ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଚେତନ ବିଶ୍ୱ

ଭୁବନେଶ୍ୱର: ମଣିଷ ଭାବେ ସେ ସ୍ୱତନ୍ତ୍ର । ବିଶେଷଭାବେ ପାଶ୍ଚାତ୍ୟ  ସଭ୍ୟତା ଓ ସାହିତ୍ୟ ଦ୍ୱାରା ଯେହେତୁ ଆମର  ଶିକ୍ଷାବ୍ୟବସ୍ଥା ପ୍ରଭାବିତ, ସ୍ୱାଧୀନତା, ସ୍ୱତନ୍ତ୍ରତା ଆମ  ପାଇଁ ଚରମ ମୂଲ୍ୟବୋଧ ପାଲଟି ଯାଇଛି । ସ୍ଥିତିବାଦୀ  ଦାର୍ଶନିକମାନେ ଏହି ସ୍ୱତନ୍ତ୍ର ଧାରାକୁ ବତାଇଦେଲେ ଯେତେବେଳେ ସେମାନେ କହିଲେ ଏ ବିଶ୍ୱ ଐଶ୍ୱରିକ  ଶକ୍ତି ଦ୍ୱାରା ପରିଚାଳିତ ନୁହେଁ । ମଣିଷ କୌଣସି  ବିଶ୍ୱାସର ଛତା ତଳେ ଆଶ୍ରିତ, ସୁରକ୍ଷିତ ନୁହେଁ । ସେ  ତା' ର ଜୀବନ ଗଢ଼ିବା ଲାଗି ସ୍ୱତନ୍ତ୍ର । ସେ ମୂଲ୍ୟବୋଧ  ନେଇଆସେ ନାହିଁ ବରଂ ମୂଲ୍ୟବୋଧ ଚୟନ କରି ବଞ୍ଚେ । ବିଜ୍ଞାନ ଶାସ୍ତ୍ରଜ୍ଞମାନେ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱ  ପ୍ରାଣଶକ୍ତିକୁ ସ୍ୱୀକାର କରିନଥିଲେ । ଏବେ ମଧ୍ୟ ସେହି  ବିଜ୍ଞାନ ବିଶ୍ୱଧାରଣାକୁ ଆବୋରି ରହିଛି । 

ଏ ବିଶ୍ୱ ଏକ  ଜଡ଼ ପିଣ୍ଡ । ଏହା କେତେକ ସମୟ ବିସ୍ତାର ନିୟମ ଦ୍ୱାରା  ପରିଚାଳିତ । ଏବେ କିନ୍ତୁ ଏହି ଧାରଣା ବଦଳି ଆସୁଛି । ଯେଉଁମାନେ ଓପେନହାମରଙ୍କ ସଂପର୍କରେ ଜାଣନ୍ତି  ଏବଂ ଏହିବର୍ଷ ସେହି ସିନେମା ଦେଖିଛନ୍ତି ସେମାନେ  ବୁଝିପାରିବେ ଯେ ଯିଏ ପ୍ରକୃତ ବିଜ୍ଞାନୀ ସେ ଏ ବିଶ୍ୱ  ସନ୍ତୁଳନ, ଶୃଙ୍ଖଳାକୁ ଏକ ଆଧ୍ୟାତ୍ମିକ ଶକ୍ତି ଏକକ ଭାବେ  ଗ୍ରହଣ କରିବେ । ଶେଷ ପର୍ଯ୍ୟାୟରେ ବିଶିଷ୍ଟ ବୈଜ୍ଞାନିକ ସ୍କ୍ରେ ଡିଙ୍ଗର ବିଶ୍ୱରେ ନୈସର୍ଗିକ ଏକତ୍ୱକୁ ସ୍ୱୀକାର  କରିଛନ୍ତି । ଞଷର ଞବକ୍ଟ କ୍ଟଲ ଚଷଚ୍ଚଗ୍ଦସମଗ୍ଦ ପୁସ୍ତକର ବିଜ୍ଞାନ  ଓ ଆଧ୍ୟାତ୍ମିକତା ତଥା ଭାରତୀୟ ମିଥ୍‌ମାନଙ୍କ ମଧ୍ୟରେ  ସଂଯୋଗ ପ୍ରଦର୍ଶନ କରି ବିଶ୍ୱବିଖ୍ୟାତ ହୋଇଥିଲା ।  ଶିକ୍ଷିତ ବ୍ୟକ୍ତି, ଷ୍ଟ୍ରିଙ୍ଗ ଥିଓରୀ ଉପରେ ଆଲୋଚନା କରି  ଏହି ବିଶ୍ୱକୁ ଏକ ଚେତନ ବିଶ୍ୱଭାବେ ସ୍ୱୀକାର କରନ୍ତି ।  

