ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଉଁରି ଯାତ୍ରାରେ ବାଣ ବିସ୍ଫୋରଣ: କଟକ ବଡ଼ ମେଡିକାଲରେ ଜଣଙ୍କ ମୃତ୍ୟୁ, ୫୦ ଆହତ, ୨୦ ଅବସ୍ଥା ସଂକଟାପନ୍ନ

ପୁରୀ,୩୦/୦୫: ଶ୍ରୀକ୍ଷେତ୍ରର ଭଉଁରି ଯାତ୍ରାର ଆନନ୍ଦ ଉହ୍ଲାସର ପରିବେଶ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ନରେନ୍ଦ୍ରର ଦଶତୁଠ ନିକଟରେ ବାଣ ବିସ୍ଫୋରଣ ଯୋଗୁଁ ଘଟିଥିଲା ଏକ ବଡ଼ଧରଣ ଅଘଟଣ । ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବାଣ ନିଆଁରେ ଚାପ ଖେଳ ଦେଖିବାକୁ ଅପେକ୍ଷାରତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହାହାକାର ପଡ଼ି ଯାଇଥିଲା । ସେମାନଙ୍କ ପୋଷାକ ଜଳୁଥିବା ବେଳେ ଆର୍ତ୍ତ ଚିତ୍କାର କରି ନରେନ୍ଦ୍ର ପୁଷ୍କରିଣୀ ପାହାଚରେ ଗଡ଼ି ଯାଉଥିଲେ । ଏ ଭୟଙ୍କର ଦୃଶ୍ୟ ଦେଖି ଅନ୍ୟମାନେ ଦୂରକୁ ଦୌଡ଼ି ପଳାଇଥିଲେ । ଏଭଳି ସ୍ଥିତିରେ ଆଉ କିଛି ସହୃଦୟ ବ୍ୟକ୍ତି ଜଳୁଥିବା ଶ୍ରଦ୍ଧାଳୁଙ୍କ ଉପରେ ପାଣି ପକାଇ ନିଆ ଲିଭାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଣ ବିସ୍ଫୋରଣରେ  ୫୦ରୁ ଅଧିକ ପୋଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ମହଳା ଓ ପୁରୁଷ ଅଛନ୍ତି । ୨୫ରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛନ୍ତି । ଗୁରୁତର ହୋଇଥିବା ଅଧିକାଂଶଙ୍କ ଶରୀରର ୭୦ ଭାଗରୁ ଅଧିକ ପୋଡ଼ି ଯାଇଛି । ବିସ୍ଫୋରଣରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସର୍ଜରୀ ଓ୍ବାର୍ଡରେ ୬ ଜଣଙ୍କ ଚିକିତ୍ସା ଜାରି ରହିଛି।

ସେମାନଙ୍କ ମଧ୍ୟରୁ ଅନେକ ଏଭଳି ପୋଡି ଯାଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ସମସ୍ତ ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ୨୫ ଜଣଙ୍କୁ ଏମ୍ସ ଭୁବନେଶ୍ୱର, ଏସ୍‌ସିବି କଟକ, ସମ ହସ୍ପିଟାଲ, ସମ ଅଲ୍ଟିମେଟ ଓ ଫୁଲନଖରାସ୍ଥିତ ସମ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ସଦର ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ଡାକ୍ତର ନଥିବାରୁ ଘଟଣାସ୍ଥଳରେ ଉତ୍ତେଜନାମୂଳକ  ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି । ଜିଲ୍ଲାପାଳ ଏବଂ ଏସ୍‌ପି ରାତିରେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ  ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । 

ଏଭଳି ହୃଦୟ ବିଦାରକ ଅଘଟଣରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ କୁହାଯାଇଛି । ଏହାସହ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ।

ମିଳିଥିବା ସୂଚନା ମୁତାବକ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ବୁଧବାର ବାହାର ଚାପର ଶେଷ ଦିନ ଥିଲା । ତେଣୁ ନରେନ୍ଦ୍ରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥିଲା । ଦିନ ଚାପ ସରି ରାତି ଚାପ ଦେଖିବାକୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଥିଲେ । ନରେନ୍ଦ୍ର ଦଶତୁଠରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଚାପ ଖେଳ ଦେଖୁଥିବା ବେଳେ ଏକ ବାଣ ଲକ୍ଷ୍ୟଭ୍ରଷ୍ଟ ହୋଇ ମହଜୁଦ୍‌ ଥିବାଶହ ଶହ ରକେଟ୍‌ ଓ ବମ୍‌ ଉପରେ ପଡ଼ିଥିଲା । ଫଳରେ ସେସବୁ ବାଣ ଏକକାଳୀନ ଫୁଟିବାରୁ ଉପସ୍ଥିତ ଶତାଧିକ ଲୋକଙ୍କ ଉପରକୁ ଛିଟିକି ପଡ଼ିଥିଲା । ନିମିଷକ ମଧ୍ୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ରକେଟ୍‌ ଥିବାରୁ ସେଠାରେ ଉପସ୍ଥିିତ ୩୦ ଜଣଙ୍କ ଦେହହାତ ଜଳି ଯାଇଥିଲା । ଅନେକଙ୍କ ଉପରେ ନିଆଁ ପଡ଼ିବାରୁ ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଶତାଧିକ ଲୋକ ନରେନ୍ଦ୍ରକୁ ଡେଇଁ ପଡ଼ିଥିଲେ । କିଛି ଲୋକ ଏବେବି ନିଖୋଜ ଥିବା ଅନୁମାନ କରି ଅଗ୍ନିିଶମ ବିଭାଗ ଖୋଜାଖୋଜି କରୁଛି । ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଭଉଁରି ଯାତ୍ରା ଦେଖିବାକୁ ଆସିଥିବା ଭକ୍ତଙ୍କ ଆନନ୍ଦର ପର୍ବ ହଠାତ ଶୋକାକୂଳ ପରିବେଶରେ ପରିଣତ ସୃଷ୍ଟି ହୋଇଥିଲା । ଯିଏ ଯୁଆଡେ ପାରିଲେ ପ୍ରାଣ ବିକଳରେ ଦୌଡ଼ିଥିଲେ । ବାଣ ବିସ୍ଫୋରଣରେ ଘଟଣାସ୍ଥଳରେ ଅନେକ ମହିଳା ଓ ଛୋଟ ପିଲାଥିଲେ । ୫ରୁ ଅଧିକ ଶିଶୁ ଏଥିରେ ପୋଡି ଯାଇଛନ୍ତି । ସେମାନଙ୍କୁ ବି ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । 

 ପୁରୀ ସଦର ମେଡିକାଲ୍‌ରେ ବର୍ଣ୍ଣ ୟୁନିଟ୍‌ରେ ମାତ୍ର ୫ଟି ବେଡ୍‌ ଥିବାରୁ ୨୫ରୁ ଅଧିକଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଛି । ପୁରୀର ବିଭିନ୍ନ ଘରୋଇ ହସ୍ପିଟାଲ୍‌କୁ ୧୫ ଜଣଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.