ଫୁଲବାଣୀ, ୧୦/୬ : ଖଜୁରୀପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା। ବାରମ୍ବାର ଅଭିଯୋଗ ସତ୍ତ୍ଵେ କୌଣସି ସମାଧାନ ହେଉନଥିବାରୁ ସୋମବାର ସକାଳୁ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଗୁଦାରୀ ଆରଆଇ ଅଫିସ୍ ନିକଟସ୍ଥ ଫୁଲବାଣୀ-ଭୁବନେଶ୍ୱର ମୂଖ୍ୟରାସ୍ତା ଅବରୋଧ କରାଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବହୁ ଦିନ ହେଲା ପାନୀୟ ଜଳ ସମସ୍ୟା ରହିଛି। ଏନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନୟନ୍ନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଲାପରେ ବି କୌଣସି ସମାଧାନ ହେଉନି। ଫଳରେ ଗ୍ରାମବାସୀମାନେ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଖୁବ୍ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଲୋକେ ଦାବୀ କରିଛନ୍ତି। ଶତାଧିକ ପୁରୁଷ ଓ ମହିଳା ହାଣ୍ଡି, ବାଲଟି ରଖି ରାସ୍ତା ଅବରୋଧ କରି ରହିଛନ୍ତି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଛନ୍ତି।