ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ବିଧାନସଭା ନିର୍ବାଚନ: ପାଞ୍ଚ ରାଜ୍ୟରେ ବିକଳ୍ପ ଚେହେରା ସନ୍ଧାନରେ ବିଜେପି, ଶିବରାଜ ଓ ବସୁନ୍ଧରାଙ୍କ ନେତୃତ୍ୱକୁ ନା

ନୂଆଦିଲ୍ଲୀ,୨୯/୦୯: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଧିରେ ଧିରେ ପାଖେଇ ଆସୁଛି । ଚଳିତବର୍ଷ ଶେଷ ଭାଗରେ ତେଲଙ୍ଗାନା ଓ ମିଜୋରାମ ସହିତ ୩ ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ୩ ରାଜ୍ୟ ପାଇଁ ବିଜେପି ଭିନ୍ନ ରଣନୀତି ଗ୍ରହଣ କରିବାକୁ ଯାଉଛି । ଯାହାକୁ ନେଇ ବିଜେପିର ୩ ବରିଷ୍ଠ ନେତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବସୁନ୍ଧରା ରାଜସ୍ଥାନରେ ଦୁଇଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିଭଳି ରମଣ ୩ଥର ଛତିଶଗଡ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ଶିବାରାଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରହିଥିଲା ବେଳେ ପୂର୍ବରୁ ମଧ୍ୟ ୩ଥର ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି । କିନ୍ତୁ ଏଥର ଏହି ୩ ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରିନାହିଁ । ଅର୍ଥାତ ଏମାନଙ୍କ ନେତୃତ୍ୱ ଉପରେ ବିଜେପିର ଭରସା ଆଦୌନାହିଁ । ତେଣୁ ଚଳିତଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ମଇଦାନକୁ ଓହ୍ଲାଇବ । ସାମୂହିକ ନେତୃତ୍ୱରେ ଦଳ ଏଥର ନିର୍ବାଚନ ଲଢ଼ିବ ବୋଲି କହିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ଉପରୋକ୍ତ ୩ ରାଜ୍ୟରେ ନୂଆ ଚେହେରା ସନ୍ଧାନରେ ଲାଗିଛି । ଅର୍ଥାତ ଶିବରାଜ, ବସୁନ୍ଧରା ଓ ରମଣଙ୍କ ଉତ୍ତରାଧିକାରୀ ଅନୁସନ୍ଧାନ କରୁଛି । ଏଭଳି ଚର୍ଚ୍ଚା ମଧ୍ୟ ହେଉଛି କି ରମଣଙ୍କୁ ଏଥର ଟିକେଟ ମିଳି ନପାରେ । ରମଣ ବର୍ତ୍ତମାନ ରାଜନନ୍ଦଗାଓଁରୁ ବିଧାୟକ ଅଛନ୍ତି । ଛତିଶଗଡର ୨୧ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ରମଣ ନିର୍ବାଚନ ଲଢ଼ିବେ କି ନାହିଁ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି ।

ମଧ୍ୟପ୍ରଦେଶ ଓ ରାଜସ୍ଥାନ କଥା ଦେଖିଲେ ବିଜେପି ଶିବରାଜ କିମ୍ବା ବସୁନ୍ଧରାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିନାହିଁ । ଆଗକୁ ମଧ୍ୟ ଚେହେରା କରାଯିବାର ସମ୍ଭାବନା ନାହିଁ । ଅବଶ୍ୟ ସେମାନଙ୍କୁ ନିର୍ବାଚନ ଲଢ଼ିବା ଲାଗି ଟିକେଟ ମିଳିବ । ମଧ୍ୟପ୍ରଦେଶରେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଚେହେରାର ବିକଳ୍ପ ଖୋଲାରଖିଛି । ରାଜସ୍ଥାନ ଓ ଛତିଶଗଡରେ ମଧ୍ୟ ବିଜେପି ସମାନ ରଣନୀତି ଆପଣାଇବ ବୋଲି ଚର୍ଚ୍ଚା ହେଉଛି । ଅର୍ଥାତ ଏଠାରେ ମଧ୍ୟ ସାଂସଦ, କେନ୍ଦ୍ରମନ୍ତ୍ରୀ କିମ୍ବା ବଡ ନେତାଙ୍କୁ ବିଜେପି ନିର୍ବାଚନ ମଇଦାନକୁ ଛାଡିପାରେ । ଚର୍ଚ୍ଚା ହେଉଛି କି ରାଜସ୍ଥାନରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ରାଜ୍ୟସଭା ସାଂସଦ କିରୋରୀ ଲାଲ ମିନା ବିଧାନସଭା ନିର୍ବାଚନ ଲଢ଼ିବା ସୂଚୀରେ ସ୍ଥାନ ପାଇପାରନ୍ତି । କିଛିଦିନ ତଳେ ରାଜସ୍ଥାନ ପାଇଁ ବିଜେପି ଯେତେବେଳେ ନିର୍ବାଚନ ଟିମ୍‌ ଘୋଷଣା କଲା ସେଥିରେ ବସୁନ୍ଧରା କିମ୍ବା ତାଙ୍କ ସମର୍ଥିତ ନେତାଙ୍କ ନାମ ସ୍ଥାନ ପାଇନଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଥିଲା କି ବସୁନ୍ଧରା ନିର୍ବାଚନ ପ୍ରଚାର କରିବେ ।

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ରାଜ୍ୟର ମୋଟ ୨୩୦ ଆସନରୁ ୭୯ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ସେଥିରେ କିଛି ଚକିତ କରିବା ଭଳି ନାମ ରହିଛି । ୩ ଜଣ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କ ନାମ ସ୍ଥାନ ପାଇଛି । ଏଥିସହ ସାଂସଦ ରାକେଶ ସିଂହ, ଗଣେଷ ସିଂହ, ରାଓ ଉଦୟ ପ୍ରତାପ ସିଂହ ଓ ରୀତି ପାଠକଙ୍କୁ ଟିକେଟ ମିଳିଛି । ସଙ୍ଗଠନର ବଡ ଚେହେରା ଭାବେ ପରିଚିତ କୈଳାସ ବିଜୟଭର୍ଗିୟଙ୍କୁ ମଧ୍ୟ ଟିକେଟ ଦେଇ ବିଜେପି ତାଙ୍କୁ ସକ୍ରିୟ ରାଜନୀତିକୁ ଆଣିଛି । ଏସବୁ ଚେହେରାଙ୍କୁ ଟିକେଟ ଦେଇ ବିଜେପି ବଡ ସନ୍ଦେଶ ଦେଇଛି ।

Copyright © 2022 - Summa Real Media Private Limited. All Rights Reserved.