ନୂଆଦିଲ୍ଲୀ,୨୨/୦୮: ଭାରତକୁ ବିକଶିତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସକାଶେ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଦୀର୍ଘମିଆଦୀ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ହେବ । ତେବେ ଏ ଦିଗରେ ଏକ ବଡ଼ କଣ୍ଟା ଭାବେ ଉଭା ହୋଇଛି ମେଦବହୁଳତା । ନାଗରିକଙ୍କ ମୋଟାପଣ ଅର୍ଥନୀତିକୁ ବିକଶିତ ମାନ୍ୟତା ପ୍ରଦାନରେ ଅନ୍ତରାୟ ସୃଷ୍ଟି କରିବାକୁ ଯାଉଛି । କେନ୍ଦ୍ରର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରେ ଏ ନେଇ ସଙ୍କେତ ମିଳିଛି ।
ଘରୋଇ ଅର୍ଥ ବ୍ୟବସ୍ଥାକୁ ଯଦି ବିକଶିତ କରିବାର ଅଛି ତେବେ ନାଗରିକଙ୍କ ମୋଟାପଣ କମାଇବା ଅତ୍ୟନ୍ତ ଜରୁରି ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି । ସେମାନଙ୍କ ମୁତାବକ, ଭାରତର ସବୁଠୁ ବଡ଼ ପୁଞ୍ଜି ହେଉଛି ଯୁବ ବର୍ଗ ଜନସଂଖ୍ୟା । ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଲେ ହିଁ ଅର୍ଥନୀତିକୁ ବଳ ମିଳିବ । ସେମାନେ ସମ୍ପତ୍ତି ସୃଷ୍ଟି କରିପାରିବେ । ତେଣୁ ଯୁବଗୋଷ୍ଠୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ମେଦବହୁଳତା ବୃଦ୍ଧି ହାରକୁ କମାଇବାକୁ ହେବ ।
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରେ ଭାରତୀୟଙ୍କ ଲାଗି ସୁଷମ ଖାଦ୍ୟ ଅତ୍ୟନ୍ତ ଜରୁରି ବୋଲି କୁହାଯାଇଛି । ଜନସାଂଖ୍ୟିକ ଲାଭାଂଶ ହାତେଇବା କ୍ଷେତ୍ରରେ ମେଦବହୁଳତା ଏକ ବଡ଼ ପ୍ରତିବନ୍ଧକ ବୋଲି ମତପ୍ରକାଶ ପାଇଛି । ଅର୍ଥନୀତିକୁ ଯଦି ଶକ୍ତିଶାଳୀ କରିବାର ଅଛି, ତେବେ ଯୁବ ତଥା ପ୍ରାପ୍ତବୟସ୍କଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଜରୁରି ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ (ଏନ୍ଏଫ୍ଏଚ୍ଏସ୍-୫) ମୁତାବକ, ପୂର୍ବ ସର୍ଭେ ତୁଳନାରେ ୧୮-୬୯ ବୟସ ବର୍ଗର ପୁରୁଷଙ୍କଠାରେ ମେଦବହୁଳତା ୧୮.୯%ରୁ ୨୨.୯%କୁ ବୃଦ୍ଧି ପାଇଛି । ମହିଳାଙ୍କ କ୍ଷେତ୍ରରେ ଏହା ୨୦.୬%ରୁ ୨୪.୦%କୁ ବଢ଼ିଛି । ଭାରତୀୟ ପ୍ରାପ୍ତ ବୟସ୍କ ଜନସଂଖ୍ୟା ମଧ୍ୟରେ ମେଦବହୁଳତା ଏକ ବଡ଼ ଚିନ୍ତାଜନକ ସମସ୍ୟା ଭାବେ ଛିଡ଼ା ହୋଇଛି ।
ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଯେଉଁସବୁ ଘାତକ ରୋଗ ସୃଷ୍ଟି ହେଉଛି, ସେଥିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ୫୪% କାରଣ ସାଜୁଛି । ସହରାଞ୍ଚଳରେ ମେଦବହୁଳତା ହାର ୨୯.୮% ଥିବା ବେଳେ ଗ୍ରାମୀଣ ଭାରତରେ ଏହା ୧୯.୩% ରହିଛି । ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ଆହରଣ ବଢ଼ିବା, ପୋଷଣ ଖାଦ୍ୟ ଗ୍ରହଣ କମିବା ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଆଦି ମେଦବହୁଳତାର ପ୍ରମୁଖ କାରଣ । ପ୍ରାପ୍ତବୟସ୍କଙ୍କଠାରେ ମେଦବହୁଳତା ହାର ୩ ଗୁଣା ବଢ଼ିଛି । ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ୭୦% ସହରାଞ୍ଚଳ ଲୋକ ମେଦବହୁଳ କିମ୍ବା ଅତ୍ୟଧିକ ଓଜନବିଶିଷ୍ଟ । ୧୯୯୦ରେ ମହିଳାଙ୍କ କ୍ଷେତ୍ରରେ ମେଦବହୁଳତା ହାର ୧.୨% ଥିଲା ବେଳେ ୨୦୨୨ରେ ଏହା ୯.୮%କୁ ବୃଦ୍ଧି ପାଇଛି । ପୁରୁଷଙ୍କ କ୍ଷେତ୍ରରେ ଏହା ୧୯୯୦ରେ ୦.୫% ଥିଲା ବେଳେ ୨୦୨୨ରେ ୫.୪% ହୋଇଛି । ୨୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ମେଦବହୁଳତା ହାର ଯଦି ଦେଖାଯାଏ, ୧୯୯୦ରେ ୨୪ ଲକ୍ଷ ମହିଳା ଓ ୧୧ ଲକ୍ଷ ପୁରୁଷ ମେଦବହୁଳତାର ଶିକାର ହୋଇଥିଲେ । ୨୦୨୨ରେ ଏହି ସଂଖ୍ୟା ଯଥାକ୍ରମେ ୪.୪୦ କୋଟି ଓ ୨.୬୦ କୋଟିକୁ ବୃଦ୍ଧି ପାଇଥିଲା ।
ବିଶେଷଜ୍ଞଙ୍କ କହିବାନୁସାରେ, ଅସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ସୋସିଆଲ୍ ମିଡିଆକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିବା, ବିଶୃଙ୍ଖଳିତ ଜୀବନଶୈଳୀ ଆଦି ଯୋଗୁ ମଧୁମେହ, ହୃଦ୍ଜନିତ ରୋଗ, କିଛି କ୍ୟାନ୍ସର ଆଦି ଅସଂକ୍ରାମକ ରୋଗ ଆଶଙ୍କା ବଢ଼ିବାରେ ଲାଗିଛି । ଏହି କାରଣରୁ ଶ୍ରମଦାନ କରୁଥିବା ବୟସ ବର୍ଗ ଲୋକମାନେ ଅଧିକ ପ୍ରଭାବିତ ହେବାରୁ ଭାରତର ଅର୍ଥନୈତିକ ପ୍ରତ୍ୟାଶା ଉପରେ ଚାପ ବଢ଼ୁଛି ।
‘ଉନ୍ନତ ଅର୍ଥନୀତି ପାଇଁ ପତଳା ଭାରତ’ ଅପରିହାର୍ଯ୍ୟ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ସେମାନଙ୍କ ମତ ଯେ ଲୋକମାନେ ସେମାନଙ୍କ ଅଣ୍ଟା ମାପକୁ ନିୟମିତ ବ୍ୟବଧାନରେ ତଦାରଖ କରିବା ଆବଶ୍ୟକ । ଏହା ଯେମିତି ଅଧିକ ମାତ୍ରାରେ ନ ବଢ଼େ, ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ । ମେଦାନ୍ତା ମେଡିସିଟିରେ ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ହେପାଟୋଲୋଜି ଏବଂ ଯକୃତ ପ୍ରତିରୋପଣ ମୁଖ୍ୟ ତଥା ବରିଷ୍ଠ ନିର୍ଦ୍ଦେଶକ ଡା. ନୀଲମ ମୋହନଙ୍କ ମୁତାବକ, ସରକାର ଏ ଦିଗରେ ହସ୍ତକ୍ଷେପ କରି ମେଦବହୁଳତାର ମୁକାବିଲା କରିବା ଉଚିତ । ସେ କହିଛନ୍ତି, ପୂର୍ବରୁ ଯୁବ ବର୍ଗର ଲୋକଙ୍କ କ୍ଷେତ୍ରରେ ହୃଦ୍ଘାତ ସମସ୍ୟା ସେତେଟା ନ ଥିଲା । କିନ୍ତୁ ସମ୍ପ୍ରତି ଏହାର ଓଲଟା ଦେଖିବାକୁ ମିଳିଛି । ଅଧିକ ଯୁବ ବର୍ଗର ଲୋକ ହିଁ ହୃଦ୍ଘାତରେ ପ୍ରାଣ ହରାଉଛନ୍ତି । ଏହା ପଛରେ ମେଦବହୁଳତା ଓ ମଧୁମେହ ଭଳି ରୋଗ ଅନେକାଂଶରେ ଦାୟୀ ।
ଆସୋସିଏସନ୍ ଅଫ୍ ହେଲ୍ଥକେୟାର ପ୍ରୋଭାଇଡର୍ସ (ଇଣ୍ଡିଆ)ର ମହାନିର୍ଦ୍ଦେଶକ ଡା. ଗିରିଧର ଜ୍ଞାନି କୁହନ୍ତି, ପ୍ରତିକାରମୂଳକ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ଜାତୀୟ ନୀତିରେ ବଡି ମାସ୍ ଇଣ୍ଡେକ୍ସ (ବିଏମ୍ଆଇ)କୁ ସାମିଲ କରାଯିବା ଉଚିତ । ତାଙ୍କ ମୁତାବକ, ମୋଟା ଲୋକମାନେ ସେମାନଙ୍କ ଅଣ୍ଟା ଆକାର କମାଇବାରେ ସମର୍ଥ ହେଲେ ରକ୍ତଚାପ, ଶରୀରର ଶର୍କରା ସ୍ତର ଆଦି ନିୟନ୍ତ୍ରଣ ହୋଇପାରିବ । ଏହାଦ୍ୱାରା ମଧୁମେହ, କ୍ୟାନ୍ସର ଏବଂ ହୃଦ୍ଘାତଜନିତ ରୋଗ ଭୟକୁ କମାଯାଇ ପାରିବ । ଏଥିସହ ସ୍ୱାସ୍ଥ୍ୟକୁ ନେଇ ପିଲାମାନଙ୍କୁ ସଚେତନ କରାଇବାକୁ ହେବ ।