ନୂଆଦିଲ୍ଲୀ,୨୦/୮:ସିପିଆଇଏମ୍ର ସାଧାରଣ ସଚିବ ସୀତାରାମ ୟେଚୁରୀ ଅସୁସ୍ଥ। ଏନେଇ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ତୁରନ୍ତ ପ୍ରଥମେ ଏମ୍ସର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି।
ତେବେ ସୂଚନା ମୁତାବକ, ସୀତାରାମ ୟେଚୁରୀଙ୍କୁ ଗତକାଲି ସନ୍ଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲ ତରଫରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ବିଷୟରେ କୌଣସି ସୂଚନା ମିଳିନାହିଁ। ସିପିଆଇ (ଏମ୍) ସୂତ୍ରରୁ ପ୍ରକାଶ ଯେ, ୭୨ ବର୍ଷୀୟ ସୀତାରାମ ନିମୋନିଆରେ ଆକ୍ରନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ନିକଟରେ ସିପିଏମ୍ ନେତା ମୋତିଆବିନ୍ଦୁର ମଧ୍ୟ ଅସ୍ତ୍ରୋପଚାର କରିଥିଲେ। ସୀତାରାମ ୟେଚୁରୀ ସିପିଆଇ (ଏମ୍)ର ପୋଲିଟ ବ୍ୟୁରୋର ସଦସ୍ୟ ମଧ୍ୟ ଅଟନ୍ତି। ସେ ୧୯୯୬ ମସିହାରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିଥିଲେ। ସେହିପରି ସେ ୨୦୦୪ରେ UPA ଗଠନ ସମୟରେ ସେ ଏକ ମେଣ୍ଟ ଗଠନ କରିବା ପ୍ରୟାସରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୂଚନା ମିଳିଛି ।