ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦଳ, ନେତାଙ୍କ ଫୋନ୍‌ରେ ଲୋକ ଟେନ୍‌ସନ୍‌, ଆପଣଙ୍କୁ ଅନେକ ଯୋଜନାରେ ସୁବିଧା ମିଳିଛି.. ଆମକୁ ଯୋଡି ଚିହ୍ନରେ ଭୋଟ୍‌ ଦେବେ...

ଭୁବନେଶ୍ୱର ୦୫/୦୫ (ମନୋରଂଜନ ମହାନ୍ତି): ‘ନମସ୍କାର ଆଜ୍ଞା, ମୁଁ ... ପାର୍ଟି କାର୍ଯ୍ୟାଳୟରୁ କହୁଥିଲି । ଆପଣ ମଞ୍ଜରୀ ସାହୁ ପରିବାରର ଲୋକ କି? 

-ହଁ, କହୁଛି । 

-ଆଜ୍ଞା ଭାଇ ଆପଣ ଜାଣି ଖୁସି ହେବେ ଯେ, ଆପଣଙ୍କ ପରିବାର ଭଳି ଦେଶର ୮୦ କୋଟି ଲୋକ ଆମ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହୋଇଛନ୍ତି । -କୋଉ ଯୋଜନା? 

-ଭାଇ ଆପଣ କୋଉ ଯୋଜନାରେ ଉପକୃତ ହୋଇନାହାନ୍ତି । ଆମ ସରକାରଙ୍କ ଯୋଜନା । 

-ଏମିତି କୋଉ ଯୋଜନା ହୋଇଛି ଯେ, ସେଥିରେ ଉପକୃତ ହୋଇଛୁ । ଯାହା ତ କହିଥିଲେ କିଛି କରିନାହାନ୍ତି । ତୁମେ ବି କାହାକୁ କ’ଣ ପଚାରୁଛୁ ଜାଣିନ । କାହିଁକି ଫୋନ୍‌ କରି ଅଯଥା ଯୁକ୍ତି କରୁଛ । 

ଏହାପରେ ସେ ଫୋନ୍‌ ରଖିବା ବଦଳରେ କହୁଛନ୍ତି, ଆଜ୍ଞା ଆମ ଚିହ୍ନରେ ଯୋଡ଼ା ଭୋଟ୍‌ ଦେଇ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବେ । ପୁଣିଥରେ ସରକାର ଗଢ଼ିବାର ସୁଯୋଗ ଦେବେ । ଦୟାକରି ଭୋଟ୍‌ ଦେବେ’ । 

ଇଏ ଗୋଟିଏ ଉଦାହରଣ । ଏହିଭଳି ଆହୁରି ଅଛି । ଗୃହିଣୀ ମଞ୍ଜରୀ ସାହୁଙ୍କ ପରିବାର ପରି ଆଉ ଗୋଟିଏ କଲ୍‌ ଜଣେ ଚାଷୀଙ୍କୁ ଥିଲା । 

‘... ରାଜ୍ୟ କାର୍ଯ୍ୟାଳୟରୁ ସୋମ୍‌ କହୁଛି, ଜୀବନ ସ୍ୱାଇଁ ଆପଣଙ୍କ ଘରେ କିଏ ସଦସ୍ୟ ଅଛନ୍ତି । ହଁ ନିଜେ କହୁଛି, ଭାଇ ଗୋଟିଏ ଛୋଟିଆ ସୂଚନା ଦେବି ଟିକେ ଶୁଣିବେ । ଆପଣ ଜାଣି ଖୁସି ହେବେ ଯେ, ଆପଣଙ୍କ ପରିବାରର ଆମ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଲାଭ ପାଇପାରୁଛନ୍ତି । ତେଣୁ ୨୦୪୭ ସୁଦ୍ଧା ବିକଶିତ ଭାରତର ସଂକଳ୍ପକୁ ପୂରଣ ପାଇଁ ଆସନ୍ତା ମେ’ ୨୫ରେ ଆମର ଯୋଡ଼ା ଚିହ୍ନରେ ଭୋଟ୍‌ ଦେଇ ନେତାଙ୍କୁ ବିଜୟ କରିବେ । 

-କ’ଣ କହୁଛନ୍ତି, ବୁଝିପାରିିଲିନି ଭାଇ... ଶୁଣିପାରିଲିନି । କୋଉ ଯୋଜନା, ଆମେ ତ କିଛି ପାଇନୁ । ଆମ ନମ୍ବର କୋଉଠୁ ପାଇଲେ, ଆପଣଙ୍କୁ କିଏ ଦେଉଛି? ଯୋଉ ହିତାଧିକାରୀ ସୁବିଧା ସୁଯୋଗ ପାଇଛନ୍ତି ସବୁ ସରକାର ରେକର୍ଡରେ ରହୁଛି । ଆପଣ ତା’ର ଅପବ୍ୟବହାର କରି ଏସବୁ କାମ କରୁଛନ୍ତି । ଯିଏ ପାଇଛନ୍ତି ତାଙ୍କୁ କଲ୍‌ କରନ୍ତୁ ନା’ । ଆମକୁ କାହିଁକି ଟେନ୍‌ସନ୍‌ ଦେଉଛନ୍ତି । 

