ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀକ୍ଷେତ୍ରରେ ଭିକାରୀମୁକ୍ତ ଅଭିଯାନ ଫେଲ୍, ମାଳ ମାଳ ଭିକାରୀଙ୍କ ଦଖଲରେ ସହର ଓ ଦେବାଳୟ

ପୁରୀ, ୦୪/୦୪ : ବିଶ୍ୱସ୍ତରୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ରକୁ ଭିକାରୀମୁକ୍ତ କରିବା ଲାଗି ଅଣ୍ଟା ଭିଡ଼ିଥିଲା ପ୍ରଶାସନ। କିନ୍ତୁ ଏବେ ଦେବାଳୟ ଠାରୁ ଆରମ୍ଭ କରି ସହରାଞ୍ଚଳ ମଧ୍ୟରେ ମାଳ ମାଳ ଭିକାରୀମାନେ ଥାଳ ଧରି ବୁଲୁଛନ୍ତି। ଶ୍ରୀଲୋକନାଥଙ୍କ ପୀଠ ଓ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଟକାଇ ଜୋରଜବରଦସ୍ତ ଭିକ୍ଷା ମାଗୁଛନ୍ତି । ଫଳରେ ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଭିକ୍ଷାବୃତ୍ତି ଏକ ସାମାଜିକବ୍ୟାଧି । ଧାର୍ମିକ ସହରରୁ ହଟେଇବା ଲାଗି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । 

ବାବୁମାନେ ଗଳିକନ୍ଦି ସହ ସିଂହଦ୍ୱାର, ବଡଦାଣ୍ଡ, ଶ୍ରୀଲୋକନାଥପୀଠ, ଶ୍ରୀଗୁଣ୍ଡିଚା ମନ୍ଦିର, ନୃସିଂହ ମନ୍ଦିର, ଆଖଣ୍ଡଳମଣି ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନରେ ଜୋର ଜବରଦସ୍ତି ଭିକାରୀମାନଙ୍କୁ ଉଠାଯାଇ ନୀଳାଦ୍ରିନିଳୟ ଆଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଇଥିଲା । ଏହାପରେ ସହରରୁ ଭିକାରୀ ମୁକ୍ତ ହୋଇପାରିଥିଲା । କିନ୍ତୁ ଏବେ ପୁଣି ମାଡି ଆସିଲେଣି ଭିକାରୀ । ବିଭିନ୍ନ ସ୍ଥାନରେ ପସରା ମେଲାଇ ବସିଲେଣି । ହେଲେ ଏହା ଉପରେ କୌଣସି ବାବୁମାନଙ୍କର ଦୃଷ୍ଟି ପଡୁନାହିଁ ।  ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ଲାଗି ରାଜ୍ୟ  ସରକାର ଉଦ୍ୟମ ଜାରି ରଖିଛନ୍ତି । ଏବେ ବି ବିକାଶ କାର୍ଯ୍ୟ ଜାରି ରହିଛି । ଅବଢା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଯେଭଳି ଭାବେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ୪ବର୍ଷ ତଳୁ ସହରରେ ଭିକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ନଜର ଯେପରି ନ ପଡ଼ିବ ସେଥିପାଇଁ ପରିକଳ୍ପନା କରାଯାଇଥିଲା । କିନ୍ତୁ ଏବେ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ।  

ଭିକାରୀମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ସିଧାସଳଖ ଟାଗେର୍ଟ କରୁଛନ୍ତି । ଏପରିକି ଯେ ପର୍ଯ୍ୟନ୍ତ ଭିକ୍ଷା ନ ମିଳିଛି ସେ ପର୍ଯ୍ୟନ୍ତ ସେମାନଙ୍କୁ ପିଛା କରୁଛନ୍ତି । ଯାହାଫଳରେ କଲବଲ ହେଉଛନ୍ତି ପର୍ଯ୍ୟଟକ । ଗତ ୨୦୧୯ରେ ସହରକୁ ବିଶ୍ୱସ୍ତରୀୟ ନିର୍ମାଣର ଶୁଭାରମ୍ଭ ହୋଇଥିଲା । ପରେ ପରେ ୨୦୨୦ରେ ସହରକୁ ନୋ-ଭେଣ୍ଡିଂ ଜୋନ୍‌, ନୋ ପାର୍କିଂ ଜୋନ୍‌, ନୋ ବେଗିଂ ଜୋନ୍‌ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରୁ ଭିକାରୀମାନଙ୍କୁ ହଟାଯାଇଥିଲା । ପରେ ପରେ ସହରର ବିଭିନ୍ନ ଦେବାଳୟ ସହ ଗଳିକନ୍ଦିରୁ ଅଧିକାରୀମାନେ ଗୋଡାଇ ଗୋଡାଇ ଭିକାରୀମାନଙ୍କୁ ଉଦ୍ଧାର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୯୦ଜଣ ଓ ପରେ ୫୦୦ ଭିକାରୀଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ କାଉନସିଲିଂ ଜରିଆରେ ୧୫୦ଜଣଙ୍କୁ ସେମାନଙ୍କ ପରିବାର ବା ସମ୍ପର୍କୀୟମାନଙ୍କ ସହ ଛଡାଯାଇଥିଲା । 

ବାକି ଅନ୍ୟାମାନଙ୍କୁ ନୀଳାଦ୍ରିନିଳୟରେ ଥଇଥାନ କରାଯାଇଥିଲା । ସହରରେ ଦୁଇଟି ନିଳୟ ରହିଥିବା ବେଳେ ଜିଲ୍ଲାରେ  ମୋଟ ୭ଟି ରହିଥିବା ଜଣାପଡିଛି । ପ୍ରତ୍ୟେକ ନିଳୟ ପରିସରରେ ୫୦ଜଣଙ୍କୁ ଥଇଥାନ କରାଯାଇଥିଲା । ଏଠାରେ  ସେମାନଙ୍କୁ ଖାଦ୍ୟପେୟ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ଵେ ପୁଣି ସହରରେ ମାଳ ମାଳ  ଭିକାରୀମାନେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲେଣି । ଏନେଇ ଜଣେ ସ୍ଥାନୀୟ ବ୍ୟବସାୟୀ ରମେଶସାହୁ କୁହନ୍ତି, ପୂର୍ବରୁ  ଭିକାରୀମାନଙ୍କୁ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ସମସ୍ତ ଦେବାଳୟ ସମ୍ମୁଖରେ ସେମାନଙ୍କ ଭିଡ଼ ଜମାଇଲାଣି । ପ୍ରଶାସନ ପକ୍ଷରୁ କଡା କଟକଣା କରାଯାଇ ପୁଣି ସେମାନଙ୍କ ଉପରେ ଚଢଉ ଆବଶ୍ୟକ । ଅନ୍ୟପକ୍ଷରେ ଭିକ୍ଷାବୃତ୍ତି  କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅନେକ କୌଣସି କିଛି କାର୍ଯ୍ୟ ନକରି ସେମାନେ ଏହାକୁ ବ୍ୟବସାୟିକ କରିସାରିଲେଣି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.