ନୂଆଦିଲ୍ଲୀ, ୧୧/୦୯ : ଏକ ବିଶାଳକାୟ ଗ୍ରହାଣୁ ରୂପେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିପଦ। ଏହାର ମୁକାବିଲା ଲାଗି ବିଶ୍ୱର ସବୁ ଦେଶ ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି । ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ମୁଖ୍ୟ ଡ. ଏସ୍. ସୋମନାଥ ଏହି ଗ୍ରହାଣୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏକ ସାକ୍ଷାତକାରରେ ସେ ଏହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କହିଛନ୍ତି । ଗ୍ରହାଣୁର ନାଁ ‘୯୯୯୪୨ ଆପୋଫିସ୍’ । ଇଜିପ୍ଟର ‘ଗଡ୍ ଅଫ୍ ଚାଓସ୍’ ନାମ ଅନୁସାରେ ଏହାର ନାମକରଣ ହୋଇଛି । ପୃଥିବୀର ନିକଟତର ହେଉଥିବାରୁ ସମଗ୍ର ବିଶ୍ୱର ନକ୍ଷତ୍ରବିଜ୍ଞାନୀଙ୍କ ପାଇଁ ଏହା ବଡ଼ ଚିନ୍ତାର ବିଷୟ ହୋଇଛି । ବୈଜ୍ଞାନିକ ଆକଳନ ଅନୁସାରେ, ୨୦୨୯ ମସିହା, ଏପ୍ରିଲ ୧୩ ତାରିଖରେ ଆପୋଫିସ୍ ପୃଥିବୀର ସବୁଠୁ ନିକଟତର ହେବ । ସୋମନାଥ କହିଛନ୍ତି, ବିଶାଳ ଗ୍ରହାଣୁ ପୃଥିବୀରେ ଧକ୍କା ହେଲେ ମାନବତା ଧ୍ୱଂସ ପାଇବ । ଇସ୍ରୋ ନିରନ୍ତର ଏହି ଗ୍ରହାଣୁ ଉପରେ ନଜର ରଖିଛି ଓ ଏହାକୁ ଟ୍ରାକ୍ କରୁଛି ।
ଇସ୍ରୋର ନେଟ୍ୱର୍କ ଫର ସ୍ପେସ୍ ଅବ୍ଜେକ୍ଟସ୍ ଟ୍ରାକିଂ ଆଣ୍ଡ ଆନାଲିସିସ୍ (ନେଟ୍ରା) ଗ୍ରହାଣୁର ନିରନ୍ତର ଯାଞ୍ଚ୍ କରୁଛି । ସୋମନାଥଙ୍କ ଅନୁସାରେ, ବଞ୍ଚିବାକୁ ଆମ ପାଖରେ ଏକମାତ୍ର ପୃଥିବୀ ଅଛି । ଏହି ଗ୍ରହାଣୁ ଓ ଭବିଷ୍ୟତର ଅନ୍ୟ ବିପଦର ମୁକାବିଲାରେ ସମସ୍ତ ରାଷ୍ଟ୍ରକୁ ଭାରତ ସହଯୋଗ କରିବ । ୨୦୦୪ ମସିହାରେ ଆପୋଫିସ୍ ପ୍ରଥମେ ଆବିଷ୍କୃତ ହୋଇଥିଲା । ସେବେଠାରୁ ପୃଥିବୀ ସହ ଏହାର ନିକଟତର ହେବାର ଅବଧିକୁ ଟ୍ରାକ୍ କରାଯାଉଛି । ୨୦୨୯ ପରେ ୨୦୩୬ ମସିହାରେ ଏହା ପୁଣି ଥରେ ପୃଥିବୀର ନିକଟତର ହେବ । ପୃଥିବୀ ସହ ଏହାର ଧକ୍କା ଚିନ୍ତାର ବିଷୟ ହୋଇଥିବାବେଳେ ଅନେକ ଅଧ୍ୟୟନ ଅନୁସାରେ, ୨୦୨୯ ମସିହାରେ ଏହା ପୃଥିବୀର ସବୁଠୁ ନିକଟରୁ ଅତିକ୍ରମ କରିବ । ପୃଥିବୀ ସହ ଏହାର ଧକ୍କା ହୋଇନପାରେ । ଯେଉଁ ଦୂରତାରେ ଆପୋଫିସ୍ ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି, ତା’ ତୁଳନାରେ ଏକ କକ୍ଷରେ ଥିବା ଭାରତର ଜିଓଷ୍ଟେସନାରୀ ସାଟେଲାଇଟ୍ଗୁଡ଼ିକ କେତେ ଉଚ୍ଚତାରେ ଅଛନ୍ତି ତା’ରି ତଥ୍ୟ ଜରିଆରେ ବିଚାର କରାଯିବ । ପୃଥିବୀର ୩୨ ହଜାର କିମି ଉଚ୍ଚରେ ଆପୋଫିସ୍ ଆକାରର ଅନ୍ୟ କୌଣସି ଗ୍ରହାଣୁ କଦାପି ପୃଥିବୀର ଏତେ ନିକଟତର ହୋଇନାହିଁ ।
ଆପୋଫିସ୍ ଭାରତର ସର୍ବବୃହତ ବିମାନ ବାହକ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଏବଂ ଅହମଦାବାଦ ସ୍ଥିତ ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠୁ ମଧ୍ୟ ବଡ଼ । ଏହାର ବ୍ୟାସ ପ୍ରାୟ ୩୪୦-୩୫୦ ମିଟର ଆକଳନ କରାଯାଇଛି । ପୃଥିବୀର ନିକଟରେ ଅତିକ୍ରମ କରୁଥିବା ୧୪୦ ମିଟର ବ୍ୟାସଠୁ ଅଧିକ ବଡ଼ ଯେକୌଣସି ଗ୍ରହୀୟ ପିଣ୍ଡ ପୃଥିବୀ ପାଇଁ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଇସ୍ରୋର ଆକଳନ ଅନୁସାରେ, ୩୦୦ ମିଟରଠୁ ଅଧିକ ବିଶାଳ ଗ୍ରହାଣୁ ମହାଦେଶ ସ୍ତରରେ ଧଂସଲୀଳା ରଚିପାରେ । ସବୁଠୁ ବିପଦପୂର୍ଣ୍ଣ ସ୍ଥିତିରେ, ଯଦି ଏକ ଗ୍ରହାଣୁର ବ୍ୟାସ ୧୦ କିମିରୁ ଅଧିକ³ ତେବେ ତାହା ସାମୂହିକ ବିଲୁପ୍ତିର କାରଣ ହୋଇପାରେ । ଇସ୍ରୋର ନେଟ୍ରା (ନେଟ୍ୱର୍କ ଫର୍ ସ୍ପେସ୍ ଅବ୍ଜେକ୍ଟସ୍ ଟ୍ରାକିଂ ଆଣ୍ଡ୍ ଆନାଲିସିସ୍) ପ୍ରୋଜେକ୍ଟର ନେତୃତ୍ୱ ନେଇଥିବା ଏ କେ ଅନିଲ କୁମାର କହିଛନ୍ତି, ପୃଥିବୀ ସହ ବିଶାଳ ଗ୍ରହାଣୁର ଧକ୍କା ବୈଶ୍ୱିକ ବିଧ୍ୱଂସର କାରଣ ହୋଇପାରେ । ଆପୋଫିସ୍ ପୃଥିବୀ ସହ ଧକ୍କା ହେଲେ ମାନବତାର ବିଲୁପ୍ତି ହୋଇପାରେ । ଗ୍ରହାଣୁ ଧକ୍କା ଦ୍ୱାରା ବିଚ୍ଛୁରିତ ଧୂଳି ବାୟୁମଣ୍ଡଳକୁ ଆବୃତ୍ତ କରିପାରେ, ଯାହା