ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଭୂମିର ଅବନତି ଓ ପୁନରୁଦ୍ଧାର

    ଓଁପୃଥିବ୍ୟୋ ନମଃ । ଧରିତ୍ରୀ ମାତାଙ୍କୁ ପ୍ରଣାମ କରି ଭୂମି ବା ମୃତ୍ତିକା ପୂଜନ କରିବାର ପ୍ରଥା ହେଉଛି ଭାରତୀୟ ସଂସ୍କୃତିର ଏକ ଅନନ୍ୟ ଶ୍ରେଷ୍ଠ ନିଦର୍ଶନ । କୃଷକମାନେ ଅକ୍ଷୟ ତୃତୀୟା ପର୍ବ ଅବସରରେ ଧାନ କ୍ଷେତରେ ପାରମ୍ପରିକ ରୀତିନୀତିରେ ଭୂମି ପୂଜନ ସମ୍ପାଦନ କରି ଜମି କର୍ଷଣ ଓ ବିହନ ବୁଣା ବା ‘ଅଖିମୁଠି ଅନୁକୂଳ' କରିଥାନ୍ତି । ତେବେ ସମ୍ପ୍ରତି ବହୁ ନକାରାତ୍ମକ ମାନବୀୟ କାର୍ଯ୍ୟକଳାପର ବିଷମ ବିକୃତିରେ ମୃତ୍ତିକାର ଗୁଣବତ୍ତାରେ ଅବନତି ଏବଂ ଭୂମି ପ୍ରଦୂଷଣରେ ବୃଦ୍ଧି ଘଟି ପ୍ରାକୃତିକ ପରିସଂସ୍ଥାମାନ ବିବିଧ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବହୁବିଧ ଆବଶ୍ୟକତାର ପୂରଣ ନିମନ୍ତେ ମୃତ୍ତିକା ଉପରେ ମାନବ ଜାତିର ନିର୍ଭରଶୀଳତାରେ କ୍ରମଶଃ ଯେତେ ବୃଦ୍ଧି ଘଟୁଛି, ବିପରୀତ ଦିଗରେ ଏହାର ଉପଯୋଗିତାରେ ସେତେ ଅଧିକ ସମସ୍ୟା ଉପୁଜୁଛି । ଭୂମିର ଦାୟିତ୍ୱହୀନ, ବିଶୃଙ୍ଖଳିତ ବ୍ୟବହାର ପ୍ରକ୍ରିୟାରେ ପୃଥିବୀର କୋଟି କୋଟି ହେକ୍ଟର ଜମିର ଅବନତି ଘଟିଚାଲିଛି, ଯାହାର ପରିଣାମରେ ଗ୍ରହର ପ୍ରାୟ ଅର୍ଦ୍ଧେକ ଲୋକ ପ୍ରଭାବିତ ହେଉଛନ୍ତି ଏବଂ ବିଶ୍ୱ ଆୟ(ଜିଡିପି)ର ଅର୍ଦ୍ଧାଂଶ ବିପଦଗ୍ରସ୍ତ ହେଉଛି । 

ପରିତାପର ବିଷୟ ହେଉଛି ଯେ, ମାନବ-ସୃଷ୍ଟ ଏହି ପରିବେଶୀୟ ସମସ୍ୟାରେ ଗ୍ରାମୀଣ ସମ୍ପ୍ରଦାୟ, କ୍ଷୁଦ୍ରଚାଷୀ ଏବଂ ଅତିରିକ୍ତ ଗରିବ ଶ୍ରେଣୀର ଲୋକ ସର୍ବାଧିକ କ୍ଷତିର ଶିକାର ହେଉଛନ୍ତି । ବିସ୍ଫୋରିତ ଜନସଂଖ୍ୟାର ବର୍ଦ୍ଧିତ ଚାପ ତଥା ବିବିଧ ବିକାଶମୂଳକ କାର୍ଯ୍ୟକ୍ରମ ନିମନ୍ତେ ଭୂ-ଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ, ମୃତ୍ତିକାର ପ୍ରଦୂଷଣ ଓ ଅବକ୍ଷୟ, ଜମିର ତ୍ରୁଟିପୂର୍ଣ୍ଣ ବ୍ୟବହାର, ଅତ୍ୟଧିକ ଚାରଣଜନିତ ଚାପ, ଖଣିଜ ପଦାର୍ଥର ଅତ୍ୟଧିକ ଉତ୍ତୋଳନ, ଅନ୍ୟାନ୍ୟ ଏକାଧିକ ମାନବୀୟ କାର୍ଯ୍ୟକଳାପ ଏବଂ କିଛି ପ୍ରାକୃତିକ ପ୍ରକ୍ରିୟା ଭୂମିର ଅବନତିକୁ ପ୍ରୋତ୍ସାହିତ କରୁଥିବା ପ୍ରମୁଖ କାରକ ମଧ୍ୟରେ ଅନ୍ତର୍ଭୁକ୍ତ । ଜଙ୍ଗଲ ଧ୍ୱଂସ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ହ୍ରାସନ, ମାତ୍ରାଧିକ ଇନ୍ଧନ କାଠ ଓ ଗୋଖାଦ୍ୟ ବୃକ୍ଷଲତାର ସଂଗ୍ରହ, ପୋଡୁଚାଷ, ଜଙ୍ଗଲାଞ୍ଚଳର ଅନଧିକାର ବ୍ୟବହାର, ବନାଗ୍ନି ଘଟଣା, ପର୍ଯ୍ୟାପ୍ତ ମୃତ୍ତିକା ସଂରକ୍ଷଣ ପଦକ୍ଷେପ ଗ୍ରହଣ ନକରିବା ଏବଂ ବିଶେଷ ରୂପେ ମରୁଡ଼ି ପରି ଚରମ ପାଣିପାଗ ସମ୍ପର୍କିତ ଦୁର୍ବିପାକ ଏଥିରେ ବିଶେଷ ସହାୟକ ହୋଇଥାନ୍ତି । ଏସବୁ ପରିଣାମରେ ବର୍ଷାଜଳ ଉପରେ ନିର୍ଭରଶୀଳ ଏବଂ ଜଳସେଚିତ ଫସଲ ଜମି, ଚାରଣଭୂମି, ଜଙ୍ଗଲ କିମ୍ବା ପାର୍ବତ୍ୟାଞ୍ଚଳ ଜମିର ଜୈବିକ ଓ ଅର୍ଥନୈତିକ ଉତ୍ପାଦକତା ଏବଂ ଜଟିଳତାରେ ହ୍ରାସ ଘଟୁଛି ଅଥବା କ୍ଷତି ସଂଘଟିତ ହେଉଛି । 

ଅନ୍ୟପକ୍ଷରେ, ବାରମ୍ବାର ପ୍ରକଟିତ ହେଉଥିବା ମରୁଡ଼ି ଜମି ଅବନତି ସହିତ ମିଶି ନୂତନ ମରୁଭୂମି ସୃଷ୍ଟିର କାରଣ ପାଲଟୁଛି । ଏହି ପ୍ରକ୍ରିୟାକୁ ବର୍ଦ୍ଧିତ ସହରୀକରଣ, ପଶୁପାଳନ ଫାର୍ମର ସ୍ଥାପନ, ଖଣି ଉତ୍ତୋଳନ, ଜଙ୍ଗଲାଞ୍ଚଳ ନଷ୍ଟ ଏବଂ ସବୁଜଗୃହ ବାଷ୍ପ ନିର୍ଗମନ ପରି କାର୍ଯ୍ୟକଳାପ ତ୍ୱରାନ୍ୱିତ କରୁଛି । ବିଶେଷ ରୂପେ, ମୃତ୍ତିକା ଉପରୁ ପ୍ରାକୃତିକ ସବୁଜ ଆବରଣର ଅପସାରଣ ଏବଂ ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳର ଦୁର୍ବଳ ପରିସଂସ୍ଥାରେ ଚାପ ସୃଷ୍ଟିକାରୀ ତୀବ୍ରତର କୃଷି କର୍ମ ପରି ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ମରୁଅଞ୍ଚଳ ସୃଷ୍ଟି ସହଜସାଧ୍ୟ ହୁଏ । ବର୍ଷାର ସ୍ୱଳ୍ପତା ଏବଂ ଗୁରୁତର ଜଳାଭାବ ସହିତ ଉଚ୍ଚ ତାପମାତ୍ରା ବା ଗ୍ରୀଷ୍ମପ୍ରବାହ ପରିସ୍ଥିତି ମରୁଡ଼ିର ତୀବ୍ରତାକୁ ବୃଦ୍ଧି କରେ, ଯାହା ପ୍ରକାରାନ୍ତରେ ମୃତ୍ତିକା