କିନ୍ତୁ ଆଶ୍ଚର୍ଯ୍ୟର କଥା, ଭାରତୀୟ ଶିକ୍ଷାବ୍ୟବସ୍ଥାରେ  ଏହାର ସୂଚନା ନାହିଁ । କୌଣସି ପରିବର୍ତ୍ତନ ନାହିଁ । ସେହି  ବିଦେଶୀ ଅର୍ଥନୀତି, ରାଜନୀତି ସାହିତ୍ୟ ତତ୍ତ୍ୱ ଆମେ  ପଢ଼ୁ ଏବଂ ତାହା ହିଁ ପ୍ରକୃତ ଜ୍ଞାନ ବୋଲି ଗ୍ରହଣ କରୁ ।  ମୋର ପ୍ରବନ୍ଧ ଲେଖିବାର ଉଦ୍ଦେଶ୍ୟ ବିଜ୍ଞାନ ଆଲୋଚନା  ନୁହେଁ । ମୁଁ କହିବାକୁ ଚାହେଁ ଯେ ଏ ବିଶ୍ୱ ଏକ  ଚେତନାର (ବ୍ରହ୍ମଚେତନା) ଏକକ । ମଣିଷ, ପଶୁପକ୍ଷୀ,  ମାଟିଗୋଡ଼ି, ପାଣି ପବନ- ସମସ୍ତେ ଏକ ଚେତନ ଶକ୍ତି  ଦ୍ୱାରା ପରିଚାଳିତ । ଏ ବିଶ୍ୱ ଏକ ମହାଏକକ ବ୍ୟବସ୍ଥା  ଯାହା ଭାରତୀୟ ପଣ୍ଡିତମାନେ କହିଛନ୍ତି ପାଶ୍ଚାତ୍ୟ  ସଭ୍ୟତା ଆରମ୍ଭର ବହୁ ପୂର୍ବରୁ । ଏ ବିଶ୍ୱ ଅଚେତନ ନୁହେଁ, ଜଡ଼ ନୁହେଁ । ମାଟି, ପାଣି,  ଅଗ୍ନି, ଆକାଶ ଭଳି ଉପାଦାନମାନେ ସ୍ପର୍ଶ, ଗନ୍ଧ ସହିତ  ଚେତନା ସଚଳ । 

ମଣିଷ ଯେହେତୁ ମୁଁ ମୁଁ ହେଇ ମାଟିର  କଥା, ବ୍ୟଥା, କରୁଣା, ସୃଜନଶୀଳତା ବୁଝିପାରେନାହିଁ  ସେ ମାଟିକୁ ନିର୍ଜୀବ କହେ । ଅନ୍ଧାର ମଧ୍ୟ ଏ ବିଶ୍ୱରେ  ଆଲୋକର ଭିନ୍ନ ଏକ ରୂପ । ମଣିଷ ଯେହେତୁ ନିଜର  ଇଚ୍ଛା ଅନୁସାରେ ଉପାଦାନମାନଙ୍କୁ ବ୍ୟବହାର କରେ  ସେ ଭାବେ ଏଗୁଡ଼ିକ ମୋର ଭୋଗ୍ୟବସ୍ତୁ । ହଁ ଭୋଗ୍ୟ,  କାରଣ ସେମାନେ ମଣିଷକୁ ଜୀବନ ଦିଅନ୍ତି । ସେମାନଙ୍କର  ହତାଦର ଯେଉଁମାନେ କରନ୍ତି ସେମାନେ ତା'ର ପରିଣାମ  ଭୋଗନ୍ତି । ଯେମିତି ଏବେ ବେଙ୍ଗାଲୁରୁ ସହରରେ ଲୋକେ  ଭୋଗନ୍ତି । ଏ ପୃଥିବୀକୁ ମୋର କହିବାରେ ଦୋଷ  ନାହିଁ, କିନ୍ତୁ ଏହା ଅଚେତନ ଜଡ଼ । ତେଣୁ ଚେତନଶୀଳ  ମଣିଷ ଯାହା ଇଚ୍ଛା ତାହା କରିପାରେ ବୋଲି ଭାବିବାଟା  ହିଁ ଅପରାଧ । ଆଜି ସମଗ୍ର ବିଶ୍ୱରେ ପର୍ଯ୍ୟାବରଣର  ପରିବର୍ତ୍ତନ ଏକ ସଂକଟ ସୃଷ୍ଟି କରିଛି: ସ୍ଥିତି ସଂକଟ ।  ଏହାର କାରଣ ହେଲା ଆମର ନିର୍ବୋଧତା । ଆମେ  ଏପର୍ଯ୍ୟନ୍ତ ବୁଝିନାହୁଁ ଏ ପୃଥିବୀ କ’ଣ? ୱେଇନବର୍ଗଙ୍କ  ବିଗ୍‌ ବ୍ୟାଙ୍ଗ ଏବଂ ତିନି ମିନିଟର ସୃଷ୍ଟି? ବୈଜ୍ଞାନିକମାନେ  କହନ୍ତି ଏ ପୃଥିବୀର ସଂପ୍ରସାରଣ ସଂକୋଚନ ଏବେ  ମଧ୍ୟ ରହିଛି । ତେଣୁ ଏବେ ପଚାରିବାକୁ ହେବ ଚେତନା  (Consciousness) କ’ଣ? ଚେତନା ପ୍ରଥମେ  ଆତ୍ମସଚେତନତା । ଦ୍ୱିତୀୟରେ ପରିବେଶ, ସ୍ଥିତି ଓ ବିଶ୍ୱ  ସଚେତନତା । ଏହି ଦୁଇ ଚେତନା ଅଲଗା ନୁହେଁ, କାରଣ  ମଣିଷର ଆତ୍ମସଚେତନତା ବିଶ୍ୱଚେତନା ପରିପ୍ରେକ୍ଷୀରେ  ହିଁ ବୁଝିବା ସମ୍ଭବ ହୁଏ । 

ମଣିଷର ମନ ଚେତନାର  କେନ୍ଦ୍ର ବୋଲି ଆଗରୁ ଧାରଣା ରହିଛି । କିନ୍ତୁ ଆଜିର  ଚିନ୍ତାନାୟକମାନେ ସଂପୂର୍ଣ୍ଣ ଶରୀର ଏହି ଚେତନାପୁଷ୍ଟ  ଏକକ ବୋଲି ବିଶ୍ୱାସ କରନ୍ତି । ବାହ୍ୟଜଗତର ପ୍ରାଣୀ,  ଜଳ-ମାଟି-ଆକାଶ ଇତ୍ୟାଦି ଏହି ମନ ମାଧ୍ୟମରେ,  ଇନ୍ଦ୍ରିୟ ମାଧ୍ୟମରେ ମଣିଷର ଚେତନା ସୃଷ୍ଟିକରେ । ଇଚ୍ଛା,  କଳ୍ପନା, ସ୍ୱପ୍ନ ପ୍ରଭୃତି ଏହି ଚେତନାର ପରିପ୍ରକାଶ ।  ଏହି ବ୍ୟକ୍ତିଚେତନା, ଗୋଷ୍ଠୀଚେତନା, ଜାତିଚେତନା  ପରିପାଶ୍ୱର୍ିକ ଜଳବାୟୁ ଓ ସମୟ ବିଚାରର ବିଶ୍ୱ ସହିତ  ସଂଯୋଗିତ । ଆଲୋକ-ଉତ୍ତାପ, ଶୀତ-ବରଫ, ବସନ୍ତ- ନିଦାଘ ଯେମିତି ପରିପାଶ୍ୱର୍କୁ ଘେରିଥିଲେ, ମଣିଷର ମନ  ମଧ୍ୟ ସେହି ବାହାର ପରିବେଶ ସହିତ ସମତାଳିକ ହୁଏ ।  ନିଦ୍ରାବସ୍ଥାରେ ମଧ୍ୟ ଚେତନା ସ୍ୱପ୍ନ ନୁହେଁ । ସେଥିପାଇଁ  ବିଷ୍ଣୁଙ୍କ ଅନନ୍ତଶୟନର କଳ୍ପନା କରାଯାଇଛି ଯାହା ଏକ  କାବ୍ୟିକ ମେଟାଫର ।

