ଝାରସୁଗୁଡ଼ା,୨୧/୮ : ଝାରସୁଗୁଡ଼ାଠାରେ କର୍ମଚାରୀ ରାଜ୍ୟ ବୀମା ନିଗମର ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ଖୋଲା ଯିବାର ଦୁଇ ବର୍ଷ ବିତିଛି । ମାତ୍ର ଆବଶ୍ୟକ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତ ନ ହେବାରୁ ଏହି କାର୍ଯ୍ୟାଳୟ ଶ୍ରମିକ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହେଉଛି । ଭୁବନେଶ୍ୱରଠାରେ ଥିବା ଇଏସ୍ଆଇସିର କ୍ଷେତ୍ରୀୟ କାର୍ଯ୍ୟାଳୟରୁ ରାଜ୍ୟର ୧୩ଟି ଜିଲ୍ଲାକୁ ଅଲଗା କରି ଝାରସୁଗୁଡ଼ାଠାରେ ଏହି କାର୍ଯ୍ୟାଳୟ ଖୋଲାଯିବା ପୂର୍ବକ ଅନ୍ତର୍ଭୁକ୍ତ କରାଯାଇଛି । ସୁନ୍ଦରଗଡ଼ରୁ ମାଲକାନଗିରିଯାଏ ୧୩ଟି ଜିଲ୍ଲାର ଶ୍ରମିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଏଠାକୁ ଦୌଡ଼ୁଛନ୍ତି । ମାତ୍ର ଅଧିକାରୀ କର୍ମଚାରୀ ଅଭାବରୁ ଯେଉଁ କାମ ଦିନକରେ ହେବା କଥା ତାହା ସପ୍ତାହ ସପ୍ତାହ ଧରି ପଡ଼ି ରହୁଛି ।
ଏଭଳି ସ୍ଥିତିରେ ଝାରସୁଗୁଡ଼ା ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ଶ୍ରମିକଙ୍କୁ ସହାୟତା ପାଇଁ ଆସି ନିରାଶ ହୋଇ ଫେରିବା ସାର ହେଉଛି । ବିଭାଗୀୟ ତଥ୍ୟ ଅନୁଯାୟୀ ଗତ ୨୦୨୨ ମସିହାରେ ଝାରସୁଗୁଡ଼ା ଠାରେ କର୍ମଚାରୀ ରାଜ୍ୟ ବୀମା ନିଗମର ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଲେ । ୨୦୨୩ ଅପ୍ରେଲ ମାସରେ ଝାରସୁଗୁଡ଼ା କାର୍ଯ୍ୟାଳୟରେ ଇଣ୍ଡିପେଣ୍ଡେଣ୍ଟ ଆକାଉଣ୍ଟିଂ ୟୁନିଟ୍ ଭାବେ କାର୍ଯ୍ୟ କରିବା ଆରମ୍ଭ କଲା । ଝାରସୁଗୁଡ଼ା ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ (ଏସ୍ଆର୍ଓ) ଅଧୀନରେ ଝାରସୁଗୁଡ଼ା ସମେତ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆଁପଡ଼ା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଏବଂ ବୌଦ୍ଧ ଜିଲ୍ଲା ରହିଛି । ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ କର୍ମଚାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥାନୁଯାୟୀ ବୀମା ଯୋଜନାଭୁକ୍ତ ହେବା ସହ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ପାଇଥାନ୍ତି ।
ଏହି ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ପାଇଁ ୪୫ଗୋଟି ପଦବିକୁ ମଞ୍ଜୁରି ମିଳିଥିଲା । ମାତ୍ର ୨୧ ଜଣ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତ ରହିଛନ୍ତି । ୬ ଜଣ ଆସିଷ୍ଟାଣ୍ଡ ଡାଇରେକ୍ଟର ପଦବି ରହିଛି । ମାତ୍ର ଏଠାରେ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ଅନ୍ୟ ଜଣେ ଇନଚାର୍ଜ ରହିଛନ୍ତି । ଅର୍ଥାତ ୬ ଜଣ ଅଧିକାରୀଙ୍କ କାର୍ଯ୍ୟ ଦୁଇ ଜଣ ତୁଲାଉଛନ୍ତି । ଝାରସୁଗୁଡ଼ା ଉପ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ୧୩ଟି ଜିଲ୍ଲାରେ ୧୦ଟି ଶାଖା କାର୍ଯ୍ୟାଳୟ ଏବଂ ଗୋଟିଏ ଡିସପେନସାରି କମ ବ୍ରାଞ୍ଚ ଅଫିସ୍ (ଡିସିବିଓ) ରହିଛି । ଯେଉଁଥିରେ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ବୀମାଭୁକ୍ତ କର୍ମଚାରୀ (ଆଇପି) ରହିଛନ୍ତି । ଏହି କାର୍ଯ୍ୟାଳୟରେ ରେଭେନ୍ୟୁ,ରିକଭରି, ଆଡମିନ, ଫାଇନାନ୍ସ, ଲିଗାଲ, ଜେନେରାଲ, ଆର୍ଟିଆଇ, ସିଏଆଇୟୁ, ଇନସ୍ପେକ୍ସନ ଆଣ୍ଡ କୋଅର୍ଡିନେସନ୍, ରେଜିଷ୍ଟ୍ରେସନ, ପବ୍ଲିକ ଗ୍ରିଭାନ୍ସ, ପବ୍ଲିକ ରିଲେସନ, ରାଜଭାଷା, କ୍ୟାଶ ଆଦି ବିଭାଗ ରହିଛି । ଏତେ ଗୁଡ଼ିଏ ବିଭାଗକୁ କମ ସଂଖ୍ୟ କର୍ମଚାରୀ ମାଧ୍ୟମରେ ପରିଚାଳନା କରିବା ଦୁରୂହ ହୋଇ ପଡ଼ିଛି ।
ଦୂର ଦୂରାନ୍ତ ଜିଲ୍ଲାରୁ ଆସୁଥିବା ବୀମାଭୁକ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ କାମ ଠିକ ସମୟରେ ନ ହେବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ଦେଖାଯାଉଛି । କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଅଧୀନରେ ଥିବା ଏହି କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନିୟୋଜନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ଶ୍ରମିକ ସଂଗଠନ ଭିନ୍ନ ଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଥିଲେ ହେଁ କାହାରି ଦୃଷ୍ଟି ପଡ଼ୁନାହିଁ । କାର୍ଯ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ମଧ୍ୟ ନ ଥିବାରୁ ଏଥିପ୍ରତ ଦୃଷ୍ଟି ଦେବା ଜରୁରି ହୋଇପଡ଼ିଛି ।