ଅବକ୍ଷୟର କାରଣ ହୁଏ । ମାନବ ଜାତି ସମ୍ପ୍ରତି ଆମ ଗ୍ରହର ଏକ ତ୍ରିଗୁଣ ସଙ୍କଟର ଚିନ୍ତାଜନକ ସ୍ଥିତିକୁ ତୀବ୍ରତାର ସହ ସମ୍ମୁଖୀନ ହେଉଛି, ଯାହା ଜଳବାୟୁ ପରିବର୍ତ୍ତନ ସଙ୍କଟ, ପ୍ରକୃତି ଓ ଜୈବବିବିଧତା ଅବକ୍ଷୟ ସଙ୍କଟ ଏବଂ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁଜନିତ ସଙ୍କଟକୁ ଅନ୍ତର୍ଭୁକ୍ତ କରେ । 

ଏହି ପ୍ରକ୍ରିୟାରେ ଯଦି ପ୍ରାକୃତିକ ଓ ମାନବୀୟ ପରିବେଶ କ୍ଷତାକ୍ତ ହୋଇ ନିଜର ଗୁଣବତ୍ତା ଏବଂ ଉତ୍ପାଦନ କ୍ଷମତା ହରାଇ ବସନ୍ତି, ତେବେ ଜୀବଜଗତ ଏହି ଦୁରୂହ ସଙ୍କଟ ମଧ୍ୟରୁ ମୁକୁଳିବା ଆହ୍ୱାନକାରୀ ପାଲଟିବ । ଏହି ପରିପ୍ରେକ୍ଷୀରେ ଜାତିସଙ୍ଘ ଘୋଷିତ ‘ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି' (୨୦୨୧ -୨୦୩୦)ର ନିଷ୍ଠାର ସହ କାର୍ଯ୍ୟକାରିତା ଯଥେଷ୍ଟ ଗୁରୁତ୍ୱ ବହନ କରେ । ଭୂମି ପୁନରୁଦ୍ଧାର ନିମନ୍ତେ ସଠିକ୍‌ ପଦକ୍ଷେପକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କଲେ ଭୂମି ଅବନତି, ମରୁଡ଼ି ଏବଂ ମରୁଅଞ୍ଚଳ ସୃଷ୍ଟିର ଧାରାକୁ ବିପରୀତମୁଖୀ କରିବା ସମ୍ଭବପର ହେବ । ପୁନରୁଦ୍ଧାର କାର୍ଯ୍ୟ ଜୀବିକାରେ ବୃଦ୍ଧି ଘଟାଏ, ଦାରିଦ୍ର‌୍ୟ ହ୍ରାସନ କରେ ଏବଂ ଜଳବାୟୁ ପରିବର୍ତ୍ତନଜନିତ ଅତ୍ୟଧିକ ବିପର୍ଯ୍ୟୟକୁ ପ୍ରତିହତ କରି ସ୍ଥିରତା ସୃଷ୍ଟି କରିଥାଏ । ଅବକ୍ଷୟିତ ପ୍ରାକୃତିକ ପରିସଂସ୍ଥାର ପୁନରୁଦ୍ଧାର ଦ୍ୱାରା ପୁନର୍ବାର ଦ୍ରବ୍ୟ ଓ ସେବା ପ୍ରଦାନର ପ୍ରବାହ ଜାରି ରହେ । ପୁନରୁଦ୍ଧାର ଅଙ୍ଗାରକ ସଂରକ୍ଷଣରେ ବୃଦ୍ଧି ଘଟାଏ ଏବଂ ଜଳବାୟୁ ପରିବର୍ତ୍ତନକୁ ମନ୍ଥର କରିଥାଏ । ଜାତିସଙ୍ଘ ତଥ୍ୟ ପ୍ରକାଶ କରେ ଯେ, ପୁନରୁଦ୍ଧାରରେ ବିନିଯୋଗ ହୋଇଥିବା ପ୍ରତ୍ୟେକ ଡଲାର, ପରିସଂସ୍ଥୀୟ ସେବା ପ୍ରଦାନ ମାଧ୍ୟମରେ ୩୦ ଡଲାର ପର୍ଯ୍ୟନ୍ତ ମୂଲ୍ୟର ହିତ ସାଧନ କରିପାରେ । ସେହିପରି, ମାତ୍ର ୧୫ ପ୍ରତିଶତ ଭୂମିକୁ ପୁନଃସ୍ଥାପିତ କରିବା