ବିଷ୍ଣୁ ଯଦି ବିଶ୍ୱନିୟନ୍ତା, ବିଶ୍ୱ  ପ୍ରାଣଶକ୍ତିର ସଞ୍ଚାଳକ ସେ କେବେହେଲେ ନିଦ୍ରାରେ  ଅଚେତନ ହେବେନାହିଁ । ପୁଣି କହିବି ଅଚେତନ ବୋଲି  କିଛି ନାହିଁ । ଅଚେତନ କହିଲେ ମୃତ୍ୟୁ । ବୈଦିକ ଋଷି,  ଦାର୍ଶନିକ, ଚିନ୍ତକମାନେ ସେଥିପାଇଁ ଓଁକାର ଉଚ୍ଚାରଣ  କରନ୍ତି । ଏହା ବିଶ୍ୱର ଆଦ୍ୟପ୍ରାନ୍ତର ସୃଜନ ଧ୍ୱନି ତରଙ୍ଗ  ଯାହା ସମୟର ସୀମା ଡେଇଁ ଅସୀମକୁ ଯାଏ । ଏହି  ଓଁକାର ଅ-ଉ-ମ ମିଶି ଗଢ଼ା ହୋଇଛି । ଛାନ୍ଦୋଗ୍ୟ  ଉପନିଷଦରେ ଏହାର ବିଶ୍ଳେଷଣ ରହିଛି । ସଂକ୍ଷେପରେ  ଓଁକାର ବିଶ୍ୱଚେତନାର ତିନିଟି ସ୍ତର, ଯାହା ପରସ୍ପରଠାରୁ  ବିଚ୍ଛିନ୍ନ ନୁହେଁ । ସେ ତିନି ସ୍ତର ହେଲା- ନିଦ୍ରିତ ଚେତନା,  ଜାଗ୍ରତ ଚେତନା ଏବଂ ସ୍ୱପ୍ନ ଚେତନା । ମନୋବିଜ୍ଞାନୀମାନେ  କହନ୍ତି ଞଷର ମରଦ୍ଭଗ୍ଦକ୍ଟକ୍ସ କ୍ଟଲ ଗ୍ଧଷର ଜ୍ଞସଦ୍ଭୟ ସଗ୍ଦ ଦ୍ଭରଙ୍ଖରକ୍ସ  ବଗ୍ଦକ୍ଷରରକ୍ଟ୍ର. ମନର ସନ୍ତୁଳିତ ବିଶ୍ଳେଷକ କେବେ ଶୁଏନାହିଁ ।  ନିଦ୍ରାବସ୍ଥାରେ ପ୍ରତ୍ୟେକ ମଣିଷ ଅତି କମ୍‌ରେ ତିନିଶହ  ସ୍ୱପ୍ନ ଦେଖେ । ଅର୍ଥାତ୍‌ ଭଙ୍ଗା-ଗଢ଼ା ଚାଲିଥାଏ । ବ୍ୟକ୍ତି  ହୁଏତ ସବୁ ମନେ ରଖିପାରେ ନାହିଁ । ଜାଗ୍ରତ ଚେତନାକୁ ମଣିଷ ପ୍ରାଧାନ୍ୟ ଦିଏ । ଏହି  ଚେତନା କର୍ମ କରାଏ । ପରିବେଶ, ବିଶ୍ୱସ୍ଥିତି ସହିତ  ଯୋଡ଼େ । ଚିନ୍ତା ବିସ୍ଫୋରଣ, ଚିନ୍ତା ବିଶ୍ଳେଷଣ, ସୃଜନ ପ୍ରକ୍ରିୟା  ସଦା ଜାଗ୍ରତ । କାହାର ବା ଚିନ୍ତାବିଭ୍ରାଟ ଘଟେ । ଅବଶ୍ୟ  ପ୍ରଶ୍ନ ହୋଇପାରେ ଚିନ୍ତାବିଭ୍ରାଟ କାହିଁକି ହୁଏ? କାରଣ ଏ  ମହାବିଶ୍ୱ ଏକ ସ୍ଥିର