ଭୁବନେଶ୍ଵର, ୧୨/୦୮ : ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଭିଜିଲାନ୍ସ ଚଢାଉ ବେଳେ ତାରା ପ୍ରସାଦଙ୍କ ଘରୁ ଦେଢ କେଜିର ସୁନା ଅଳଙ୍କାର ଓ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଛି। ଏହା ସହ ନଗଦ ୬ ଲକ୍ଷ ଟଙ୍କା, ୨ଟି କାର୍, ୧୩ ଲକ୍ଷ ଟଙ୍କାର ଏକ ରୋଲେକ୍ସ ୱାଚ୍ ଜବତ ହୋଇଛି। ଭୁବନେଶ୍ଵର ଏବଂ ଝାରସୁଗୁଡ଼ାରେ ତାରା ପ୍ରସାଦଙ୍କ ୧୦ଟି ଫ୍ଲାଟ୍ ରହିଛି। କଟକ, ଭୁବନେଶ୍ଵର ଏବଂ ଜଟଣୀରେ ୭ଟି ପ୍ଲଟ ରହିଛି। କେବଳ ସେତିକି ନୁହେଁ ତାରା ପ୍ରସାଦଙ୍କ ଘରୁ ୟୁଏସଏ, ଥାଇଲାଣ୍ଡ, ଭିଏତନାମା, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଏବଂ ସିଙ୍ଗାପୁରର କରେନ୍ସି ଜବତ ହୋଇଛି।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରିଛି। କଟକ, ଭୁବନେଶ୍ଵର ଓ ଝାରସୁଗୁଡ଼ାରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ ହୋଇଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନସପେକ୍ଟର, ୧୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ଅପର୍ଣ୍ଣା ଆପାର୍ଟମେଣ୍ଟ, କସ୍ମୋପଲିସି ସ୍ଥିତ ୨ଟି ଫ୍ଲାଟ, ଝାରସୁଗୁଡ଼ା ସ୍ଥିତ ୩ଟି ଆପାର୍ଟମେଣ୍ଟ, କଟକ ଆଠଗଡ଼ ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ନୟାପଲ୍ଲୀ ନିଳକଣ୍ଠ ନଗରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।