ନୂଆଦିଲ୍ଲୀ,୨୦/୦୮: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରାଯାଉଛି। ସେପଟେ ପ୍ରଶିକ୍ଷକ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ବଡ଼ ଶୁଣାଣି କରିଥିଲେ। ଏହି ମାମଲାରେ ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୁଡ଼ଙ୍କ ବ୍ୟତୀତ ସର୍ବୋଚ୍ଚ ଅଦାଲତର ଖଣ୍ଡପୀଠରେ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର ତମାମ ମାମଲାକୁ ନେଇ ଶୁଣାଣି କରିଥିଲେ।
ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଏଥି ସହିତ ବେଙ୍ଗାଲୁରୁ ଡାକ୍ତର ସଂଘ ସମେତ ଅନ୍ୟ ଆବେଦନକାରୀଙ୍କ ଓକିଲମାନେ ମଧ୍ୟ ହାଜର ହୋଇଥିଲେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, 'ସେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କୁ ସାହାଯ୍ୟ କରିବେ। ସିଜେଆଇ କହିଛନ୍ତି ଯେ 'ଆମେ ଏହି ମାମଲାଗୁ ସ୍ବତପ୍ରବୃତ ଭାବେ ଗ୍ରହଣ କରିଛୁ କାରଣ ଏହା କେବଳ କୋଲକାତାର ଏକ ଭୟଙ୍କର ମାମଲା ନୁହେଁ ବରଂ ଏହା ଦେଶର ଡାକ୍ତରଙ୍କ ସୁରକ୍ଷାକୁ ନେଇ ଏକ ପ୍ରମୁଖ ପ୍ରସଙ୍ଗ। ବିଶେଷକରି ମହିଳା ଡାକ୍ତରଙ୍କ ସୁରକ୍ଷା ଏବଂ ସେମାନଙ୍କର କାର୍ଯ୍ୟ କରିବାର ସମୟ ଉପରେ ନିର୍ଭର କରେ। ନର୍ସିଂ କର୍ମଚାରୀ, ଏଥିରେ ଏକ ଜାତୀୟ ସହମତି ରହିବା ଉଚିତ ଯେ ମହିଳାମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ, ସେମାନେ ସମ୍ବିଧାନରେ ସମାନତା ପାଇଛନ୍ତି। ଦୁଷ୍କର୍ମ ମାମଲା ଯେତିକି ଗୁରୁତ୍ବପୂର୍ଣ୍ଣ ତା ଠାରୁ ଅଧିକ ସମ୍ବେଦନଶୀଳ ହେଉଛି, ପୀଡ଼ିତାଙ୍କ ନା ସବୁ ଗଣମାଧ୍ୟମରେ ପ୍ରଚାର ହୋଇଗଲାଣି, ତାଙ୍କୀ ଫଟୋ ମଧ୍ୟ ଭାଇରାଲ ହେଉଛି, ଏହା ଚିନ୍ତାଜନକ ଓ ଅତ୍ୟନ୍ତ ଉଦ୍ବେଗଜନକ କଥା। ଆମର ନିଷ୍ପତ୍ତି ହେଉଛି ଯେ ଦୁଷ୍କର୍ମର ଶିକାର ହେଉଥିବା ପୀଡ଼ିତାଙ୍କ ନାଁ କି ଫଟୋ ସାର୍ବଜନୀନ କରାଯିବା ଉଚିତ ନୁହେଁ।
ସିବିଆଇକୁ ମାଗିଲେ ଷ୍ଟାଟସ୍ ରିପୋର୍ଟ:
ପଶ୍ଚିମବଙ୍ଗ ପକ୍ଷରୁ ଉପସ୍ଥାପିତ ହୋଇଥିବା ଓକିଲ କପିଲ ସିବ୍ବଲଙ୍କୁ ସିଜେଆଇ କିଛି ପ୍ରଶ୍ନ ପଚାରିଛନ୍ତି। ସିବ୍ବଲ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା। ସେ କହିଛନ୍ତି 'ମୁଁ ସମସ୍ତ ତଥ୍ୟ ସ୍ପଷ୍ଟ କରିବି। ସିଜେଆଇ କହିଛନ୍ତି ଯେ, ଏଫ୍ଆଇଆର୍ରେ ହତ୍ୟ ସ୍ପଷ୍ଟ ନୁହେଁ। ସିବ୍ବଲ ଏହାକୁ ଅଗ୍ରାହ୍ୟ କରିଛନ୍ତି। ସିଜଆଇ କହିଛନ୍ତି ଯେ, ଏଭଳି ଭୟଙ୍କର ଅପରାଧ ଘଟିଛି ଯେ, କ୍ରାଇମ ସିନ୍ ମଧ୍ୟ ସଂରକ୍ଷିତ ହୋଇନାହିଁ। ପୋଲିସ କଣ କରୁଥିଲା?
ତେବେ ସେପଟେ ଦିଲ୍ଲୀ ମେଡିକାଲ ଆସୋସିଏସନ ଏକ ଆବେଦନ କରି ଏହାକୁ ସ୍ବତଃ ପ୍ରବୃତ ଭାବେ ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିଥିବାବେଳେ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ (ଫୋର୍ଡା) ଏହାର ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ନିଜ ପକ୍ଷରୁ ହସ୍ତକ୍ଷେପ କରିବାକୁ ଆବେଦନ କରିଥିଲେ। ଆଇନଗତ ଏବଂ ରାଜନୈତିକ ଅସ୍ଥିରତା ସହିତ ଏହି ମାମଲାରେ ବିରୋଧ ମଧ୍ୟ ଚାଲିଛି। କୋଲକାତାରେ ପୀଡିତାଙ୍କ ପିଲାଦିନର ବନ୍ଧୁ କଳା ରିବନ ବାନ୍ଧି ନିଜର ବିରୋଧ ପ୍ରଦର୍ଶନ କରିଥିବାବେଳେ କୋଲକାତାର ମେଡିକାଲ କଲେଜର ଡାକ୍ତରମାନେ କାନ୍ଥରେ ଚିତ୍ର ଆଙ୍କିବା ସହ ପୀଡିତାଙ୍କ ପରିବାର ପାଖରେ ସାହସ ଓ ଧର୍ଯ୍ୟ ଭାବେ ଠିଆ ହୋଇଛନ୍ତି।