ଏକକ ନୁହେଁ । ଏହାର ବିଭିନ୍ନ ରଙ୍ଗ  ଅଛି, ଗତି ଅଛି, ଧ୍ୱନି ଅଛି ଏବଂ ବେଳେବେଳେ ଯେମିତି  ପବନ ଆଉଜିଯାଏ ସେମିତି ମଣିଷ ତାର ଚେତନା  ପ୍ରଖରତାକୁ ଜାଗ୍ରତ ରଖିପାରେନାହିଁ । ଜାଗ୍ରତ ଚେତନା  ସୃଷ୍ଟିଶୀଳ ଯାହା ବିଶ୍ୱଧର୍ମ । ମଣିଷ ଏକ ସଦାଜାଗ୍ରତ  ପ୍ରାଣୀ । ଯେମିତି ସ୍ୱାଧୀନତା ରକ୍ଷାପାଇଁ ସଦାଜାଗ୍ରତ  ରହିବାକୁ ହୁଏ (The censor of the mind is never asleep.) ।ସେହିପରି ଜୀବନର ଅର୍ଥ  ଚେତନାର କର୍ମ ପରିସର ବୃଦ୍ଧି ପାଇଁ ଜାଗ୍ରତ ପ୍ରଚେଷ୍ଟା ।  

ଚିନ୍ତା-ଦୁଶ୍ଚିନ୍ତା, ଜୟ-ପରାଜୟ ସହିତ ଏହା ସଂପର୍କିତ  ନୁହେଁ । ଯଦି ସମସ୍ତେ ଏକପ୍ରକାର କର୍ମ କରି ଜାଗ୍ରତ ରହି  ଏକା ସୃଷ୍ଟି କରିବେ ଚେତନାର ଅର୍ଥ ବିଗିଡ଼ିଯିବ । କାରଣ  ଚେତନା ଏକ ପ୍ରବାହ, ଯାହା ପରିସ୍ଥିତି, ପରିବେଶ,  ସମୟ, ଋତୁ ପ୍ରଭୃତିକୁ ନେଇ ଗତିକରେ । କେତେବେଳେ  ଏହି ଗତି ଧିମା ହୁଏ, କେତେବେଳେ ପ୍ରଖର ହୁଏ ।  ମଣିଷ ସେଥିପାଇଁ ଏକାପ୍ରକାର ନୁହେଁ । ଆକାର, ସ୍ୱଭାବ  ଭିନ୍ନ । ସଭ୍ୟତାରେ ଭାଷା ମଧ୍ୟ ଭିନ୍ନ । ସବୁ ଓଡ଼ିଆ ସମାନ  କଥା କହନ୍ତିନାହିଁ, ପ୍ରେମର ଭାଷା ଏକ ନୁହେଁ । ଘୃଣାର  ଭାଷା ମଧ୍ୟ ଏକ ନୁହେଁ । ଶକ୍ତି ଏକା ମାପର ନୁହେଁ ।  ଆମର ବୈଦିକ ସ୍ରଷ୍ଟାମାନେ ସେଥିପାଇଁ କହିଛନ୍ତି ସତ୍ୟ  ଏକ, ପଣ୍ଡିତମାନେ (ମୂର୍ଖମାନେ ମଧ୍ୟ) ଏହି ସତ୍ୟକୁ  ବିଭିନ୍ନ ଭାଷା ଶବ୍ଦ ସ୍ଥଳରେ କହନ୍ତି । ତେଣୁ ଆମର ବିଶ୍ୱ  ଏତେ ପ୍ରାଣମୟ, ଏତେ ବିଚିତ୍ର । ଜୀବନ ବହୁରଙ୍ଗୀ,  ଶତରୂପା ଏବଂ ଆନନ୍ଦମୟ । ଜାଗତ ଚେତନାର ପରିଭାଷା  ହିଁ ଜୀବଜଗତର ବିଶ୍ୱବିଚିତ୍ରା ।

