କଳାହାଣ୍ଡି,୦୬/୦୯: ଘର ପଛପଟ ବରଗଛରୁ ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଣକ ଛେଦାପଡ଼ାର ଘାସିରାମ ନିଆଲ (୫୫) ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପାରିବାରିକ କଳହରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । କଳାହାଣ୍ଡିର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଦାପଡ଼ା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ଘାସିରାମ ଗତ ୩ ଦିନରୁ ନିଖୋଜ ଥିଲେ । ଘାସିରାମଙ୍କ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଏନେଇ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘର ପଛପଟ ବରଗଛରୁ ଘାସିରାମଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏହା ଦେଖି ଟାଉନଥାନା ପୋଲିସକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ ପରିବାର ଲୋକେ । ଖବର ପାଇ ଧାଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥି ସହିତ ବ୍ୟକ୍ତିଙ୍କର ମୃତ୍ୟୁର କାରଣ ଖୋଜି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।