ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଗତବର୍ଷ ଖଳିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତର ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ଜଷ୍ଟିନ ଟ୍ରୁଡୋ । ସେବେ ଠାରୁ ଭାରତ ଏବଂ କାନାଡା ସଂପର୍କରେ ତିକ୍ତତା ଲାଗିରହିଛି । ସମୟ ସମୟରେ ଟ୍ରୁଡୋ ଭାରତ ବିରୋଧୀ ମନ୍ତବ୍ୟ ଦେଇ ନିଜ ଦେଶରେ ବିବାଦରେ ଛନ୍ଦି ହୋଇଛନ୍ତି । କାନାଡା ସଂସଦରେ ଟ୍ରୋଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିରୋଧୀ କଂଜର୍ଭେଟିଭ ପାର୍ଟି ।
କାନାଡା ନିଜର ସହଜ ଭିସା ପ୍ରଣାଳୀ , ପ୍ରବାସୀ ପଲିସି ଏବଂ ବିଦେଶୀ ଚାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ଭାବରେ ବେଶ ଜଣାଶୁଣା । କାନାଡାରେ ସ୍ଥାୟୀ ନାଗରିକତା ନେବା ମଧ୍ୟ କଷ୍ଟସାଧ୍ୟ ନୁହେଁ । କିନ୍ତୁ ଟ୍ରୁଡୋଙ୍କ ଶାସନ କାଳରେ କାନାଡାରେ ଦରବୃଦ୍ଧି ଆକାଶଛୁଆଁ ହୋଇଛି । ଘର ଦାମ ବଢ଼ିଥିବା ବେଳେ ଟ୍ୟାକ୍ସ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ବିଦେଶୀ କର୍ମଚାରୀ ହୁଅନ୍ତୁ କିମ୍ବା କାନାଡାବାସୀ ଟ୍ରୁଡୋଙ୍କ ଉପରେ ନାରାଜ ଅଛନ୍ତି । ତେଣୁ ଜଷ୍ଟିନ ଟ୍ରୁଡୋଙ୍କ ସରକାର ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି ।
ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପିଏରେ ପୋଲିଭେରେ ମଙ୍ଗଳବାର ହାଉସ ଅଫ କମନ୍ସରେ ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ସାଂସଦମାନେ ଟ୍ରୁଡୋ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଦାବି କରିଥିଲେ । ଲୋକପ୍ରିୟତା କମିବା ପରେ ଟ୍ରୁଡୋଙ୍କ ଲାଗି ଏହା ବଡ଼ ପରୀକ୍ଷା ଥିଲା ବୋଲି କୁହାଯାଉଛି । ସେପଟେ ୨୦୨୫ରେ କାନାଡାରେ ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ହୋଇଥିବା ସର୍ଭେରେ ଜଷ୍ଟିନ ଟ୍ରୁଡୋ ପଛରେ ପଡ଼ିଥିବା ଜାଣିବାକୁ ମିଳିଛି । ତାଙ୍କ ବିରୋଧରେ ଅସନ୍ତୋଷ ଚରମରେ ପହଞ୍ଚିଥିବା ନେଇ ହୃଦୟଙ୍ଗମ କରିଥିବା ଟ୍ରୁଡୋ ଦଳୀୟ ଏଜେଣ୍ଡାରୁ ବାହାରକୁ ଯାଇ ବ୍ୟକ୍ତିଗତ ଭାବରେ ନିଷ୍ପତ୍ତି ନେଉଥିବା କୁହାଯାଉଛି ।