ଭୁବନେଶ୍ୱର, ୦୩/୦୯ : ହସ୍ପିଟାଲ୍ରେ ମିଳୁନି ତୃତୀୟ ଲିଙ୍ଗଧାରୀଙ୍କୁ ସ୍ୱତନ୍ତ୍ର ଲିଙ୍ଗ ସମସ୍ୟା ଜନିତ ଅସ୍ତ୍ରୋପଚାର ଚିକିତ୍ସା । ତୃତୀୟ ଲିଙ୍ଗଧାରୀଙ୍କ ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବୋର୍ଡ ଗଠିତ ହୋଇଛି । ବୋର୍ଡ ବୈଠକ ନହେବା ଫଳରେ ସେମାନଙ୍କ ଅସ୍ତ୍ରୋପଚାର ସମ୍ବନ୍ଧୀୟ ନିଷ୍ପତ୍ତି ହୋଇପାରୁନି । ବୋର୍ଡ କେବଳ କାଗଜକଲମରେ ରହିଛି । ଫଳରେ ତୃତୀୟ ଲିଙ୍ଗୀଙ୍କ ଅସନ୍ତୋଷ ବଢ଼ିବା ସହିତ ମାନସିକ ନିର୍ଯାତନା ପାଉଥିବା ଅଭିଯୋଗ ହୋଇଛି ।
କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଏହି ଚିକିତ୍ସା ଓ ଅସ୍ତ୍ରୋପଚାର ସୁବିଧା ମିଳୁଛି । ଏଥିପାଇଁ ଜିଲ୍ଲାସ୍ତରରେ ମେଡିକାଲ ବୋର୍ଡ ଗଠନ ହୋଇଛି । ଏହି ମେଡିକାଲ ବୋର୍ଡ ସିଡିଏମ୍/ପିଏଚ୍ଓଙ୍କ ନେତୃତ୍ୱରେ କାର୍ଯ୍ୟ କରିବ । ଏଥିରେ ଡିଏମ୍ଓ (ଏମ୍ଏସ୍) ଆବାହକ ଥିବା ବେଳେ ସର୍ଜରୀ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ସଦସ୍ୟ ରହିଛନ୍ତି । ତୃତୀୟଲିଙ୍ଗଧାରୀ ବ୍ୟକ୍ତି କୌଣସି ଅନୁରୋଧ କଲେ ତାହା ଉପରେ କମିଟି ବୈଠକ ଆୟୋଜନ କରି ନିଷ୍ପତ୍ତି ଗ୍ରହଣ କରିବ । ହେଲେ କିଛି ହେଉନି । ଜଣେ ସିଡିଏମ୍ଓ କହିଛନ୍ତି, ହସ୍ପିଟାଲ୍ରେ ତୃତୀୟ ଲିଙ୍ଗଧାରୀଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ନିରାମୟରୁ ଔଷଧ ନେବା ପାଇଁ ମଧ୍ୟ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ହୋଇଛି । ହେଲେ ସେମାନଙ୍କ ଅସ୍ତ୍ରୋପଚାର ଉପରେ ମେଡିକାଲ ବୋର୍ଡ ନିଷ୍ପତ୍ତି ନେବେ । ଏହା ଆମ ଅଧୀନରେ ନାହିଁ । ଆମେ କେବଳ ମେଡିକାଲ କଲେଜକୁ ସୁପାରିସ କରିପାରିବୁ ।
କିନ୍ନର ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି, ରାଜ୍ୟରେ ୨୦ ହଜାର କିନ୍ନର ଅଛନ୍ତି । ସେମାନେ ଲିଙ୍ଗ ଜନିତ ତ୍ରୁଟି ପାଇଁ କଷ୍ଟ ପାଉଛନ୍ତି । ମେଡିକାଲ କଲେଜରେ ସେମାନଙ୍କ ସେକ୍ସ ରିଆସେସ୍ମେଣ୍ଟ ସର୍ଜରୀ ବା ଲିଙ୍ଗ ଜନିତ ଅସ୍ତ୍ରୋପଚାର ନିତ୍ୟାନ୍ତ ଆବଶ୍ୟକ । ହେଲେ ସ୍ୱାସ୍ଥ୍ୟ ବିଭାଗ ଏହି କ୍ଷେତ୍ରରେ ଅଣଦେଖା କରୁଛି । ଫଳରେ ଅସ୍ତ୍ରୋପଚାରରୁ ବଞ୍ଚିତ ହେଉଛନ୍ତି । ବାଧ୍ୟ ହୋଇ ବହୁ କଷ୍ଟରେ ଘରୋଇ ହସ୍ପିଟାଲ୍ ସାହାରା ନେଉଛନ୍ତି । ସମ୍ବଳ ନଥାଇ କରଜ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି । ଅସ୍ତ୍ରୋପଚାର ପାଇଁ ବିଏସ୍କେୱାଇ ବା ଆୟୁଷ୍ମାନ ଭାରତ ଯୋଜନାରେ ସେମାନଙ୍କୁ ସାମିଲ କରାଯାଉ ବୋଲି ଦାବି କରିଛନ୍ତି । ସେହିପରି କିନ୍ନର ସଂଘ କଟକ ଜିଲ୍ଲା ସଭାପତି ତନୁଶ୍ରୀ ବେହେରା କହିଛନ୍ତି, ଓଡ଼ିଶାରେ ଲିଙ୍ଗ ସମସ୍ୟା ଜନିତ ଚିକିତ୍ସା ସୁବିଧା ନାହିଁ । ଯାହାଫଳରେ ମୁଁ ବାଧ୍ୟ ହୋଇ ଦିଲ୍ଳୀରେ ଅସ୍ତ୍ରୋପଚାର କରି ଆସିଲି । ଓଡ଼ିଶାରୁ ବହୁ କିନ୍ନର ରାଜ୍ୟରେ ବାହାରକୁ ଅସ୍ତ୍ରୋପଚାର ପାଇଁ ଯାଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ । ଜିଲ୍ଲାସ୍ତରରେ ମେଡିକାଲ ବୋର୍ଡ ଗଠନ କରିବା ଲାଗି ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି) ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ମେଡିକାଲ ବୋର୍ଡ ଗଠନ ପାଇଁ ପଦକ୍ଷେପ ନିଆଯାଇଥିଲା ।