ଭୁବନେଶ୍ୱର,୦୮/୦୯: ଜାଗା ମିଶନ ଜରିଆରେ ଜାଗା ମାଗଣା ପାଇଲେ । ଏବେ ତଣ୍ଡ ଗଣିବେ । ବସ୍ତି ବାସିନ୍ଦାଙ୍କ ପାଖରୁ ଆଦାୟ ହେବ ହୋଲ୍ଡିଂ ଟ୍ୟାକ୍ସ । ବିଏମ୍ସି ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ, ନୂଆ ପଟ୍ଟା ପାଇବା ପରେ ବସ୍ତି ବାସିନ୍ଦାଙ୍କ ନାଁ ଭୂଲେଖକୁ ଚଢିବ ।
ଭୂମିହୀନ ବସ୍ତି ବାସିନ୍ଦା ପୂର୍ବରୁ ମାଗଣା ରହୁଥିଲେ । ଏବେ ସରକାରୀ ଭାବେ ଜାଗା ପାଇଛନ୍ତି । ତେଣୁ ସେମାନଙ୍କ ଠାରୁ ହୋଲ୍ଡିଂଟ୍ୟାକ୍ସ ଠାରୁ ଆରମ୍ଭ କରି ପାଣି ବିଲ୍ ଏବଂ ସରକାରୀ ଖଜଣା ଆଦାୟ କରାଯିବ । ସହରବାସୀଙ୍କ ଭଳି ସେମାନେ ମଧ୍ୟ ୱାର୍ଡ ଅଫିସରେ ଟଙ୍କା ଦାଖଲ କରିବେ । ବସ୍ତି ବି ଦୁଇ ଭାଗ ହେବ । ପ୍ରିୟିୟମ ଆଉ ଗରିବ ବସ୍ତି । ଯେଉଁମାନେ ସହିଦନଗର, ବାଣୀବିହାର, ବାପୁଜୀନଗର, ୟୁନିଟ-୬ ଭଳି ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ଠାରୁ ଅଲଗା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯିବ । ସରକାରୀ ଜାଗାର ଦର ଆକାରରେ ସେମାନେ ହୋଲ୍ଡିଂ ଟ୍ୟାକ୍ସ ପୈଠ କରିବେ । ଯେଉଁ ମାନେ ଟିକେ ଦୂରରେ ରହୁଛନ୍ତି, ସେମାନେ ଅଲଗା ହୋଲ୍ଡିଂ ଟ୍ୟାକ୍ସ ଦେବେ । ବିଏମ୍ସି ପକ୍ଷରୁ ପରବର୍ତ୍ତୀ ବୈଠକରେ ଏହା ଉପରେ ତର୍ଜମା କରାଯିବ । ପୂର୍ବରୁ ବସ୍ତିବାସିନ୍ଦା ହୋଲ୍ଡିଂ ଟ୍ୟାକ୍ସରୁ ଦୂରରେ ଥିଲେ । ଏବେ କିନ୍ତୁ ଆଉ ସହଜ ହେବ ନାହିଁ ।
ଜାଗା ପାଇବା ପରେ ବିବାଦ ତେଜିଛି । ୩ ଜୋନ୍ରେ ଅଭିଯୋଗ ଶୁଣାଣି ପାଇଁ ପ୍ରକୋଷ୍ଠ ଖୋଳିଛି । ହେଲେ ବସ୍ତି ବାସିନ୍ଦା ମୁଖ୍ୟ କାର୍ଯ୍ୟାଳୟରେ ଡେରା ପକାଉଛନ୍ତି । ମାଳମାଳ ତ୍ରୁଟି ଥିବା ଅଭିଯୋଗ ଆଣୁଛନ୍ତି । କିଛି ନାଁକୁ ନେଇ ଆଉ କିଛି ଲୋକେ ପଟ୍ଟାକୁ ନେଇ ଅଭିଯୋଗ ଆଣିଛନ୍ତି । ସରକାରୀ ପୋର୍ଟାଲରେ ଆମ ନାଁ ଦେଖାଇବାକୁ ଦାବି କରିଛନ୍ତି ।
ମିଳିଥିବା ସୂଚନା ମୁତାବକ , ନୂଆ ମୋହର ମରା ପଟ୍ଟା ଆସିବା ପରେ ସରକାରୀ ୱେବ୍ସାଇଟ ଭୂଲେଖରେ ବସ୍ତି ବାସିନ୍ଦାଙ୍କ ନାମ ଚଢିବ । ବସ୍ତି ବାସିନ୍ଦା ମାନେ ୱେବ୍ସାଇଟକୁ ଯାଇ ସେମାନଙ୍କର ପଟ୍ଟା ପାଇପାରିବେ । ଏନେଇ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଭିତରେ ଏକ ବୈଠକ ହେବାର ଯୋଜନା କରାଯାଇଛି । ଜାଗା ମିଶନର ପରଠୁ ବିଏମ୍ସି ଏବେ ଛନ୍ଦି ହୋଇଗଲାଣି । ଅଧିକାରୀ ମାନେ ଘନ ଘନ ବୈଠକ ଡାକୁଛନ୍ତି । ଯେ କୌଣସିମତେ ବସ୍ତି ବାସିନ୍ଦାଙ୍କୁ ଥଣ୍ଡା କରିବାକୁ ଉଦ୍ୟମ ଚାଲିଛି । ଲୋକଙ୍କୁ ବୁଝାଇବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।