ଏକଥା କହିବା ସହ ଜୀବନ ସ୍ୱାଇଁ କଲ୍‌ କରିଥିବା ଯୁବକଙ୍କୁ ଓଲଟା ପାଠା ପଢ଼ାଇ ୧୫ମିନିଟ୍‌ ଟ୍ୟୁସନ୍‌ କରିଥିଲେ ।

ଏଭଳି କଲ୍‌ କିଛି ଜାତୀୟ ଦଳ ପକ୍ଷରୁ ବାଧ୍ୟତାମୂଳକ ଭାବେ ବାରମ୍ବାର ସାଧାରଣ ଲୋକମାନଙ୍କ ପାଖକୁ ଆସୁଛି । ଫୋନ୍‌ ରିସିଭ୍‌ କରୁ କରୁ ସେପଟୁ ଜଣେ କିଏ କହୁଛନ୍ତି, ‘ଆମ ଦଳକୁ ସପୋର୍ଟ କରି ଆମ ଚିହ୍ନ ବଟନ୍‌କୁ ଦବାଇବାକୁ ଅନୁରୋଧ । ଯଦି ତାଙ୍କୁ କିଛି ପ୍ରଶ୍ନ ପଚାରିଲେ ତେବେ କଥା ସରିଲା । ସଙ୍ଗେ ସଙ୍ଗେ ଉତ୍ତର, ସାର୍‌ ଆମେ ଜାଣିନୁ । ଯେତିକି କୁହାଯାଇଛୁ ସେତିକି କହିଲୁ ସାର୍‌ ।’

ସେମିତି ଆଞ୍ଚଳିକ ଦଳ ପକ୍ଷରୁ ବି ଫୋନ୍‌ କଲ୍‌ ଦ୍ୱାରା ଧମକ ଆସୁଛି, ‘ନିଜ ନିର୍ବାଚନମଣ୍ଡଳୀର ଆମ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍‌ ନଦେଲେ ଭତ୍ତା, ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡରୁ ନାମ କାଟିଦେବୁ’ । 

ବିଭିନ୍ନ ଦଳ ଓ କିଛି ନେତା ସାଧାରଣ ନିର୍ବାଚନରେ ପ୍ରଚାର ପାଇଁ ଡିଜିଟାଲ୍‌ ମାଧ୍ୟମକୁ ଆପଣାଇଛନ୍ତି । ସେଥିରୁ ‘ଜନତାଙ୍କୁ ଫୋନ୍‌ କଲ୍‌’ ଅନ୍ୟତମ ମାଧ୍ୟମ । ସେଥିପାଇଁ ବିଭିନ୍ନ ଦଳ ପକ୍ଷରୁ ସ୍ୱତନ୍ତ୍ର କଲ୍‌ ସେଣ୍ଟର, ୱାର୍‌ ରୁମ୍‌ ଖୋଲି ୨୪ ଘଣ୍ଟିଆ କାମ ଚାଲିଛି । ଏଥିପାଇଁ ଅନେକ ଯୁବକ, ଯୁବତୀ ନିଯୁକ୍ତି ହୋଇଛନ୍ତି । କିନ୍ତୁ ସେମାନେ ଯେଉଁଭଳି ଢଙ୍ଗରେ ଫୋନ୍‌ କରି ସାଧାରଣ ଲୋକଙ୍କୁ ଟେନସନ୍‌ ଦେଉଛନ୍ତି ତାହା ଅନେକଙ୍କୁ ବିରକ୍ତି ଭାବ ପ୍ରକାଶ ସହ ନିଜ ଭିତରେ ଥିବା ଅସନ୍ତୋଷକୁ ଝାଡ଼ିବାକୁ ବାଧ୍ୟ କରୁଛି । କାହାକୁ କଲ୍‌ କରୁଛନ୍ତି, କ’ଣ କହୁଛନ୍ତି ତା’ର କିଛି ଠିକଣା ନାହିଁ । ଅନ୍ୟ କେହି ପଚାରୁଛନ୍ତି ଯେ ଆମ ନେତାଙ୍କ ସେନାର ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ଯୋଗଦେବେ କି?

