ଛତ୍ରପୁର, ୧୭/୦୫ : ଗଞ୍ଜାମ ଜିଲ୍ଲାରେ ପୋଲିସ ହାତରୁ ଆଇନଶୃଙ୍ଖଳା ଖସୁଛି। ଆସିକା ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଉ ୨ ଦିନ ପରେ ହେବ ନିର୍ବାଚନ। ହେଲେ ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧୀନରେ ବିଜେପି କର୍ମୀଙ୍କୁ ହତ୍ୟା ଏବଂ ହତ୍ୟା ପରବର୍ତ୍ତୀ ହିଂସା ଜିଲ୍ଲାରେ ଦୁର୍ବଳ ଆଇନଶୃଙ୍ଖଳା ଚିତ୍ର ସ୍ପଷ୍ଟ କରୁଛି। ଗତକାଲି ପୋଲସରାରେ ଦିନ ଦିପହରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ୨ ଦିନ ତଳେ କୋଦଳା ଥାନା ପୁଲିସ ୨୦୨୩ର ବହୁ ଚର୍ଚ୍ଚିତ ଦିପୁ ପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପରିଡାକୁ ଛଚିନା ଗ୍ରାମରୁ ଗିରଫ କରିଥିଲା। ତେବେ ସନ୍ଧ୍ୟାରେ ଥାନାରେ ଗାଡି ପହଞ୍ଚିଲା ପରେ ଅଭିଯୁକ୍ତକୁ ପୁଲିସ ଗାଡ଼ିରୁ ଓହ୍ଲାଇବା ବେଳେ ବିକ୍ରମଙ୍କ ସମର୍ଥକମାନେ ଥାନାରେ ପହଞ୍ଚି ପୁଲିସ ହେପାଜତରୁ ବିକ୍ରମକୁ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ପୋଲିସ ଓ ବିକ୍ରମ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସ ବିକ୍ରମକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ସୁବାସ ବେହେରା ସୂଚନା ଦେଇଛନ୍ତି।
ଯେଉଁମାନେ ଅଭିଯୁକ୍ତକୁ ଛଡ଼ାଇନେବା ପାଇଁ ଉଦ୍ୟମ କରିଛନ୍ତି ସେମାନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୂଚନା ଦେବା ସହ ସେମାନେ ଫେରାର ଥିବା କହିଛନ୍ତି। ଦିପୁ ପାତ୍ର ହତ୍ୟାକାଣ୍ଡରେ ପୂର୍ବରୁ କିଛି ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିକ୍ରମ ଫେରାର ଥିଲା। ତେବେ ଅପରାଧୀକୁ ଗିରଫ କରିବା ପରେ ତାକୁ ପୁଲିସ ହାତରୁ ଛଡାଇନେବା ଘଟଣା ଅପରାଧୀକୁ ପୁଲିସର ଚ୍ୟାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି।