ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଜାଗମରା ଗୋଷ୍ଠୀ ସଂଘର୍ଷ ଘଟଣା: ଆକ୍ରମଣକାରୀ ଗୋଷ୍ଠୀର ୪ ଯୁବକ ଗିରଫ, ମାଟିରେ ମିଶିଲା ୪ ଦୋକାନ

ଭୁବନେଶ୍ୱର,୦୨/୦୨: ଜାଗମରା ନୂଆ ବିମାନବନ୍ଦର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛି । କ୍ୟାବିନ୍‌ ଖଟିସ୍ଥଳକୁ ଭାଙ୍ଗିରୁଜି ଦେଇଛି । ୪ ଦୋକାନ ଉପରେ ବୁଲଡୋଜରରେ ଚଢ଼ିଛି । ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି ଜେଲ ପଠାଇଛି । 

ଅଭିଯୁକ୍ତମାନେ ହେଲେ, ବରମୁଣ୍ଡା ମହିମା ମିଶ୍ର ଲେନ୍‌ର ଦୀପକ କୁମାର ବେହେରା, ନୂଆପଲ୍ଲୀ ବ୍ରିଟ୍‌ କଲୋନିର ରମୟ ରଞ୍ଜନ ମହନ୍ତ, ମଲ୍ଲିକ କମ୍ପେ୍ଲକ୍ସ ଲେନ୍‌ ୭ର ଦିଲ୍ଲୀପ ବିଶ୍ୱାଳ, ଜାଗମରାର ସଞ୍ଜୟ ସେନାପତି । ସେମାନଙ୍କ ବିରୋଧରେ ଆଇପିସି ୧୪୭, ୧୪୮, ୩୦୭, ୩୨୩, ୩୨୪, ୧୪. ୨୯୪ ଓ ୫୦୬ ଦଫା ଲଗାଇଛି ।  ବାଉଁଶ, ଭଙ୍ଗା କାଚ ବୋତଲ ଜବତ କରାଯାଇଛି । 

ଜୋନ୍‌-୩ ଏସିପି ପିକେ ରାଉତଙ୍କ କହିବା ମୁତାବକ, କିଛି ଦିନ ତଳେ ରାଜଧାନୀରେ ଏକ ଜାତୀୟ ରାଜନୀତି ଦଳର ବିରାଟ ସମାବେଶ ହୋଇଥିଲା । ସେଠାରେ ୨ ଗୋଷ୍ଠୀ ଭିତରେ ଝଗଡ଼ାର ସୂତ୍ରପାତ ହୋଇଥିଲା । କୌଣସି କାରଣରୁ ଆକ୍ରମଣକାରୀ ଗୋଷ୍ଠୀ ସହ ସ୍ୱାଧୀନ ଲେଙ୍କା, ସାହିଲ୍‌ ତ୍ରିପାଠୀ ଓ ଓମ୍‌ ମହାପାତ୍ରଙ୍କ ବଚସା ହୋଇଥିଲା । ଆକ୍ରମଣକାରୀ ଗୋଷ୍ଠୀର ଅମନ ଚମ୍ପତ୍ତି ଓ ବବୁଲ ଉଭୟଙ୍କୁ ଧମକ ଚମକ ଦେଇଥିଲେ । ସ୍ୱାଧୀନ, ସାହିଲ୍‌ ଓ ଓମ୍‌ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲେ । 

ଜାଗମରା ନୂଆ ବିମାନବନ୍ଦର ରାସ୍ତା କଡ଼ରେ ଥିବା ଟପ୍ରି ଟାଇମ୍‌, ଗୋଲଡେନ୍‌ ଚିଲି ହେଉଛି ଆକ୍ରମଣକାରୀ ଗୋଷ୍ଠୀର ଖଟିସ୍ଥଳ । ଗତ ୩୦ ତାରିଖ ରାତି ୯ଟା ବେଳେ ୩ଜଣ କିଛି ସହଯୋଗୀଙ୍କୁ ସାଙ୍ଗରେ ଧରି ଉକ୍ତ ଖଟିସ୍ଥଳରେ ପହଞ୍ଚିଥିଲେ । ସେମାନେ ହାତରେ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ । କିନ୍ତୁ ଖଟିସ୍ଥଳରେ ଅପରଗୋଷ୍ଠୀର ଯୁବକମାନେ ସଂଘବଦ୍ଧ ଭାବେ ଏମାନଙ୍କୁ ଆକ୍ରମଣ କଲେ । ଦୋକାନୀମାନେ ଆକ୍ରମଣକାରୀଙ୍କୁ ବୋତଲ ଓ କାଠ ଫାଳିଆ ଯୋଗାଇଥିଲେ । ବିଶ୍ୱ ବିଜୟ ସିଂ ଓ ବି. ଶୁଭମ୍‌ ୨ ଜଣ ଗୁରୁତର ଆହତ ହୋଇଥିଲେ । ୨ ଆହତଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଫେରାର୍‌ ଅଭିଯୁକ୍ତଙ୍କୁ ଖୋଜାଚାଲିଛି ।

ମାଟିରେ ମିଶିଲା ୪ ଦୋକାନ

ପୁଲିସି ଗୁରୁବାର ଅପରାହ୍ଣରେ ଏକ ବୁଲ୍‌ଡୋଜର ଧରି ଜାଗମରାର ଉକ୍ତ ଖଟିସ୍ଥଳରେ ପହଞ୍ଚିଥିଲା । ସେଠାରେ ଟାଇମ୍‌ ଟପ୍ରି ସହ ୪ଟି ଦୋକାନକୁ ଭାଙ୍ଗିଥିଲା । ଗୋଲଡେନ୍‌ ଚିଲି ପାଖରେ ଥିବା କ୍ୟାବିନ୍‌ଟି ହେଉଛି ଆକ୍ରମଣକାରୀ ଗୋଷ୍ଠୀର ମୁଖ୍ୟ ଖଟିସ୍ଥଳ ।  ଉକ୍ତ କ୍ୟାବିନ୍‌ ପଛପଟେ ନିର୍ମାଣ ଗୁପ୍ତ ଘରେ ସେମାନେ ରାତି ଅଧ ଯାଏ ଖଟି କରୁଥିଲେ । ପୁଲିସ ଉକ୍ତ ଘର ସହ କ୍ୟାବିନ୍‌କୁ ଭାଙ୍ଗି ମାଟିରେ ମିଶାଇଛି । ଆଗକୁ ଅପରାଧୀଙ୍କ ଘରେ ବି ବୁଲଡୋଜର ଚଢ଼ିବ ବୋଲି ପୁଲିସ ଚେତାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.