 ଜାଗ୍ରତ ଚେତନା ବ୍ୟକ୍ତିର  ଜୀବନ ପ୍ରହରୀ । ଏହି ପ୍ରହରୀ ଇନ୍ଦ୍ରିୟ ମାଧ୍ୟମରେ ଯେଉଁ  ଚିତ୍ର ସଂଗ୍ରହ କରେ ତାହା ତା'ର ମନକୁ ବିଶ୍ୱଧାରଣା  ଦିଏ । ସବୁ ଦୃଷ୍ଟି ସମାନ ନୁହେଁ, ହେବା ଉଚିତ ବି ନୁହେଁ ।  ଏହି ମନ ବାହାର ବିଶ୍ୱର ବିଶାଳତା, ଗଭୀରତା, ବ୍ୟାପ୍ତି  ମାପେ । ଯିଏ ଯେତିକି ମାପିଲା ସେ ସେହି କଥା କୁହେ,  ଲେଖେ (ଯେ ପକ୍ଷୀ ଉଡ଼େ ଯେତେ ଦୂର) । ଯେଉଁମାନେ  ଜାଗ୍ରତ ଚେତନାକୁ ନିଶ୍ଚେତ କରନ୍ତି (ଯାହା ଘଟିନାହିଁ)  ସେମାନେ ବଞ୍ଚନ୍ତିନାହିଁ କେବଳ ରହନ୍ତି । ସ୍ୱପ୍ନ ଚେତନା  ରାତିର ନିଦ୍ରିତ ଅବସ୍ଥାର ସ୍ୱତନ୍ତ୍ର ଆଲୋଡ଼ନ ନୁହେଁ । ମଣିଷ  ସ୍ୱପ୍ନ ଦେଖେ ନିଜର ବ୍ରହ୍ମ ଉଦୟ(Enlightenment) ପାଇଁ । କର୍ମ ଚିନ୍ତାର ମାର୍ଗ ଉନ୍ମୋଚନ ପାଇଁ ମଣିଷ ସ୍ୱପ୍ନ  ଦେଖେ । ଖୋଲା ଆଖିର ସ୍ୱପ୍ନ ହିଁ କର୍ମପ୍ରେରଣା ଦିଏ  ବ୍ରହ୍ମଲୋକ ରାଶି । ଚେତନାର ଏହି ତିନି ସ୍ତର ଅନନ୍ତଶୟନ  ଚେତନା, ଜାଗ୍ରତ ଚେତନା ଓ ସ୍ୱପ୍ନ ଚେତନା ପରସ୍ପରର  ସହିତ ସଂପୃକ୍ତ । ଅତୀତ ବର୍ତ୍ତମାନ ଭବିଷ୍ୟତ ଯେମିତି  ସମୟର ସରଳରେଖା ହୋଇ ଇନଫିନିଟିକୁ ଲମ୍ବିଯାଏ,  ବ୍ୟକ୍ତିଚେତନା ମଧ୍ୟ ସେମିତି ତାର ଜୀବନ କାଳଖଣ୍ଡ  ପରି ଗୋଟିଏ ସ୍ରୋତର ବହୁ ମୋଡ଼ ବହୁ ଉତାରଚଢ଼ାଉ ନେଇ ଶେଷହୁଏ କିଛି ଅନୁଭୂତ ଚେତନାର  ଆଲୋକରେ । ଜୀବଜଗତ ମଧ୍ୟ ସ୍ୱତନ୍ତ୍ର ଚେତନା ଧାରଣ  କରେ । ପଶୁପକ୍ଷୀ, କୀଟପତଙ୍ଗ ଭିନ୍ନ ଏକ ଧାରାରେ  ଚେତନାର ଉତ୍ତରଣ ପାଇଁ ଚେଷ୍ଟାରତ । ଆମର ମହାବିଶ୍ୱ  ଏକ ମହାଚେତନା ଯାହା ସବୁ ଜୀବ, ନିର୍ଜୀବ ଓ ଜଡ଼  ଚଞ୍ଚଳ ଉପାଦାନ ନେଇ ବ୍ରହ୍ମଚେତନାର ଘୋଷଣା କରେ ।  ପାଶ୍ଚାତ୍ୟ ଦର୍ଶନରେ ଯେଉଁ ମହାଗ୍ରହ ସଂଗୀତ(Music of the Spheres) କଥା କୁହାଯାଇଛି ତାହା ଏକ ସତ୍ୟ ।  ଅନ୍ତରୀକ୍ଷରେ ମଧ୍ୟ ସଂଗୀତ ଅଛି । ପଥର ମଧ୍ୟ କଥା କୁହେ  ତା’ ଭାଷାରେ । ମାଟି କଥା କହେ ଭିନ୍ନ ଭାଷାରେ । ମଣିଷର  ଚେତନା ଯେତେବେଳେ ଏହି ପ୍ରକୃତିବାର୍ତ୍ତା ବୁଝିପାରେ ସେ  ମହାଚେତନାର ଆଲୋକ ପାଏ । 

ବିଶ୍ୱର ଶ୍ରେଷ୍ଠ ସାହିତ୍ୟିକ ସେକ୍ସପିୟର ଏହି  ମର୍ମ ବୁଝିଥିଲେ ବୋଲି ଲେଖିଛନ୍ତି-'ଞ-'There are books in the running brooks/ tongues in trees, sermos in stones/ and good in everything'. (As You Like It)। ଅର୍ଥାତ୍‌  ଝରଣାର କୁଳୁନାଦରେ ଗ୍ରନ୍ଥ ରହିଛି । ଗଛର ଜିଭ ଅଛି  ଏବଂ ସେ କହିଚାଲିଛି । ପଥର ମଧ୍ୟ ଅମୃତବାଣୀ ଶୁଣାଇ  ଚାଲିଛି ଏବଂ ବିଶ୍ୱର ସବୁଥିରେ ଭରିରହିଛି ମହତ୍‌  ପଣ । ଭାରତୀୟମାନେ ମଧ୍ୟ ଏହି କଥା କହିଛନ୍ତି ।  ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ଏହି ମହାଚେତନାର ସମନ୍ୱିତ  ମର୍ଯ୍ୟାଦା କଥା କୁହନ୍ତି । ଗୁଣ ନିର୍ଣ୍ଣୟ ବୋଲି କିଛି ନାହିଁ ।  ସଚେତନ ଅଚେତନ ବୋଲି କିଛି ନାହିଁ । ତୁଳସୀଦାସ  କହନ୍ତି ‘ସଗୁଣ ଅଗୁଣ ଦୁଇ ଏକ ସମାନ’ । ଆଜିର  ବିଜ୍ଞାନ ବିଶ୍ୱ ଏହି ଦିଗକୁ ଆଗେଇ ଚାଲିଛି । ପ୍ରତ୍ୟେକ  ବ୍ୟକ୍ତି ତାର ନିଜ ପରିସର ମଧ୍ୟରେ ଏହି ମହାଚେତନାର  ସନ୍ଧାନ କରୁଛି । ଏହା ପାଇବାକୁ ହେଲେ ମୁଁ-ଅହଂ ତ୍ୟାଗ  କରିବାକୁ ହେବ । ବିଶ୍ୱପ୍ରକୃତିର ସବୁ ବିଭାବ (ବସନ୍ତ,  ପତ୍ରଝଡ଼ା, ବରଫ) ଗ୍ରହଣ କରିବାକୁ ହେବ । 