ଗତ କିଛିଦିନ ମଧ୍ୟରେ ଦଳ ଓ ନେତାମାନଙ୍କ ପକ୍ଷରୁ ଆସୁଥିବା ଏମିତି ଅନେକ କଲ୍‌, ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ନେଇ ଅନେକ କାର୍ଟୁନ୍‌ କରୁଥିବାବେଳେ ଦଳ ଓ ନେତାମାନେ ହାସ୍ୟାସ୍ପଦ ହେଉଛନ୍ତି । ଏ ସମ୍ପର୍କରେ ଅନେକ ଲୋକ ତାଙ୍କ ସୋସିଆଲ୍‌ ମିଡିଆରେ ବିଭିନ୍ନ ପୋଷ୍ଟ କରିଛନ୍ତି । ଜଣେ ଲେଖିଛନ୍ତି, ‘ରାଜନୈତିକ ଦଳମାନେ ପ୍ରଥମେ ନିଜ କର୍ମଚାରୀଙ୍କୁ ଭଦ୍ରାମି ଓ କଥା କହିବାର ଶୈଳୀ ପ୍ରଶିକ୍ଷଣ ଦିଅନ୍ତୁ । ସକାଳୁ ସକାଳୁ ଏଇ ନମ୍ବରରୁ ମହିଳା ଜଣେ ଫୋନ୍‌ କରି ମତେ ବିକଶିତ ଭାରତର ଜଣେ ଆଗ୍ରହୀ ଯୋଦ୍ଧା ବୋଲି କହିଲେ ଓ ତାଙ୍କ ଦଳକୁ ଭୋଟ୍‌ ଦେବାକୁ ଅନୁରୋଧ କଲେ । ଅଥଚ ମୁଁ କେଉଁ ଅବସ୍ଥାରେ ଅଛି, ଏବେ କଥା ହୋଇପାରିବି କି ନା’ ପଚାରିବାର ସୌଜନ୍ୟ ରଖିଲେ ନାହିଁ । ଶେଷକୁ ପଚାରୁଛନ୍ତି ମୋ ନାଁ କ’ଣ!’ 

ଆଉ ଜଣେ କହିଛନ୍ତି, ଯେଉଁ ସ୍ୱରରେ ପଚାରୁଥିଲେ, ତାଙ୍କଠୁ ତାଙ୍କ ନେତାମାନଙ୍କ ସ୍ୱର ବହୁଗୁଣରେ ଭଲ । ବରଂ ସେ ଫୋନ୍‌ କରିଥାନ୍ତେ କି । ଅନେକ ଲୋକ ବି ନେତାଙ୍କ ସ୍ୱରକୁ ଉତ୍ସୁକତାର ସହ ଅପେକ୍ଷା କରି ରାଗୁଛନ୍ତି । କାରଣ ପୂର୍ବ ନିର୍ବାଚନଗୁଡ଼ିକରେ ବି ନେତାମାନଙ୍କର କିଛି ରେକର୍ଡେଡ୍‌ କଲ୍‌ ଆସିଛି । ଯାହା ଲୋକଙ୍କୁ ପ୍ରଭାବିତ କରିଛି । ଏଥର ବି ଲୋକ ସେହି କଲ୍‌କୁ ଅପେକ୍ଷା କରି ରହିଛନ୍ତି । ସେ ରେକର୍ଡେଡ୍‌ ହେଉ କି ନକଲ ।

ଏହାଛଡ଼ା ଅନେକ ଲୋକ ଅଜଣା ନମ୍ବର ଡରରେ ଛାନିଆ । ସାଇବର ଅପରାଧର ସଂଖ୍ୟା ବଢ଼ୁଥିବାବେଳେ ବାରମ୍ବାର ଫୋନ୍‌କୁ ଆସୁଥିବା ଏହି ଅଜଣା ନମ୍ବରର କଲ୍‌ ବୟସ୍କ ବ୍ୟକ୍ତିବିଶେଷଙ୍କ ରକ୍ତଚାପ ବଢ଼ାଇ ଦେଉଛି । ସେମାନେ ଭୟଭୀତ । କାଳେ ଫୋନ୍‌ ଉଠାଇଲେ କ’ଣ ହେଇଯିବ? କାରଣ ଏ ଦିଗରେ ପୁଲିସ୍‌ ବାରମ୍ବାର ସଚେତନ କରୁଛି । ଅଜଣା ନମ୍ବରଠୁ ଦୂରେଇ ରହିବା ସହ ଫୋନ୍‌ ନଉଠାଇବାକୁ ପରାମର୍ଶ ଦେଉଥିଲାବେଳେ ଏହିସବୁ କଲ୍‌ ପେନ୍‌ସନ୍‌ ବୟସରେ ଟେନ୍‌ସନ୍‌ ଦେଉଛି ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.