ପ୍ରମୋଦ ଉଦ୍ୟାନ କାମ ଜମି ଅଧିଗ୍ରହଣ ସମସ୍ୟା ବେଳାଭୂମି ମାର୍ଗ କାମ ଖୁବ୍‌  ଶୀଘ୍ର ସରିବ । ଦିଗବାରିଣୀ ଛକ ବହୁତଳ ପାର୍କିଂ ନିମନ୍ତେ ଫାୟାର ଏନ୍‌ଓସି  ବିଳମ୍ବ ହେଉଛି । ପୁରୀ ଲେକ୍‌ ପ୍ରକଳ୍ପ କାମ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ  ରହିଛି । ଅଠରନଳା ହେରିଟେଜ୍‌ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ସମସ୍ୟା ।  ସେବାୟତଙ୍କ ନିମନ୍ତେ ଘର, ଆଦର୍ଶ ଗୁରୁକୁଳ ପ୍ରକଳ୍ପ ଜମି ଅଧିଗ୍ରହଣ ଯୋଗୁ  ହୋଇପାରିନି । ପଥର ପୋଖରୀ ଉନ୍ନତିକରଣ ପ୍ଲାନ୍‌ ପରିବର୍ତ୍ତନ କରାଯାଉଛି ।  ଓବିସିସି ଏମ୍‌ଡି ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପରିକ୍ରମା ମାର୍ଗ କାମ  ସରିଛି । ମାତ୍ର କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର, ଗାରବେଜ୍‌  ଚ୍ୟୁଟିସ୍‌, ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ  କାମ ଶୀଘ୍ର ସାରିବାକୁ  ଯୋଜନା ଚାଲିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.