ବୁରହାନପୁର : ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ଏଠାରେ ସେନାର ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍କୁ ଉଡ଼ାଇ ଦେବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ ନେପାନଗରରେ ରେଲୱେ ଟ୍ରାକ୍ରେ ଡେଟୋନୋଟର ବିଛା ଯାଇଥିଲା। ଟ୍ରେନ୍ ପହଞ୍ଚିବା ପୂର୍ବରୁ କିଛି ଡେଟୋନେଟର ଫୁଟି ଯାଇଥିଲା। ଉକ୍ତ ଘଟଣାରେ ପୂରା ଦେଶରେ ଆତଙ୍କ ଖେଳି ଯାଇଛି। ଏହାପରେ ସୁରକ୍ଷା ଏଜେନ୍ସିମାନେ ହାଇ ଆଲର୍ଟରେ ରହିଛନ୍ତି।
ରେଲୱେ ସୂତ୍ରାନୁସାରେ, ଘଟଣାଟି ୧୮ସେପ୍ଟେମ୍ୱରରେ ଘଟିଛି। ସୂଚନା ଏବେ ସାମନାକୁ ଆସିଛି। ଆର୍ମି ଯବାନଙ୍କ ସ୍ପେଶାଲ ଟ୍ରେନ୍ ଜମ୍ମୁ-କାଶ୍ମୀରରୁ କନ୍ୟାକୁମାରୀ ଯାଉଥିଲା। ଟ୍ରେନ୍ ପହଞ୍ଚିବା ପୂର୍ବରୁ ହିଁ ଟ୍ରାକ୍ରେ ରଖାଯାଇ ଥିବା ଡେଟୋନେଟର ଫାଟି ଗଲା। ଏହାପରେ ଅଧିକାରୀ ଆଲର୍ଟ ହୋଇଗଲେ ଏବଂ ଟ୍ରେନକୁ ସାଗଫୋଟା ଷ୍ଟେସନରେ ହିଁ ରୋକି ଦିଆ ଯାଇଥିଲା। କୌଣସି ବଡ଼ ଦୁର୍ଘଟଣା ଘଟି ନଥିବା ସୂଚନା ମିଳିଛି।
ଉକ୍ତ ଘଟଣା ପର ଠାରୁ ହିଁ ରାଷ୍ଟ୍ରୀୟ ଏଜେନ୍ସି ଏନଆଇଏ ଓ ଏଟିଏସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ଘଟଣାସ୍ଥଳର ନିରୀକ୍ଷଣ କରିବା ସହ ସଦିଗ୍ଧଙ୍କୁ ପଚରାପଚରି କରିଥିଲେ। ସୂତ୍ରାନୁସାରେ, କିଛି ସଦିଗ୍ଧଙ୍କୁ ହେପାଜତକୁ ମଧ୍ୟ ନିଆଯାଇଛି।
ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଏହି ଷଡ଼ଯନ୍ତ୍ର ପଛରେ କିଏ ଅଛି ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା। ହେଲେ ସୁରକ୍ଷା ଏଜେନ୍ସିମାନେ ଏହି ମାମଲାକୁ ଖୁବ୍ ଗୁରୁତର ସହ ନେଇଛି ଏବଂ ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଛି।