ନୂଆପଡ଼ା,୨୪/୦୮: କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି । ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରି ମୁମ୍ବାଇ ସ୍ଥାନାନ୍ତର କରାଯାଇଛି ।
ଗତ ୧୯ତାରିଖରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ରାଜ୍ୟସ୍ତରୀୟ ଦଳୀୟ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱର ଯାଇଥିଲେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ପରୀକ୍ଷାରୁ ତାଙ୍କର ହୃଦ୍ରୋଗଜନିତ ସମସ୍ୟା ଥିବା ଜଣାପଡ଼ିଥିଲା । ହାର୍ଟରେ ବ୍ଲକେଜ୍ ରହିଥିବା ଡାକ୍ତର କହିଥିଲେ । ଏଣୁ କୌଣସି ଏକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଶୁକ୍ରବାର ସକାଳେ ପରିବାର ଲୋକେ ଏୟାରଲିଫ୍ଟ କରି ତାଙ୍କୁ ମୁମ୍ବାଇସ୍ଥିତ ଏସିଆନ ହାର୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପୁଅ ତଥା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ଓ ପରିବାର ଲୋକେ ମୁମ୍ବାଇରେ ଅଛନ୍ତି । ଶ୍ରୀ ପଣ୍ଡା ଅସୁସ୍ଥ ହେବା ଖବର ପ୍ରଚାର ପରେ ସମର୍ଥକ ଓ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।