ଏବଂ ଜମିର ଅଧିକ ବିନାଶକୁ ରୋକିବା ଦ୍ୱାରା ବିଲୁପ୍ତ ହେବାକୁ ଯାଉଥିବା ଜୀବଜାତିଙ୍କ ମଧ୍ୟରୁ ୬୦ ଶତାଂଶଙ୍କର ବିଲୁପ୍ତିକୁ ଏଡ଼ାଇ ଦିଆଯାଇପାରେ । ଏସବୁ ଦୃଷ୍ଟିରୁ ଜମି ଅବନତିକୁ ତ୍ୱରାନ୍ୱିତ କରୁଥିବା ଜଳବାୟୁ ପରିବର୍ତ୍ତନ ପରି ସମସ୍ତ କାରକକୁ ଦ୍ରୁତବେଗରେ ନିୟନ୍ତ୍ରିତ କରିବା ଏକାନ୍ତ ପ୍ରୟୋଜନୀୟ । ଏପରି ଦୃଶ୍ୟପଟ୍ଟରେ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଜାତିସଙ୍ଘ ନିର୍ଦ୍ଧାରିତ ପ୍ରସଙ୍ଗ ରହିଛି ‘ଭୂମି ପୁନରୁଦ୍ଧାର, ମରୁଭୂମିକରଣ ଏବଂ ମରୁଡ଼ିର ପ୍ରତିରୋଧ' । ଏହି କାର୍ଯ୍ୟକ୍ରମ ପାଇଁ ସ୍ଳୋଗାନ ହେଉଛି "ଆମର ଭୂମି, ଆମର ଭବିଷ୍ୟତ । ଆମେ ପିଢ଼ି ପୁନରୁଦ୍ଧାର’ । ସାଉଦି ଆରବ ଏହାର ରାଜଧାନୀ ରିୟାଦରେ ୨୦୨୪ ମସିହା ନିମନ୍ତେ ବିଶ୍ୱସ୍ତରୀୟ ଉତ୍ସବ ପାଳନର ଆୟୋଜନ କରୁଛି । ଯେହେତୁ ଏହି ରାଷ୍ଟ୍ର ମରୁଭୂମି, ମୃତ୍ତିକାର ଅବନତି ଏବଂ ମରୁଡ଼ି ପରି ସମସ୍ୟାରେ ଯୁଝି ହେଉଛି, ସାଉଦି ସରକାର ଏହି କାର୍ଯ୍ୟକ୍ରମରେ ଓତପ୍ରୋତ ଭାବରେ ଜଡ଼ିତ ହୋଇ ସମାଧାନର ପନ୍ଥା ନିରୂପଣ ତଥା ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବଦ୍ଧତାର ସହ କାର୍ଯ୍ୟରତ ଅଛନ୍ତି । 

‘ସାଉଦି ସବୁଜ ଉଦ୍ୟମ' ଏବଂ ‘ମଧ୍ୟପ୍ରାଚ୍ୟ ସବୁଜ ଉଦ୍ୟମ' ମାଧ୍ୟମରେ ଏହି ରାଷ୍ଟ୍ର ଜାତୀୟ ତଥା ଆଞ୍ଚଳିକ ସ୍ତରରେ ପ୍ରତିକାରାତ୍ମକ କାର୍ଯ୍ୟ ସମ୍ପାଦନ କରୁଛି । ସମ୍ପ୍ରତି ସାଉଦି ଯେତେବେଳେ ଜି-୨୦ ଗୋଷ୍ଠୀର ସଭାପତିତ୍ୱ କରୁଛି, ଏହା ‘ବୈଶ୍ୱିକ ଭୂମି ପୁନରୁଦ୍ଧାର ପଦକ୍ଷେପ' ଯୋଜନାକୁ ଗ୍ରହଣ କରି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହାର କର୍ତ୍ତବ୍ୟ ସମାପନ କରୁଛି । ତେବେ, ରିୟାଦରେ ଆଗାମୀ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମରୁଭୂମି ସୃଷ୍ଟି ବିରୁଦ୍ଧରେ ମୁକାବିଲା ନିମନ୍ତେ ମିଳିତ ଜାତିସଙ୍ଘ ସମ୍ମିଳନୀର