ପାଟନା, ୪।୧୧ : ସାଧାରଣତଃ ଲୋକେ ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି । ଯେଉଁଠାରେ ଭୁଲ୍ ଠିକ୍ର ବିଚାର ହୋଇଥାଏ । ତେବେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକମାନେ କୋର୍ଟ ବଦଳରେ ଦେବୀ ମା’ଙ୍କ ଶରଣ ନିଅନ୍ତି । କୁହାଯାଏ ଏଠାରେ ମା’ଙ୍କ କୋର୍ଟ ଚାଲେ । ଏଠାରେ ଥିବା ଦେବୀଙ୍କ ମହିମା ଉପରେ ଲୋକ ବିଶ୍ୱାସ କରୁଥିବା ବେଳେ ନ୍ୟାୟ ପାଇବା ଲାଗି ଏଠାକୁ ଦୂରଦୂରାନ୍ତରୁ ଛୁଟିଆସନ୍ତି ଭକ୍ତ । ତେଣୁ ଏହା କୋର୍ଟ ଦେବୀ ମନ୍ଦିର ଭାବେ ପରିଚିତ । ବିହାର ଛପରା ଜିଲ୍ଲାର ଭଗବାନ ବଜାର ଥାନା ଅଞ୍ଚଳରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଏକ ଐତିହାସିକ କୂଅ ମଧ୍ୟ ରହିଛି । ଏହି କୂଅର ପାଣି ପିଇବା ଫଳରେ ଗଳଗଣ୍ଡ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ମନ୍ଦିରରେ ଥିବା ପ୍ରତିମୂର୍ତ୍ତି ଦେବୀ ଦୁର୍ଗାଙ୍କ ସ୍ୱରୂପ ବୋଲି କୁହାଯାଏ । ଯେଉଁଠାକୁ ଭକ୍ତମାନେ ନ୍ୟାୟ ପାଇବା ପାଇଁ ଆସିଥାନ୍ତି । ମନ୍ଦିରକୁ ନେଇ ଲୋକଙ୍କର ଅନେକ ଅନୁଭୂତି ମଧ୍ୟ ରହିଛି । ଯାହା ବେଶ୍ ଆଶ୍ଚର୍ଯ୍ୟଜନକ । ମନ୍ଦିର ପୂଜାରୀ ରଞ୍ଜିତ ପାଣ୍ଡେଙ୍କ କହିବାନୁସାରେ, ଏକଦା ଅର୍ଥ କାରବାରକୁ ନେଇ ସେ ବହୁ ସମସ୍ୟା ଘେରରେ ଥିଲେ । ଏହାର ସମସ୍ୟାର ସମାଧାନ ପାଇଁ କୌଣସି ଉପାୟ ପାଇନଥିଲେ । ରାତି ୧ଟାରେ ସେ ଦେବୀ ମା’ଙ୍କ ମନ୍ଦିର ଯାଇଥିଲେ ଏବଂ ମାଙ୍କୁ ନ୍ୟାୟ ମାଗିଥିଲେ । ଏହାର ଠିକ୍ ପରଦିନ ସେ ନିଜ ଟଙ୍କା ଫେରସ୍ତ ପାଇଥିଲେ । ତାଙ୍କୁ ନ୍ୟାୟ ମିଳିବା ସହ ଏହା ମାଙ୍କ ଚମତ୍କାର ବୋଲି ସେ କହିଛନ୍ତି । ସେବେଠୁ ସେ ନିୟମିତ ମା’ଙ୍କ ସେବା କରିବାକୁ ନିଷ୍ପତ୍ତି ନେଲେ । ତେଣୁ ବର୍ତ୍ତମାନ ସେ ମନ୍ଦିରର ପୂଜାରୀ ଭାବେ ମା’ଙ୍କ ସେବା କରିଆସୁଛନ୍ତି । କେବଳ ସେ ନୁହଁ ତାଙ୍କ ଭଳି ଶହ ଶହ ଭକ୍ତଙ୍କୁ ମା’ ନ୍ୟାୟ ପ୍ରଦାନ କରିଥିବା ସେ କହିଛନ୍ତି ।
ସେହିପରି ମନ୍ଦିର ଟ୍ରଷ୍ଟିର ଜଣେ ସଦସ୍ୟ ନାଗେନ୍ଦ୍ର ପାଣ୍ଡେ କହିଛନ୍ତି, ପାଖାପାଖି ଅଢ଼େଇ ଶହ ବର୍ଷ ପୂର୍ବରୁ ମନ୍ଦିର ପାଖରେ ଖନନ କରାଯିବା ସମୟରେ ଏକ ପଥର ମିଳିଥିଲା । ଏହି ପଥରଟି ମା’ଙ୍କ ମୁଖ ଆକୃତି ଭଳି ଦେଖାଯିବାରୁ ଏଠାରେ ଏହି ମନ୍ଦିର ସ୍ଥାପନା କରାଯାଇଥିଲା । ତେବେ ଏହି ମନ୍ଦିର ପାଖରେ ତ୍ରିଭୁନାନନ୍ଦ ଉପାଧ୍ୟୟଙ୍କ ନ୍ୟାୟାଳୟ ଚାଲୁଥିଲା । ଏହି ସ୍ଥାନରେ ମନ୍ଦିର ସ୍ଥାପନା ହେବାରୁ ମନ୍ଦିରର ନାଁ କୋର୍ଟ ଦେବୀ ମନ୍ଦିରର ନାଁରେ ରଖାଗଲା । ନବରାତ୍ରି ୯ ଦିନ ଧରି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରୁହେ । ଯେଉଁଠାକୁ ଲୋକେ ମନସ୍କାମନା ନେଇ ଆସନ୍ତି ।