ଭୁବନେଶ୍ୱର: ଭାରତ ଉପମହାଦେଶର ଲମ୍ବା ଓ ସମୃଦ୍ଧ ଇତିହାସରେ ମଦର ପ୍ରଚଳନ ଏକ ବଡ଼ ବିଡ଼ମ୍ବନାର ବିଷୟ ଭାବେ ରହିଛି । ମଦ ଛଡ଼ା ବୋଧହୁଏ ବିଶ୍ୱରେ ଏପରି ଅନ୍ୟ କୌଣସି ବସ୍ତୁ ନାହିଁ, ଯାହାକୁ ମାନବ ଜାତି ଉଭୟ ପ୍ରଶଂସା ଓ ନିନ୍ଦା କରିଥାଏ । ଗୋଟେ ସମୟ ଥିଲା ଯେତେବେଳେ ମଦ ଏକ ଦୈବୀୟ ବସ୍ତୁ ଭାବେ ବିବେଚିତ ହେଉଥିଲା ଓ ପ୍ରାୟ ସବୁ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଥିଲା । ଆୟୁର୍ବେଦ ସର୍ବଦା ଔଷଧୀୟ ପ୍ରୟୋଜନ ଉଦ୍ଦେଶ୍ୟରେ ମଦର ଉପଯୋଗ ସପକ୍ଷରେ ରହିଛି । ବର୍ତ୍ତମାନ ସେହି ମଦ ବିଭିନ୍ନ ଦୁଃସାଧ୍ୟ ରୋଗ, ସାମାଜିକ ବିକାର ଓ ମୃତ୍ୟୁର କାରଣ ଭାବେ ଉଭା ହୋଇଛି । ମଦ ପ୍ରତି ବିଚାରଧାରାର ଏହି ଦ୍ୱନ୍ଦ୍ୱ ପୂରା ମାନବ ଇତିହାସରେ ଦେଖାଯାଏ । ବୈଦିକ ଯୁଗରୁ ମୋଗଲ ତଥା ଇଂରେଜ ଶାସନ କାଳରୁ ସ୍ୱାଧୀନ ଭାରତରେ ମଦ ବ୍ୟବହାରର ବହୁତ ରଙ୍ଗୀନ ଇତିହାସ ରହିଛି । ଏଠାରେ ନିର୍ଦ୍ଦିଷ୍ଟ ରୂପେ ଏହା ଉଲ୍ଲେଖ କରାଯାଉଛି ଯେ, ଏହି ଲେଖା ମଦ ବା ଅନ୍ୟ କୌଣସି ମାଦକ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୁହେଁ ବରଂ ସାଧାରଣ ସଚେତନତା ପାଇଁ ଲେଖାଯାଇଛି ।
ଯଦି ଦେଖାଯାଏ, ତେବେ ସିନ୍ଧୁ ସଭ୍ୟତା କାଳରେ ମଧ୍ୟ ମଦ ପ୍ରଚଳନର ପ୍ରମାଣ ଦେଖିବାକୁ ମିଳୁଛି । ସେହି ସମୟରେ ମଦକୁ ବିଶୋଧନ କରିବାର ଜ୍ଞାନ ଓ କୌଶଳର ପ୍ରମାଣ ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଖନନ ବେଳେ ହରପ୍ପା ଓ ମହେଞ୍ଜୋଦାରୋରୁ ମାଟିରେ ନିର୍ମିତ ବିଶୋଧନ ସାମଗ୍ରୀର ଏକ ପୂରା ସେଟ୍ ମିଳିଥିଲା । ଏହା ସହିତ ଆର୍ଯ୍ୟ କାଳର ପୂର୍ବରୁ ମଧ୍ୟ "ମସାରା' ନାମକ ଏକ ପଦାର୍ଥ ବିଷୟରେ ତଥ୍ୟ ମିଳୁଛି ଯାହା ଚାଉଳ ଓ ବାର୍ଲିକୁ ପୋଚ କରି ପ୍ରସ୍ତୁତ କରାଯାଉଥିଲା । ଭାରତରେ ମଦର ପ୍ରଥମ ବର୍ଣ୍ଣନା ବେଦରୁ ମିଳିଥାଏ । ଖ୍ରୀଷ୍ଟପୂର୍ବ ୧୭୦୦ ଶତାବ୍ଦୀ ବେଳକୁ ପ୍ରାଚୀନ ଋଗ୍ବେଦରେ "ସୋମ' ଓ "ବ୍ରାହାମନ' ନାମକ ଦୁଇଟି ନିଶାକାରକ ପଦାର୍ଥ ବିଷୟରେ ଉଲ୍ଲେଖ ରହିଛି । "ସୋମ'କୁ ପ୍ରାଚୀନ ଭାରତୀୟମାନଙ୍କ ଦ୍ୱାରା ପୂଜା ଆରାଧନା ବେଳେ ସବୁଠାରୁ ପବିତ୍ର ଅର୍ପଣ ଭାବେ ମନେ କରାଯାଉଥିଲା । ଋଗ୍ବେଦରେ ମୋଟ୍ ୧୦ଟି ମଣ୍ଡଳ ରହିଛି³ ଯହିଁରୁ ୯ମ ମଣ୍ଡଳ ଓ ତହିଁରେ ଥିବା ୧୧୪ଟି ସ୍ତୋତ୍ର ସମ୍ପୂର୍ଣ୍ଣ ରୂପେ "ସୋମ'କୁ ସମର୍ପିତ ହୋଇଛି । ତହିଁରେ "ସୋମ' ନାମକ ଏକ ଚାରା ବିଷୟରେ ଉଲ୍ଲେଖ କରାଯାଇଛି, ଯାହାର ରସକୁ ଏକ ମାଦକଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିଲା । ଅବଶ୍ୟ ଆଜିକାଲି ଆଉ ଏହି "ସୋମ' ଚାରା ମିଳୁନି । ବୈଦିକ କାଳରେ ସୁରା ନାମକ ଏକ ପାନୀୟର ମଧ୍ୟ ବର୍ଣ୍ଣନା ରହିଛି ଯାହା ଚାଉଳ, ଗହମ, ଆଖୁ, ଅଙ୍ଗୁର ଆଦି ଖାଦ୍ୟଶସ୍ୟରୁ ପ୍ରସ୍ତୁତ ହେଉଥିଲା । ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଆହୁରି ଅନେକ ପ୍ରକାର ନିଶାକାରକ ପାନୀୟ ବିଷୟରେ କୁହାଯାଇଛି ଯହିଁରେ ମେଧକ, ପ୍ରସନ୍, ମୈରୟା, ଆରିଷ୍ଟ, ମଧୁ ଆଦି ଅନ୍ତର୍ଭୁକ୍ତ । ମୌର୍ଯ୍ୟ ଯୁଗରେ ଚାଣକ୍ୟଙ୍କ ଦ୍ୱାରା ଲିଖିତ ଅର୍ଥଶାସ୍ତ୍ରରେ ଅଙ୍ଗୁରରୁ ପ୍ରସ୍ତୁତ ମଦ ବିଷୟରେ କୁହାଯାଇଛି । ସେ ସମୟରେ "କାପାଖ୍ୟାନି' ନାମକ ଏକ ଧଳାମଦ ଓ "ହରହୁରା' ନାମକ ଏକ ନାଲି ମଦ ବିଷୟରେ ଉଲ୍ଲେଖ ହୋଇଛି ।
ମୌର୍ଯ୍ୟ କାଳରେ ସର୍ବପ୍ରଥମେ ମଦର ବିକ୍ରୟକୁ ନିୟନ୍ତ୍ରିତ କରାଯାଇଥିଲା ଓ ମଦ ଉପରେ କର ବସାଯାଇଥିଲା ତଥା ମଦକୁ ଏକ ଉପଭୋଗ୍ୟ ସାମଗ୍ରୀ ଭାବେ ମାନ୍ୟତା ଦିଆଯାଇଥିଲା । ସେତେବେଳେ ମଦ ପିଇବା ପାଇଁ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନ ବଛାଯାଇଥିଲା, ଯାହା ଆଜିକାଲି ଆମେ ବାର୍ ବୋଲି