ପୁରୀ, ୨୪/୪ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଚଇତି ଘୋଡ଼ା ନାଚ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି । ଏହି ଚଇତି ଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମଣିଷ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ । ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମଣିଷର ଅଣ୍ଟାଠାରୁ ତଳ ଯାଏ ଘୋଡ଼ା ଭିତରେ ଲୁଚି ଥାଏ । ଅଣ୍ଟାଠାରୁ ଉପର ଯାଏ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ ।
କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି । ଘୋଡ଼ାନାଚରେ ଜଣେ ଲେଖାଏଁ ଗାୟକ, ପାଳିଆ, ଢୋଲକିଆ, ମହୁରିଆ, ରାଉତ, ରାଉତାଣୀ ଥାଆନ୍ତି । ଗାୟକ ବିଷୟବସ୍ତୁ ଗାଉଥିବା ବେଳେ ପାଳିଆ ପାଳିଧରେ, ଢୋଲକିଆ ବାଜା ବଜାଏ ଓ ରାଉତ ସଜ୍ଜିତ କାଠଘୋଡ଼ା ଚଢ଼ି ରାଉତାଣୀ ସହ ନୃତ୍ୟ କରୁଥାଏ । ମା’ ବାସେଳୀଙ୍କ ବନ୍ଦନାରୁ ଆରମ୍ଭ ହୁଏ ଘୋଡ଼ାନାଚ, ପରେ ରାଧାକୃଷ୍ଣଙ୍କ ଲୀଳା, ଶିବପାର୍ବତୀଙ୍କ କାହାଣୀକୁ ଗୀତ ଓ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ । ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନଥାଏ କୈବର୍ତ୍ତ ଗୀତା, କୈବର୍ତ୍ତ ପୁରାଣ ଓ କୈବର୍ତ୍ତ ସଂହିତାରୁ ବିଷୟବସ୍ତୁ ଉଦ୍ଧାର କରି ଗାୟକ ସେଗୁଡ଼ିକୁ ପାରମ୍ପରିକ ସ୍ୱରରେ ପଡ଼ିବା ଭଳି ଶବ୍ଦ ସଂଯୋଜନା କରି ସ୍ୱର ଦେଇଥାନ୍ତି ।