ମୁମ୍ବାଇ,୦୭/୮: ଖୁବଶୀଘ୍ର ପରଦାରେ ପୁଣି ଧମାକା କରିବାକୁ ଯାଉଛନ୍ତି ଅଜୟ ଦେବଗନ । ଆଜି ୬ ଅଗଷ୍ଟରେ ଅଜୟ ଦେବଗନ ତାଙ୍କ ଫିଲ୍ମ 'ସନ ଅଫ ସର୍ଦ୍ଦାର ୨' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଏନେଇ ଅଜୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଜୟ ଦେବଗନ୍ ପୂଜା ସହ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏଥିସହ ଫିଲ୍ମରେ ବର୍ତ୍ତମାନ କାଷ୍ଟ ରିପ୍ଲେସ କରାଯାଇତିବା ଜଣାପଡିଥିବା ବେଳେ ଏହି ଭିଡିଓରେ କିଛି ତାରକାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଅଜୟ ଦେବଗନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଜୟ ଦେବଗନ ପ୍ରଥମେ ଗୁରୁଦ୍ୱାରରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ଏବଂ ଏହା ପରେ ତାଙ୍କ ଭଣଜା ଏବଂ ଜ୍ୱାଇଁ ସନ ଅଫ୍ ସର୍ଦ୍ଦାର ୨ ଚଳଚ୍ଚିତ୍ରର କ୍ଲାପବୋର୍ଡ ଧରିଥିବାର ନଜର ଆସିଛନ୍ତି। ଏହା ପରେ ଫିଲ୍ମର ନିର୍ଦ୍ଦେଶକ ବିଜୟ କୁମାର ଆରୋରା ନଜର ଆସିଛନ୍ତି । କିଛି ତାରକାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଏହା ସେୟାର କରି ସେ ଲେଖିଛନ୍ତି, ପ୍ରାର୍ଥନା ଏବଂ ଆଶୀର୍ବାଦ ସହ 'ସନ ଅଫ୍ ସର୍ଦ୍ଦାର ୨' ସୁଟିଂ ଆରମ୍ଭ । ଭିଡିଓରେ ଚଙ୍କି ପାଣ୍ଡେ ଲରେ ନାଚୁଥିବାର ନଜର ଆସିଥିବା ବେଳେ ଏବଂ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମୃଣାଲ ଠାକୁର ଦେଶୀ ପଞ୍ଜାବୀ ଲୁକରେ ଢୋଲ ବଜାଉଥିବା ନଜର ଆସିଛନ୍ତି । ଏହି ସମୟରେ ଅଜୟ ଦେବଗନଙ୍କୁ ସର୍ଦ୍ଦାର ଭାବରେ ସେଟରେ ଦେଖିବାକୁ ମିଳୁଛି । ତେବେ ପୂର୍ବ ଫିଲ୍ମରେ ସୋନାକ୍ଷୀ ସିହ୍ନା ନଜର ଆସିଥିବା ବେଳେ ଏଥିରେ କିନ୍ତୁ ମୃଣାଲ ଠାକୁର ନଜର ଆସିବେ ।