ବିଶ୍ୱସ୍ତରୀୟ ବିପଦ ସୃଷ୍ଟି କରିପାରେ । ପ୍ରାୟ ୫ ଲକ୍ଷ ବର୍ଷ ପୂର୍ବେ ମହାରାଷ୍ଟ୍ରର ଲୋନାରଠାରେ ଏକ ଉଲ୍କାପିଣ୍ଡ ଧକ୍କା ହୋଇଥିଲା । ତା’ର ପ୍ରଭାବରେ ଆଜି ଏକ ବର୍ଗ କିମିରୁ ଅଧିକ ବିଶାଳ ହ୍ରଦ ସେହି ଘଟଣାର ସ୍ମୃତି ବହନ କରୁଛି । ଏହାକୁ ଦୃଷ୍ଟିରେ ରଖି ୨୦୨୯ ମସିହାରେ ପୃଥିବୀ ଅଭିମୁଖେ ଆସୁଥିବା ଆପୋଫିସ୍ର ଅଧ୍ୟୟନ ଇସ୍ରୋ ନିଶ୍ଚିତ ଭାବେ କରିବ ବୋଲି ସୋମନାଥ ସ୍ପଷ୍ଟ କରିଛନ୍ତି । ବିଶ୍ୱର ସମସ୍ତ ଅଗ୍ରଣି ମହାକାଶ ସଂସ୍ଥା ଆପୋଫିସ୍ର ଅଧ୍ୟୟନ ଲାଗି ଅନେକ ମିଶନ ଲଞ୍ଚ୍ କରିବାକୁ ଯୋଜନା କରୁଛନ୍ତି ତାହା ନୁହେଁ, ଏହାର ଉତ୍ପତ୍ତି ବିଷୟରେ ବୁଝିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ନାସାର ଓସିରିସ୍-ରେକ୍ସ ପ୍ରଥମ ଆମେରିକୀୟ ମହାକାଶଯାନ ଥିଲା, ଯାହା ଏକ ଗ୍ରହାଣୁରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଥିଲା । ଏବେ ଆପୋଫିସ୍ ପାଇଁ ଏହାକୁ ପୁଣି ଥରେ ମୁତୟନ କରାଯାଇଛି ।
ଆପୋଫିସ୍ ଅଧ୍ୟୟନ ଲାଗି ୟୁରୋପୀୟ ମହାକାଶ ଏଜେନ୍ସି ମଧ୍ୟ ଆଉ ଏକ ମିଶନ ଲଞ୍ଚ୍ କରିବ, ଯାହାର ନାଁ ରାପିଡ୍ ଆପୋଫିସ୍ ମିଶନ ଫର୍ ସିକ୍ୟୁରିଟି ଆଣ୍ଡ୍ ସେଫ୍ଟି (ରାମ୍ସେସ୍) । ଏହା ୨୦୨୮ ମସିହାରେ ଲଞ୍ଚ୍ କରିବ । ଏହି ମିଶନରେ ଭାରତ ଯୋଗ ଦେଇପାରେ ବୋଲି ସୋମନାଥ କହିଛନ୍ତି । ଗ୍ରହାଣୁକୁ ପୃଥିବୀଠୁ ଦୂରେଇବା ପାଇଁ ତା’ର ଦିଗକୁ ବଦଳାଇବା ଲାଗି ଅନେକ ଉପାୟ ରହିଛି । ତନ୍ମଧ୍ୟରେ ନାସାର ଡବଲ୍ ଆଷ୍ଟରଏଡ୍ ରିଡାଇରେକ୍ସନ୍ ଟେଷ୍ଟ୍ (ଡାର୍ଟ) ଅନ୍ୟତମ । ସେହିପରି ଗ୍ରହାଣୁକୁ ବିକ୍ଷେପିତ କରିବାକୁ ଗ୍ରାଭିଟି ଟ୍ରାକ୍ଟର କିମ୍ବା ତା’ର ଦିଗ ପରିବର୍ତ୍ତନ କରିବା ଲାଗି ହାଇ ସ୍ପିଡ୍ ଆୟନ ବିମ୍ ବ୍ୟବହାର ପଦ୍ଧତି ମଧ୍ୟ ରହିଛି । କିନ୍ତୁ ଶେଷ ପ୍ରୟାସ ସର୍ବଦା ଗ୍ରହାଣୁ ଉପରେ ବିସ୍ଫୋରଣ କରିବା ପାଇଁ ପରମାଣୁ ବିସ୍ଫୋରକ ପ୍ରୟୋଗ ହୋଇପାରେ ।