ପ୍ରମୂଖ ଖବର

ଭାରତକୁ ବିଶ୍ୱ ତାପନ ଚେତାବନୀ, ତାପମାତ୍ରା ବଢ଼ିଲେ ୯୦ ଭାଗ ଶୁଖିଯିବ ହିମାଳୟ

ନୂଆଦିଲ୍ଲୀ ୦୧/୦୩: ବିଶ୍ୱ ତାପମାତ୍ରା ଯଦି ୩ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼େ, ତେବେ ହିମାଳୟ କ୍ଷେତ୍ର ୧ ବର୍ଷରୁ ଅଧିକ ସମୟ ଧରି ମରୁଡ଼ିର ସମ୍ମୁଖୀନ ହେବ । ଏକ ସଦ୍ୟ ଅଧ୍ୟୟନ ଏହି ଚେତାବନୀ ଦେଇଛି । ବ୍ରିଟେନର ୟୁନିଭର୍ସିଟି ଅଫ୍‌ ଇଷ୍ଟ୍‌ ଆଙ୍ଗଲିଆର ଅନୁସନ୍ଧାନକାରୀଙ୍କ ନେତୃତ୍ୱାଧୀନ ଏକ ଟିମ୍‌ ଉକ୍ତ ଅଧ୍ୟୟନରେ ହିମାଳୟ କ୍ଷେତ୍ରର ଜଳବାୟୁ ବିଷୟରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । କ୍ଲାଇମେଟ୍‌ ଚେଞ୍ଜ୍‌ ନାମକ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଜଳବାୟୁ ପରିବର୍ତ୍ତନ ଉପରେ ପର୍ଯ୍ୟବସିତ ଏହି ଅଧ୍ୟୟନ ବିଶ୍ୱ ଉତ୍ତାପନ ସ୍ତର ବୃଦ୍ଧି ଯୋଗୁ ଜାତୀୟ ସ୍ତରରେ ମାନବ ଓ ପ୍ରାକୃତିକ ପରିବେଶ ପ୍ରତି ଏହାର ବିପଦ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛି ।

ମୋଟ୍‌ ୮ ଅଧ୍ୟୟନର ସମଷ୍ଟିରେ ପ୍ରସ୍ତୁତ ଏହି ରିପୋର୍ଟ ଅନୁସନ୍ଧାକାରୀ ଟିମ୍‌ ଉପସ୍ଥାପନ କରିଛନ୍ତି । ଭାରତ, ବ୍ରାଜିଲ, ଚୀନ୍‌, ଇଜିପ୍ଟ, ଇଥିଓପିୟା ଓ ଘାନାର ଅଧ୍ୟୟନରୁ ସେମାନେ ଜାଣିବାକୁ ପାଇଛନ୍ତି, ବିଶ୍ୱ ତାପନରେ ପ୍ରତ୍ୟେକ ଅତିରିକ୍ତ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହିତ ମରୁଡ଼ି, ବନ୍ୟା, ଖାଦ୍ୟ ଶସ୍ୟ ଅମଳ ହ୍ରାସ ଏବଂ ଜୈବବିବିଧତା ଓ ପ୍ରାକୃତିକ ସମ୍ପତ୍ତିର କ୍ଷତି ବହୁ ମାତ୍ରାରେ ବଢ଼ିଚାଲିଛି । ବିଶ୍ୱ ତାପନରେ ଯଦି ହାରାହାରି ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ହୁଏ, ତେବେ ହିମାଳୟ କ୍ଷେତ୍ରର ପ୍ରାୟ ୯୦ ଭାଗ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଧରି ମରୁଡ଼ିର ସମ୍ମୁଖୀନ ହେବ ବୋଲି ଅଧ୍ୟୟନ ପୂର୍ବାନୁମାନ କରିଛି । ୩ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ବୃଦ୍ଧି ଯୋଗୁ ଚାଷ ଜମି ଶୁଷ୍କ ଭୂମିରେ ରୂପାନ୍ତରିତ ହେବାର ବ୍ୟାପକ ଆଶଙ୍କାକୁ ଅଧ୍ୟୟନକର୍ତ୍ତା ଜାଣିବାକୁ ପାଇଛନ୍ତି । ଯାଞ୍ଚ୍‌ରେ ସାମିଲ ପ୍ରତ୍ୟେକ ଦେଶର ୫୦ ଭାଗରୁ ଅଧିକ ଚାଷ ଜମି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଉତ୍କଟ ମରୁଡ଼ିର ସମ୍ମୁଖୀନ ହେବ ବୋଲି ରିପୋର୍ଟ ସ୍ପଷ୍ଟ କରିଛି ।

ବିଶ୍ୱବିଦ୍ୟାଳୟର ପ୍ରଫେସର ରାଶେଲ ୱାରେନ କହିଛନ୍ତି, ଭାରତରେ ୮୦ ପ୍ରତିଶତ ଲୋକ ଉତ୍ତାପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବାକୁ ହେଲେ ପ୍ୟାରିସ୍‌ ଚୁକ୍ତିର ତାପମାତ୍ରା ଲକ୍ଷ୍ୟ ଅନୁସାରେ, ବିଶ୍ୱ ତାପମାତ୍ରାକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବାକୁ ହେବ । ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଉତ୍କଟ ମରୁଡ଼ିକୁ ୨୦-୮୦ ପ୍ରତିଶତ ହ୍ରାସ କରାଯାଇ ପାରିବ । ଅଧ୍ୟୟନ ଆହୁରି ଚେତାଇ ଦେଇଛି, ବିଶ୍ୱ ତାପନ ୩-୪ ଡିଗ୍ରୀ ବୃଦ୍ଧି ହେଲେ ଭାରତରେ ପରାଗଣ ଅଧା ହ୍ରାସ ପାଇବ । ତେଣୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ଦେଶ ପାଇଁ ନିହାତି ଜରୁରି । ଏପରି ହେଲେ, ଭାରତରେ ୨୧ ପ୍ରତିଶତ ଓ ଇଥିଓପିଆରେ ୬୧ ପ୍ରତିଶତ ଚାଷ ଜମି ମରୁଭୂମିରେ ରୂପାନ୍ତରିତ ହେବାରୁ ରକ୍ଷା ପାଇବ । ବିଶ୍ୱ ତାପନ କମିଲେ ବନ୍ୟା ଜନିତ ଆର୍ଥିକ କ୍ଷତି ହ୍ରାସ ହେବ, ଯାହା ଜଳବାୟୁ ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ପ୍ରଭାବ । ଅନ୍ୟପକ୍ଷେ, ବିଶ୍ୱ ତାପନ ବୃଦ୍ଧି ସହିତ ତଟବର୍ତ୍ତୀ ଦେଶ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ରିପୋର୍ଟ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.