ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନ, ଚୀନ୍‌କୁ ମିଳିବ ବଡ଼ ଝଟ୍‌କା: ଇରାନ ସହ ଚୁକ୍ତି ସ୍ୱାକ୍ଷର, ୧୦ ବର୍ଷ ଚାବହାର ବନ୍ଦର ଭାରତର

ନୂଆଦିଲ୍ଲୀ,୧୪/୫: ଆଗାମୀ ୧୦ ବର୍ଷ ପାଇଁ ଦକ୍ଷିଣ ପୂର୍ବ ଇରାନ୍‌ସ୍ଥିତ ଚାବହାର ବନ୍ଦରକୁ ପରିଚାଳନା କରିବ ଭାରତ । ଏଥିପାଇଁ ଭାରତ ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଏଥିସହିତ ବିଦେଶରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହେବାକୁ ଯାଉଥିବା ପ୍ରଥମ ବନ୍ଦର ପାଲଟିଛି ଚାବହାର । ଏହି ବନ୍ଦରର ବିକାଶ ପାଇଁ ଭାରତ ୨୫ କୋଟି ଡଲାରର କ୍ରେଡିଟ୍‌ ୱିଣ୍ଡୋ ଅଫର ମଧ୍ୟ ଦେଇଛି । 

ବର୍ତ୍ତମାନ ଚାବହାର ବନ୍ଦରକୁ ଇଣ୍ଟର୍‌ନ୍ୟାସନାଲ ନର୍ଥ-ସାଉଥ୍‌ ଟ୍ରାନ୍ସପୋର୍ଟ କରିଡର(ଆଇଏନ୍‌ଏସ୍‌ଟିସି) ସହ ଯୋଡ଼ିବା ପାଇଁ କାର୍ଯ୍ୟ ଚାଲିଛି, ଯାହାଦ୍ୱାରା  ଇରାନ ମାଧ୍ୟମରେ ରୁଷ ସହ ଭାରତର କନେକ୍ଟିଭିଟି ସହଜ ହୋଇଯିବ । ଏହାର ବଡ଼ ଲାଭ ପାଇବ ଭାରତ । ପାକିସ୍ତାନକୁ ବାଇପାସ୍‌ କରି ଏହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ପର୍ଯ୍ୟନ୍ତ ସଧାସଳଖ ନିଜ ପହଞ୍ଚକୁ ମଜଭୁତ କରିପାରିବେ । ଚାବହାର ବନ୍ଦର ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ବଡ଼ ବଡ଼ ୟୁରୋଏସୀୟ ରାଷ୍ଟ୍ରଗୁଡ଼ିକ ସହ ଭାରତକୁ ସିଧାସଳଖ ଯୋଡ଼ିବ । ଏହି ଚୁକ୍ତି ଦ୍ୱାରା ପାକିସ୍ତାନର ଗ୍ୱାଦର ବନ୍ଦର ଏବଂ ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ)କୁ ତଗ୍‌ଡ଼ା ଝଟ୍‌କା ମିଳିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ବହିଃର୍ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈଶୱାଲ କହିଛନ୍ତି ଯେ, ଇରାନରେ ଆୟୋଜିତ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମରେ ଭାରତ ତରଫରୁ ବନ୍ଦର, ନୌପରିବହନ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଯୋଗ ଦେଇଥିଲେ । ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡ୍‌ ଏବଂ ପୋର୍ଟସ ଆଣ୍ଡ୍‌ ମାରିଟାଇମ୍‌ ଅର୍ଗାନାଇଜେସନ୍‌ ଅଫ୍‌ ଇରାନ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହା ଅନ୍ତର୍ଗତ ଚାବହାରସ୍ଥିତ ସହୀଦ ବେହେଷ୍ଟି ବନ୍ଦରକୁ ଭାରତ ୧୦ ବର୍ଷ ପାଇଁ ପରିଚାଳନା କରିବ । 

ଏ ପରିପ୍ରେକ୍ଷୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ, ଚାବହାର ବନ୍ଦର ପରିଚାଳନା ସହିତ ଭାରତ ଇରାନ ସହ ଏକ ଦୀର୍ଘକାଳୀନ ସମ୍ପର୍କ ଯୋଡ଼ିବାକୁ ଯାଉଛି । ବର୍ତ୍ତମାନ ଚୁକ୍ତି ସ୍ୱାକ୍ଷର ଯୋଗୁ ଏହି ବନ୍ଦରରେ ବୃହତ୍‌ ନିବେଶକୁ ମାର୍ଗ ମିଳିବ । 

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବ୍ରିକ୍‌ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଚାବହାରକୁ ନେଇ ଆଲୋଚନା ହୋଇଥିଲା । ନଭେମ୍ବରରେ ଫୋନ୍‌ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ଉଭୟ ଲିଡର ଆଲୋଚନା କରିଥିଲେ । ୨୦୧୬ରେ ମୋଦିଙ୍କ ଇରାନ ଗସ୍ତ ବେଳେ ଏହି ବନ୍ଦରକୁ ନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ୨୦୧୮ରେ ଇରାନର ତତ୍କାଳୀନ ରାଷ୍ଟ୍ରପତି ହାସନ ରୋହାନିଙ୍କ ଭାରତ ଗସ୍ତ ଅବସରରେ ଏହା ଉପରେ ଆଲୋଚନା ହୋଇଥିଲା । ୨୦୨୪ ଜାନୁଆରୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ତେହରାନ ଗସ୍ତ କାଳରେ ମଧ୍ୟ ଏହା ଏଜେଣ୍ଡାରେ ଥିଲା । 

ପୁରୁଣା ଚୁକ୍ତି ସ୍ଥାନରେ ଉପରୋକ୍ତ ଦୀର୍ଘମିଆଦୀ ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ନୂଆ ଚୁକ୍ତିର ବୈଧତା ୧୦ ବର୍ଷ ପାଇଁ ରହିବ  । ଆପଣାଛାଏଁ ଏହା ସମ୍ପ୍ରସାରିତ ହେବ ବୋଲି ଜଣାପଡ଼ିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.