ଯେଉଁମାନେ ଜେମ୍ସ ଲଭଲକ୍‌ଙ୍କ ‘ଗାଇଆ’ ତତ୍ତ୍ୱ  ସହିତ ପରିଚିତ ସେମାନେ ବୁଝିପାରିବେ ଯେ ପ୍ରକୃତି  ପୃଥିବୀ ଏକ ନାରୀ ଗାଇଆ (ଗ୍ରୀକ ନାମ) । ନାରୀ ପରି  ସେ ସବୁ ଧାରଣ କରେ । ପୃଥିବୀ କିପରି ଚେତନଶୀଳ  ନାରୀ ତାକୁ ଲଭଲକ୍‌ କେମିଷ୍ଟ୍ରି ପରି ବୁଝାଇଛନ୍ତି । ଏହି  ତତ୍ତ୍ୱ ପାଇଁ ଲଭଲକ୍‌ ନୋବେଲ ପୁରସ୍କାର ପାଇଥିଲେ ।  ଭାରତୀୟମାନେ ମଧ୍ୟ ପ୍ରକୃତିକୁ ଏକ ଜୀବନ୍ତ ସଚେତନ  ଏକକ ଭାବେ ଗ୍ରହଣ କରନ୍ତି, ଯାହା ମଣିଷର ପ୍ରଦର୍ଶନ  ମଞ୍ଚ ଆତ୍ମସନ୍ଧାନରେ । 

ଶେଷରେ ବିଜ୍ଞ ପାଠକମାନଙ୍କୁ ବିଶ୍ୱବ୍ୟାଙ୍କର ଜଣେ  ଅତୀତ କର୍ମଚାରୀ ଯିଏ ପୃଥବୀକୁ ଏକ ଚେତନବିଶ୍ୱ  କହନ୍ତି ତାର କିଂଚିତ ସୂଚନା ଦେଉଛି । ତାଙ୍କ ନାମ ହେଲା  Alfredo Sfier Younis  ଏବଂ ସେ ଏକ ଚିନ୍ତାନାୟକ  ମଧ୍ୟ । ସେ କହନ୍ତି ଯେ ଏ ବିଶ୍ୱ ଏକ ମହାଚେତନାର  ମହାସାଗର । ମଣିଷ ତା’ ଭିତରେ ସ୍ୱତନ୍ତ୍ର ଚେତନାର ଦ୍ୱୀପ  ନୁହେଁ, ସେ ମଧ୍ୟ ସେହି ମହାସାଗରର ବିନ୍ଦୁ । ବିଶ୍ୱପ୍ରକୃତି  ତାର ଜ୍ଞାନାଲୋକ ସନ୍ଧାନ କରେ ଜୀବ ବିବିଧତାକୁ  କୋଳରେ ଧରି । ତେଣୁ ଅର୍ଥନୀତି, ରାଜନୀତି, ସମାଜନୀତି  ସବୁକୁ ଏକାଠି ନମିଶାଇଲେ ଅର୍ଥାତ୍‌ ଏକତ୍ର ବିକାଶ ପାଇଁ  ଚିନ୍ତା ନକଲେ ଅସ୍ଥିରତା, ଯୁଦ୍ଧ ଇତ୍ୟାଦି ଘଟିଚାଲିବ ।  ପ୍ରକୃତି ମଣିଷକୁ ଯେତେ ଦରକାର କରେନାହିଁ ମଣିଷ  ପ୍ରକୃତିକୁ ସେତେ ନିଜର କରିବା ଉଚିତ, କାରଣ ପ୍ରକୃତିକୁ  ଛାଡ଼ି ମଣିଷର ସ୍ଥିତି ଅସମ୍ଭବ । 

ତେଣୁ ଆମର ଆତ୍ମା-ପରମାତ୍ମା (ବ୍ରହ୍ମନ୍‌) ଯାହା  ଏକ ବୋଲି ଆମର ଶାସ୍ତ୍ରଜ୍ଞ ପଣ୍ଡିତମାନେ କହିଛନ୍ତି  ତାହା ଗ୍ରହଣ କରିବାକୁ ହେବ । ଯଦି ଅହଂ ପରିଚାଳିତ  ହୋଇ ଆତ୍ମା ରହେ ତାହା ବ୍ରହ୍ମନ୍‌ରୁ ବିଚ୍ଛିନ୍ନ ହୁଏ । ତେଣୁ  ପାଠକେ ମୁଁ ନୁହେଁ ଆମେ, ଆମ୍ଭେମାନେ ଚେତନାରେ ଜୀବନର କାଳଖଣ୍ଡକୁ ପରିଚାଳିତ କରନ୍ତୁି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.