କହୁଛେ । ପ୍ରାଚୀନ କାଳର ଚିକିତ୍ସାଜୀବୀମାନେ ସୁରା ସେବନ ପ୍ରତି ଏକ ସନ୍ତୁଳିତ ଦୃଷ୍ଟିକୋଣ ଆପଣାଇବାକୁ କହିଛନ୍ତି । ତାଙ୍କ ମତରେ, ମାତ୍ରାଧିକ ସୁରାପାନ ଯୋଗୁଁ ମାନବ ଶରୀରରେ ବାତ, ପିତ୍ତ ଉପରେ କୁପ୍ରଭାବ ପଡ଼େ ଓ ଜୀବନୀ ଶକ୍ତିକୁ କ୍ଷତି ପହଞ୍ଚାଇଥାଏ ।
ଚରକ ସଂହିତା³ ଯାହାକୁ ଚିକିତ୍ସାବିଜ୍ଞାନର ସବୁଠାରୁ ବିସୃତ ଗ୍ରନ୍ଥ ବୋଲି ମନେ କରାଯାଏ, ତହିଁରେ ସୁରାପାନ ବିଷୟରେ ସବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି । ଇଂରେଜ କାଳରେ ସୁରାପାନର ବ୍ୟାପକତା ବହୁତ ବଢ଼ିଥିଲା । ୧୮୦୫ରେ ଉତ୍ତରପ୍ରଦେଶର କାନପୁର ସହରରେ ଆମ ଦେଶର ପ୍ରଥମ ମଦ ବିଶୋଧନାଗାର ସ୍ଥାପିତ ହୋଇଥିଲା, ଯାହା ବଢ଼ି ବଢ଼ି ସ୍ୱାଧୀନତା ବେଳକୁ ଏହି ସଂଖ୍ୟା ୪୦ରେ ପହଞ୍ଚିଥିଲା । ମଦର ସାମାଜିକ ସତ୍ୟତାକୁ ନେଇ ମଧ୍ୟ ପ୍ରସିଦ୍ଧ କବି ହରିବଂଶରାୟ ବଚନ (ଅମିତାଭ ବଚନଙ୍କ ପିତା)ଙ୍କ ଏକ କବିତାର ଉଲ୍ଲେଖ କରିବା ଏଠାରେ ପ୍ରାସଙ୍ଗିକ ହେବ । "ହିନ୍ଦୁ ମୁସଲିମ୍ ହେଁ ଦୋ, ଏକ ମଗର ଉନ୍କା ପ୍ୟାଲା/ ଏକ ମଗର ଉନ୍କି ମଦିରାଲୟ, ଏକ ମଗର ଉନ୍କି ହାଲା/ ଓ ଦୋନେ ରେହେତେ ଏକ, ନା ଜବ୍ତକ ମନ୍ଦିର ମସ୍ଜିଦ୍ ଜାତେ/ ବୈର କରାତେ ମନ୍ଦିର ମସ୍ଜିଦ୍/ ମେଲ କରାତି ମଧୁଶାଲା' ।
ମଦର ପ୍ରଚଳନ ଓ ମଦ୍ୟପାନର ଏହି କ୍ରମବର୍ଦ୍ଧିଷ୍ଣୁ ବ୍ୟାପକତା ଯୋଗୁଁ ଆମ ଦେଶରେ ଅନେକଗୁଡ଼ିଏ କୁ-ରୀତି ଦିନକୁ ଦିନ ବଢ଼ୁଛି³ ଯାହା ମଧ୍ୟରୁ ମହିଳା ଓ ଶିଶୁମାନଙ୍କ ପ୍ରତି ଘରୋଇ ହିଂସା ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି । ଏହାଛଡ଼ା ମଦର ଅତ୍ୟଧିକ ସେବନ ଯୋଗୁଁ ଅନେକଗୁଡ଼ିଏ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା, ଅପରାଧ ଓ ଦୁର୍ଘଟଣାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମଦ ଘର ଉଜାଡୁଛି, ପିଲାଛୁଆଙ୍କୁ ତାଙ୍କ ପିତାମାତାଙ୍କ ସ୍ନେହ, ଯତ୍ନରୁ ବଞ୍ଚିତ କରୁଛି । ମଦ ମଧ୍ୟ ଦୁର୍ନୀତି ବଢ଼ିବାର ଅନ୍ୟ ଏକ ପ୍ରମୁଖ କାରଣ । ତେଣୁ ମଦମୁକ୍ତ ଓଡ଼ିଶା ସପକ୍ଷରେ ଆମ ରାଜ୍ୟର ମୋଟ୍ ଜନସଂଖ୍ୟାରୁ ଶତକଡ଼ା ୫୦ଭାଗରୁ ଅଧିକ ରାଜ୍ୟବାସୀ (ମହିଳା) ରହିଛନ୍ତି । ଏହି ମଦ ଯୋଗୁଁ ସେମାନଙ୍କ ଘର³ ଯାହାକି ସେମାନଙ୍କ ସମ୍ପୂର୍ଣ୍ଣ ଦୁନିଆ ତାହା ବରବାଦ୍ ହେଉଛି । ସେମାନେ ହିଁ ସବୁଠାରୁ ବେଶୀ କଷ୍ଟ ଭୋଗୁଛନ୍ତି ।
ମଦମୁକ୍ତ ଭାରତ ହେବା ଉଚିତ୍ ନା ନାହିଁ³ ସେ ନେଇ ୧୯୪୮ରେ ଆମ ସମ୍ବିଧାନ ପ୍ରଣୟନ ସଭାରେ ବିଚାରବିମର୍ଶ ମଧ୍ୟ ହୋଇଥିଲା । ସେତେବେଳେ ବମ୍ବେରୁ ସ୍ୱାଧୀନ ସଦସ୍ୟ ଭାବେ ସମ୍ବିଧାନ ପ୍ରଣୟନ ସଭାକୁ ଆସିଥିବା ଶ୍ରୀ ବି.ଏଚ୍. ଖାଡଗେକର ମହୋଦୟ ଯେଉଁ ତିନୋଟି କାରଣରୁ ମଦମୁକ୍ତ ଭାରତ ବିପକ୍ଷରେ ତାଙ୍କ ଯୁକ୍ତି ବଢ଼ିଥିଲେ ସେଗୁଡ଼ିକ ହେଲା- ପ୍ରଥମରେ ମଦମୁକ୍ତି ଆଇନକୁ କାର୍ଯ୍ୟକାରୀ କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ, ଯେତିକି ବି ଅଳ୍ପ ବହୁତ କାର୍ଯ୍ୟକାରୀ କରାଯାଇପାରିବ ତଦ୍ୱାରା ଆମ ନ୍ୟାୟାଳୟଗୁଡ଼ିକରେ ମାମଲା ସଂଖ୍ୟା ବହୁତ ବଢ଼ିଯିବା ସଙ୍ଗେ ସଙ୍ଗେ ଜେଲଗୁଡ଼ିକ ମଧ୍ୟ ଭରିଯିବ ଓ ତୃତୀୟରେ ସରକାରଙ୍କ ବିପୁଳ ରାଜସ୍ୱ ହାନି ହେବ ।
ଆମ ଦେଶରେ ଅନେକ ସାମାଜିକ କର୍ମୀ ଓ ବିଶେଷକରି ମହାତ୍ମା ଗାନ୍ଧୀ ମଦମୁକ୍ତ ଭାରତ ଚାହିଁଥିଲେ, ଯାହା ଆଜି ଏକ ଆନ୍ଦୋଳନର ରୂପ ନେଲାଣି । ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣୟନ ସଭାର ଅନୁମୋଦନ କ୍ରମେ ଆମ ସମ୍ବିଧାନର ରାଜ୍ୟ ନୀତିର ନିର୍ଦ୍ଦେଶାବଳୀ ଅଧ୍ୟାୟରେ ମଦମୁକ୍ତ ଭାରତ ପାଇଁ ପ୍ରୟାସ କରିବାକୁ କୁହାଯାଇଛି । ସମ୍ବିଧାନର ଅନୁଚ୍ଛେଦ-୪୭ରେ ରାଜ୍ୟଗୁଡ଼ିକ କେବଳ ଔଷଧୀୟ ଉଦ୍ଦେଶ୍ୟ ଛଡ଼ା ଅନ୍ୟ ସବୁ ହାନିକାରକ ମାଦକଦ୍ରବ୍ୟର ଉପଯୋଗ ପ୍ରତି ପ୍ରତିବନ୍ଧ ଲଗାଇବାର କ୍ଷମତା ଦିଆଯାଇଛି । ଯଦିଓ ସମ୍ବିଧାନରେ ମଦମୁକ୍ତ ଭାରତ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ମଦନୀତି ଏକ ରାଜ୍ୟ ବିଷୟ ହୋଇଥିବାରୁ ତତ୍ସମ୍ବନ୍ଧିତ ଆଇନକାନୁନ, ଉତ୍ପାଦନ ଓ ବିକ୍ରୟ ଉପରେ ରାଜ୍ୟଗୁଡ଼ିକର ପୂରା ନିୟନ୍ତ୍ରଣ ରହୁଛି । ଆଧୁନିକ ଯୁଗରେ ଇଂରେଜ ଦ୍ୱାରା ଆରମ୍ଭ ହୋଇଥିବା ମଦ ଉପରେ କର ଲାଗୁ କରି ରାଜ୍ୟର ରାଜସ୍ୱ ବୃଦ୍ଧି କରିବାର ମାର୍ଗକୁ ଅଧିକାଂଶ ରାଜ୍ୟ ଅନୁସରଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ ମିଜୋରାମ, ନାଗାଲାଣ୍ଡ, ଗୁଜରାଟ, ବିହାର ଓ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ମଦ ପ୍ରତି ପ୍ରତିବନ୍ଧ ଲଗାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ୨୦୨୧ ରିପୋର୍ଟ ମତେ ଆମ ଦେଶରେ ୧୫ବର୍ଷରୁ କମ୍ ପିଲାଙ୍କ ମଧ୍ୟରୁ ଶତକଡ଼ା ୧୯ଭାଗ ପିଲା ମଦ ପିଉଛନ୍ତି ଓ ଏହା ଆଶା କରାଯାଉଛି ଯେ ମଦରୁ ଆରମ୍ଭ ହୋଇଥିବା ସେମାନଙ୍କ ବଦଭ୍ୟାସ ଆଗକୁ ଯାଇ ହେରୋଇନ୍, ଚରସ୍ ଆଡ଼କୁ ଟାଣିନେବ ।
ବିହାରରେ ୨୦୧୬ରୁ ମଦବନ୍ଦୀ ଲାଗୁ ହୋଇଛି । ପ୍ରଥମେ ପ୍ରଥମେ ଦେଖାଗଲା ଯେ, ମଦବନ୍ଦୀ ଆଇନ ସୁନ୍ଦର କାମ କରୁଛି ଓ ମହିଳାମାନେ କହିଲେ ଯେ ସେମାନଙ୍କ ସ୍ୱାମୀମାନେ ସୁଧୁରି ଗଲେଣି, ଶାନ୍ତ ହୋଇଗଲେଣି । ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ । ପାଟନା ଯାଏଁ ମଦ ଖୋଜିବା ଅସମ୍ଭବ ହୋଇଯାଇଥିଲା । କିନ୍ତୁ ଯେତିକି ଯେତିକି ଦିନ ଗଡ଼ିଲା ୨୦୨୨ ବେଳକୁ ସ୍ଥିତି ପୂରା ଓଲଟିଗଲା । ଯେଉଁମାନେ ସରକାରୀ ମଦଭାଟିରେ ସମୟ କାଟୁଥିଲେ ସେମାନେ ଚୋରାମଦ ଖୋଜିବାରେ ସଫଳ ହେଲେ । ମଦର ଅବୈଧ କାରବାର ବୃଦ୍ଧିହେଲା । ବିଷାକ୍ତ ମଦ ଯୋଗୁଁ କାହାର ଜୀବନ ଗଲା ତ କାହାର ଆଖି ନଷ୍ଟ ହେଲା । ଯେଉଁମାନେ ଅବୈଧ ଭାବେ ମଦ ରାନ୍ଧୁଥିଲେ ଧରପଗଡ଼ କରି ପୋଲିସ ସେମାନଙ୍କୁ ଗିରଫ କଲା । ତହିଁରେ ବହୁତ ବଡ଼ ବଡ଼ ଲୋକ ଓ କିଛି ପୋଲିସ ଅଧିକାରୀ ମଧ୍ୟ ସଂପୃକ୍ତ ଥିଲେ । ମଦ ଚୋରା ଚାଲାଣରେ ଛୋଟ ଛୋଟ ପିଲା ଓ ମହିଳାମାନଙ୍କୁ ବ୍ୟବହାର କରାଗଲା । ୨୦୧୭ରେ ୯ଲକ୍ଷ ଲିଟର ଅବୈଧ ମଦ ଜବତ ହୋଇଥିଲା, ଯାହା ପୋଲିସ ଗୋଦାମରୁ ହଠାତ୍ ଗାଏବ ହୋଇଗଲା । ପରେ ଖବର ମିଳିଲା, ତାହା ଉପରେ ମଜାକ୍ ମଧ୍ୟ ଉଡ଼ିଲା ଯେ ମୂଷାମାନେ ସେହି ମଦ ପିଇଦେଇଛନ୍ତି ।
ଆମ ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ମଦମୁକ୍ତ ଓଡ଼ିଶା ବିଷୟରେ ବେଳେବେଳେ ଗଣମାଧ୍ୟମରୁ ଖବର ମିଳୁଛି । ଯଦି ଏଥିରେ କିଛି ସତ୍ୟତା ଅଛି ତେବେ ଖୁବ୍ ଭଲ କଥା । ତେଣୁ ଚାରି ପଇସା ରାଜସ୍ୱ ଆଦାୟ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସରକାର ମଦ କାରବାରରେ କୌଣସି ପ୍ରକାରେ ସଂପୃକ୍ତ ନହେବା ବାଞ୍ଛନୀୟ । ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇପାରେ- ୧୯୧୭ ମସିହାରେ ଆମେରିକା ସମ୍ବିଧାନର ୧୮ତମ ସଂଶୋଧନ କରାଯାଇ ସେଠାରେ ଦେଶବ୍ୟାପୀ ମଦବନ୍ଦୀ ସମ୍ବନ୍ଧୀୟ ଆଇନ ଆମେରିକା କଂଗ୍ରେସ ଦ୍ୱାରା ପାଳିତ ହୋଇ ମଦର ପ୍ରସ୍ତୁତି, ପରିବହନ ଓ ବିକ୍ରୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା । ଏହି ଆଇନ ୧୯୨୦ରୁ ୧୯୩୩ ମସିହା ଯାଏଁ ବଳବତ୍ତର ରହିବା ପରେ ସଫଳତାର ସହ କାର୍ଯ୍ୟକାରୀ ହୋଇନପାରିବାରୁ ୧୯୩୩ ମସିହାରେ ସମ୍ବିଧାନର ୨୧ତମ ସଂଶୋଧନ କରି ଏହି ଆଇନକୁ ଉଠାଇ ଦିଆଯାଇଥିଲା । ତେଣୁ ଆମ ରାଜ୍ୟର ନୀତି ନିର୍ଦ୍ଧାରକମାନେ ପ୍ରଥମେ ଧ୍ୟାନଦେବା ଆବଶ୍ୟକ, ଏହା କିପରି ଭାବେ ସଫଳତାର ସହିତ କାର୍ଯ୍ୟକାରୀ ହୋଇପାରିବ ।