ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ ଦେଲେ ବିସ୍ଫୋରକ ବୟାନ। କହିଲେ , କେଜ୍ରିୱାଲଙ୍କ ସହ ବଡ଼ ଘଟଣା ଘଟିବାକୁ ଯାଉଛି। ତାଙ୍କୁ ଅଡ଼ୁଆରେ ପକାଇବାକୁ ସବୁ ଯୋଜନା ପ୍ରସ୍ତୁତ ହୋଇଛି। ସଞ୍ଜୟ ସିଂହ ଶୁକ୍ରବାର କୋର୍ଟରେ ହାଜର ବେଳେ ମିଡ଼ିଆ ସାମନାରେ ଏକଥା କହିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କୁ କେବଳ ଗିରଫ କରାଯିବ ନାହିଁ , ତାଙ୍କ ବିରୋଧର ବଡ଼ ଷଡ଼ଯନ୍ତ୍ର ରହିଛି।
ମଦ ଦୁର୍ନୀତି ମାମଲା ମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ଝଟକା , ଦେବେ ଜୋରିମନା
କଡ଼ା ସୁରକ୍ଷା ମଧ୍ୟରେ ରାଉଜ ଆଭେନ୍ୟୁ କୋର୍ଟକୁ ଅଣାଯାଇଥିବା ସଞ୍ଜୟ ସଂହ ମିଡିଆ ସାମନାରେ ଦାବି କରିଛନ୍ତି କି, କେଜ୍ରିୱାଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ହୋଇଛି। କେଜ୍ରିୱାଲଙ୍କୁ ଫସାଇବା ପାଇଁ ବହୁତ ବଡ଼ ଯୋଜନା ଚାଲିଛି। କେବଳ ଗିରଫଦାରୀ ନୁହେଁ , କେଜ୍ରିୱାଲଙ୍କ ସହ ବଡ଼ ଘଟଣା ଘଟାଇବାକୁ ଯାଉଛନ୍ତି ଏହି ଲୋକେ । ହେଲେ ସେ ଏହା କହି ନାହାନ୍ତି କି , କିଏ କେଜ୍ରିୱାଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି , ଆଉ କେମିତି ତାଙ୍କୁ ଏ ସୂଚନା ମିଳିଲା। କେଜ୍ରିୱାଲଙ୍କ ସହ କଣ ଘଟଣା ଘଟିପାରେ ଏହା ଉପରେ ମଧ୍ୟ ସେ କିଛି କଥା କହି ନାହାନ୍ତି।
ଏପଟେ କୋର୍ଟ ସଞ୍ଜୟ ସିଂହଙ୍କୁ ପୁଣି ଥରେ ନ୍ୟାୟିକ ହେପାଜତରେ ଜେଲ୍ ପଠାଇ ଦିଆଯାଇଛି। ଆମ ଆଦମୀ ପାର୍ଟିର ସାଂସଦଙ୍କୁ ୨୪ ନଭେମ୍ୱର ଯାଏ ଜେଲ୍ ପଠାଯାଇଛି। ଚର୍ଚ୍ଚିତ ମଦ ଦୁର୍ନୀତିରେ ୪ ଅକ୍ଟୋବରରେ ଗିରଫ କରାଯାଇ ଥିବା ସଞ୍ଜୟ ସିଂହ ନିକଟରେ ନିଜ ସହ ଏନକାଉଣ୍ଟର ହେବାର ମଧ୍ୟ ଆଶଙ୍କା କରିଥିଲେ।
ଉଲ୍ଲେଖନୀୟ ଯେ, ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୨ ନଭେମ୍ୱରରେ ସମନ କରାଯାଇ ଥିଲା। ହେଲେ କେଜ୍ରିୱାଲ ଏହାକୁ ଅବୈଧ କହି ହାଜର ହେବାକୁ ଏଡେଇ ଦେଇଥିଲେ। ଆମ୍ ଆଦମୀ ପାର୍ଟି ଏହି କଥାର ଆଶଙ୍କା କରିଛି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇ ପାରେ। ମଦ ଦୁ୍ର୍ନୀତି ସହ ଜଡି଼ତ ମନି ଲଣ୍ଡରିଂ କେସ୍ରେ କେଜ୍ରିୱାଲଙ୍କୁ ସମନ କରାଯିବା ପୂର୍ବରୁ ସଞ୍ଜୟ ସିଂହ ଓ ମନିଷ ସିସୋଦିଆଙ୍କୁ ଗିରଫ କରାଯାଇ ସାରିଛି । ମନିଷ ସିସୋଦିଆ ଚଳିତ ବର୍ଷ ଫେବ୍ରୁଆରୀରୁ ଜେଲ୍ ବନ୍ଦୀ ଅଛନ୍ତି ।