ଧର୍ମଶାଳା,୨୧/୦୯: ଘରର ଝରକା ଭାଙ୍ଗି ଭିତରେ ପଶିଲେ । ଭୋକ ଯୋଗୁ ରୋଷେଇ ଘରେ ପଶି ଫ୍ରିଜ୍ ଖୋଲି ଯାହା ମିଳିଲା ଖାଇଲେ। ତା’ପରେ ଘର ଭିତରେ ଥିବା ଆଲମିରା ଭାଙ୍ଗି ସୁନାଗହଣା, ମୋବାଇଲ୍ ଓ ବାସନକୁସନ ସହ ଅନ୍ୟାନ୍ୟ ଆସବାବପତ୍ର ନେଇ ପଳାଇଲେ। ଚୋର ପଶିଥିବା ଜାଣି ଘରେ ଥିବା ଜଣେ ମହିଳା ଓ ତାଙ୍କ ଝିଅ ଘରର ଅନ୍ୟ ଏକ ଦ୍ୱାର ଦେଇ ଘରୁ ବାହାରକୁ ପଳାଇଥିଲେ। ପାଖରେ ମୋବାଇଲ୍ ନଥିବାରୁ କାହାରିକୁ ଡାକି ପାରିନଥିଲେ । ଚୋର ଯିବା ପରେ ମହିଳାଜଣଙ୍କ ଘରକୁ ଫେରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରି ଫେରିଛି । ଚୋର ପ୍ରଥମେ କଲୋନୀର ଅନ୍ୟ ଜଣକ ଘରେ ପଶି ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଧର୍ମଶାଳା ଥାନା ଜାରକା ଶାନ୍ତିବଜାର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଶାନ୍ତିବଜାର ନିକଟରେ ଅବସରପ୍ରାପ୍ତ ବିଦ୍ୟୁତ୍ ଯନ୍ତ୍ରୀ ସ୍ୱର୍ଗତ ଇଂ ଅକ୍ଷୟ କୁମାର ଦାସଙ୍କ ଘର । ଘରେ ସ୍ୱର୍ଗତ ଦାସଙ୍କ ପତ୍ନୀ ମଞ୍ଜୁପ୍ରଭା ଦାସ ଓ ଏକମାତ୍ର ଝିଅ ରୁହନ୍ତି । ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଝରକା ଭାଙ୍ଗି ଘର ଭିତରେ ପଶିଥିଲେ । ଏହା ଜାଣିପାରି ମଞ୍ଜୁପ୍ରଭା ଓ ତାଙ୍କ ଝିଅ ଭୟଭୀତ ହୋଇ ଅନ୍ୟ ଦ୍ୱାର ଦେଇ ବାହାରକୁ ପଳାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ପ୍ରଥମେ ରୋଷେଇ ଘର ଫ୍ରିଜ୍ ଖୋଲି ମିଠା, ଫଳ ଖାଇଥିଲେ । ଖାଇବା ପରେ ଷ୍ଟିଲ ଆଲମିରା ଖୋଲି ସୁନାଗହଣା, ଟଙ୍କା ଓ ମୋବାଇଲ୍ ସହ ବାସନକୁସନ ଓ ଅନ୍ୟାନ୍ୟ ମୂଲ୍ୟବାନ ଆସବାବପତ୍ର ନେଇ ପଳାଇଥିଲେ । ଦୁର୍ବୃତ୍ତମାନେ ନଗଦ ୫୦ହଜାର ଟଙ୍କା ଓ ୫୦ଗ୍ରାମ୍ରୁ ଅଧିକ ସୁନାଗହଣା ନେଇଯାଇଥିବା ଅଭିଯୋଗ ହୋଇଛି । ଖବରପାଇ ଧର୍ମଶାଳା ଥାନାଧିକାରୀ ତପନ କୁମାର ନାୟକ ସକାଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ । ଅପରାହ୍ଣରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିଲା । ଦୁର୍ବୃତ୍ତ ସ୍ୱର୍ଗତ ଦାସଙ୍କ ଘରୁ ଚୋରି ପୂର୍ବରୁ ଅନ୍ୟ ଦୁଇଜଣଙ୍କ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି । ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।