ଷୋଡ଼ଶ ଅଧିବେଶନ (କୋପ୍‌-୧୬)ରେ ଏହାର ୧୯୭ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ କାର୍ଯ୍ୟକ୍ରମ ଗ୍ରହଣର ଅବକାଶ ରହିଛି । ଜମିର ପୁନରୁଦ୍ଧାର, ମରୁଡ଼ିର ପ୍ରତିରୋଧ ଏବଂ ସବୁଜ ପରିବର୍ତ୍ତନ ଉପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚର ଭୂମିକା ନିର୍ବାହ କରିବା ଏକାନ୍ତ ବାଞ୍ଛନୀୟ । ଜନସଂଖ୍ୟାରେ ବିଶ୍ୱର ସର୍ବୋଚ୍ଚ ରାଷ୍ଟ୍ରର ମର୍ଯ୍ୟାଦା ହାସଲ ପଥରେ ଥିବା ଭାରତ ଚିରସବୁଜ ଜଙ୍ଗଲରୁ ବନ୍ଧ୍ୟାଞ୍ଚଳ ତଥା ଉତ୍ତପ୍ତ/ଶୀତଳ ମରୁଭୂମି ଠାରୁ ପ୍ରଚୁର ଉତ୍ପାଦନକ୍ଷମ କୃଷିକ୍ଷେତ୍ର ପର୍ଯ୍ୟନ୍ତ ସବୁଥିରେ ପରିପୂର୍ଣ୍ଣ । ଖାଦ୍ୟ ଉତ୍ପାଦନ ଓ କୃଷିକର୍ମରେ ଏହା ମଧ୍ୟ ଦ୍ୱିତୀୟ ସ୍ଥାନର ଅଧିକାରୀ । ମାତ୍ର ସାମ୍ପ୍ରତିକ ସ୍ଥିତିରେ ଭାରତର ଭୂ-ଭାଗ ଅତ୍ୟଧିକ ଚାପର ବଶବର୍ତ୍ତୀ ହେବା ସହ ମୃତ୍ତିକା ଅବକ୍ଷୟଜନିତ ବିପଦର ସମ୍ମୁଖୀନ ହେଉଛି । କେଉଁଠାରେ ମୂଷଳ ବର୍ଷା ଓ ବନ୍ୟାର ପ୍ଳାବନ ତ କେଉଁଠି ଜଳାଭାବ, ମରୁଡ଼ି ଏବଂ ଗ୍ରୀଷ୍ମଲହରୀ ଘଟଣା ମୃତ୍ତିକା ଉପରେ ଯଥେଷ୍ଟ କ୍ଷତିକାରକ ପ୍ରଭାବ ବିସ୍ତାର କରୁଛି । 

ଜଳବାୟୁର ଅନିୟମିତତା ଏବଂ ବିଭିନ୍ନ ବିପର୍ଯ୍ୟୟ ଏଥିରେ ଉତ୍ତମ ସହଯୋଗୀର ଭୂମିକା ନିର୍ବାହ କରୁଛି । ଜଳସ୍ରୋତ ଦ୍ୱାରା ଭୂମିରୁ ମୃତ୍ତିକାର ଅପସାରଣ ଏବଂ ଅବକ୍ଷୟିତ ମୃତ୍ତିକା କଣିକା ସବୁର ଏହାଦ୍ୱାରା ନଦୀନାଳ ମଧ୍ୟକୁ ପରିବାହିତ ହେବା ଭାରତରେ ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହୋଇଛି । କ୍ଷୟିତ ଉପର ମାଟି ନଦୀନାଳ ଶଯ୍ୟାରେ ଆସ୍ତରଣ ରୂପେ ଜମାହେବା ସହିତ ମୃତ୍ତିକାର ଉର୍ବରତାରେ ହ୍ରାସ ଘଟାଉଛି, ଯାହାର ଉତ୍ପାଦନ ବା ଫସଲ ଅମଳ ଉପରେ ନକାରାତ୍ମକ ପ୍ରଭାବ ରହିଛି । ଇସ୍ରୋ ପରିଚାଳିତ ଏକ ରିମୋଟ୍‌ ସେନ୍‌ସିଂ ତଥ୍ୟ ଆଧାରିତ ଅଧ୍ୟୟନ ସୂଚାଏ ଯେ, ୨୦୧୮-୧୯ରେ ଦେଶର ସମଗ୍ର ଭୌଗୋଳିକ କ୍ଷେତ୍ରର ୨୯.୭୭ ଶତାଂଶ ଅଞ୍ଚଳ ମରୁଅଞ୍ଚଳ ସୃଷ୍ଟି ଏବଂ ଭୂମି ଅବନତିର ଶିକାର ହୋଇଥିଲା, ଯାହା ମୂଳରେ ଜଳପ୍ରବାହଜନିତ, ସବୁଜିମା ଆବରଣରେ ହ୍ରାସ ଏବଂ ପବନଜନିତ ଅବକ୍ଷୟ ମୁଖ୍ୟତଃ ଦାୟୀ । ଓଡ଼ିଶା ପରିପ୍ରେକ୍ଷୀରେ ଏହା ପ୍ରକାଶ କରେ ଯେ, ସେହି ବର୍ଷ ରାଜ୍ୟର ଭୌଗୋଳିକ କ୍ଷେତ୍ରର ୩୪.୪୨ ଶତାଂଶ ଅଞ୍ଚଳରେ ମୃତ୍ତିକା ଅବନତି ସଂଘଟିତ ହୋଇଥିଲା, ଯାହା ୨୦୧୧-୧୩ ତୁଳନାରେ ୦.୩୬ ଶତାଂଶ ଅଧିକ । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜାତିସଙ୍ଘ ଯେତେବେଳେ ଭୂମି ସୁରକ୍ଷାକୁ ବୈଶ୍ୱିକ ଗୁରୁତ୍ୱ ପ୍ରଦାନ କରି ସରକାରୀ ଓ ବେସରକାରୀ ସମସ୍ତ ସ୍ତରରେ ଜନଜାଗରଣ ଏବଂ କାର୍ଯ୍ୟକ୍ରମ ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି, ସେତେବେଳେ ଆମର ନୈତିକ କର୍ତ୍ତବ୍ୟ ହେଉଛି ଏହି ଅଭିଯାନରେ ସକ୍ରିୟତାର ସହ ସାମିଲ ହେବା । 

ଭୂମି ଉପରେ ଏକ ସୁସ୍ଥ ସବୁଜିମାର ଆବରଣ ବଜାୟ ରଖିବା ସହ ଜଳ ଏବଂ ବାୟୁର ପ୍ରବେଶ ନିମନ୍ତେ ସୁଗମ ପଥ ସୃଷ୍ଟିର ଆବଶ୍ୟକତା ରହିଛି । ଭାରତୀୟ ପରମ୍ପରାରେ ମାଟିକୁ ମା'ର ସମ୍ମାନ ପ୍ରଦାନ ଦର୍ଶନକୁ ବିଶ୍ୱସ୍ତରରେ ଜନପ୍ରିୟ କରି ଏହାର ସଂରକ୍ଷଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିଶ୍ଚିତ ରୂପେ ଭୂମି ସମ୍ପର୍କିତ ବିବିଧ ସମସ୍ୟାର ସମାଧାନ । ଓ ସ୍ୱାସ୍ଥ୍ୟରକ୍ଷାରେ ପଥପ୍ରଦର୍ଶକ ହେବ । ମୃତ୍ତିକା ଅବକ୍ଷୟକୁ ସୀମିତ ରଖିବା ଦିଗରେ ପ୍ରଥମ ସାମୂହିକ ପଦକ୍ଷେପ ହେଉ ବନ୍ଧ୍ୟା, ପତିତ ଜମିରେ ବୃକ୍ଷରୋପଣ ଅଭିଯାନକୁ ସଫଳତାର ଶୀର୍ଷରେ ପହଞ୍ଚାଇବା । ଜାତିସଙ୍ଘର "ଆମର ଭୂମି, ଆମର ଭବିଷ୍ୟତ । ଆମେ ପିଢ଼ି ପୁନରୁଦ୍ଧାର’ ସ୍ଳୋଗାନକୁ ବାସ୍ତବତାରେ ରୂପାନ୍ତରିତ କରିବା କାର୍ଯ୍ୟରେ ଯୁବପିଢ଼ି ସବୁଜ ଯୋଦ୍ଧାର ଭୂମିକା ନିର୍ବାହ କରିବା ହେଉଛି ଆଜିର ଆହ୍ୱାନ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.