ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍

ରାୟଗଡ଼ା/ମୁନିଗୁଡ଼ା,୧୯/୦୪: ନିୟମଗିରି ପାହାଡ଼ରେ ମ୍ୟାଲେରିଆ ଆତଙ୍କ । ଏଠାରେ ବସବାସ କରୁଥିବା  ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ  ମଧ୍ୟରେ ମ୍ୟାଲେରିଆ ବ୍ୟାପିବାରେ  ଲାଗିଛି । ଏହା ଜଣାପଡ଼ିବା ପରେ ଆଜି  ମୁନିଗୁଡ଼ା ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି  ଚିକିତ୍ସା ଆରମ୍ଭ କରିଛନ୍ତି । ଗତ କିଛିଦିନ ହେଲା ନିୟମଗିରି  ପାହାଡ଼ର ବିଭିନ୍ନ ଗାଁରେ ଲୋକେ ଜ୍ୱରରେ  କମ୍ପୁଥିବା ଅଭିଯୋଗ ମିଳିଥିଲା । ପରେ  ଡାକ୍ତରୀ ଟିମ୍‌ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଯାଞ୍ଚ୍‌ ପରେ ଲୋକେ ମ୍ୟାଲେରିଆ  ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । 

ଗୁରୁବାର କେବଳ ମୁନିଗୁଡ଼ା ବ୍ଲକ୍‌  ଖମ୍ବେସୀ ଗାଁରେ ମ୍ୟାଲେରିଆ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ମ୍ୟାଲେରିଆ  ଚିହ୍ନଟ ହେବା ପରେ ଡାକ୍ତରୀ ଟିମ୍‌ ଆକ୍ରାନ୍ତମାନଙ୍କୁ ନିଜେ ଔଷଧ ଖୁଆଇ  ଚିକିତ୍ସା ଜାରି ରଖିଛନ୍ତି । ଆଜି ଚିକିତ୍ସା ପାଇଁ  ଟିମ୍‌ ସେଠାରେ ପହଞ୍ଚିବା ବେଳେ ଅନେକ  ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ଘରେ  ପଡ଼ିଥିଲେ । ଆଉ କିଛି ଜଣ ଝଡାଫୁଙ୍କା  ପାଇଁ ଚାଲି ଯାଇଥିବାରୁ ସେମାନଙ୍କ  ଚିକିତ୍ସା ହୋଇପାରି ନାହିଁ ।ଅନ୍ୟପକ୍ଷେ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳର  ପାର୍ସାଲି ଓ ଅନ୍ୟ ପଞ୍ଚାୟତଗୁଡ଼ିକରେ ଲୋକେ  ମ୍ୟାଲେରିଆରେ ଥରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ  ଡାକ୍ତରୀ ଟିମ୍‌ର ଦେଖା ନଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି । 

ଗତ ୧୩ ତାରିଖରେ ମୁନିଗୁଡ଼ା ଡାକ୍ତରୀ  ଟିମ୍‌ କିଛି ଜଣକଙ୍କ ରକ୍ତ ନମୁନା ସଂଗ୍ରହ କରି  ପରୀକ୍ଷା କରିବାପରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା । ଗୁରୁବାର ଏହି ଗାଁକୁ ଡାକ୍ତରୀ ଟିମ  ପହଞ୍ଚି ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ ।  ଗାଁର ଅଳ୍ପ କିଛି ନମୁନା ପରୀକ୍ଷା କରିବାରେ ୩ଜଣ  ମ୍ୟାଲେରିଆରେ ଆକ୍ରାନ୍ତ ଥିବା ରିପୋର୍ଟରେ  ଜଣାପଡିଥିଲା । ଅନ୍ୟମାନଙ୍କ ନମୁନା ସଂଗ୍ରହ  କରାଯାଇ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ  ପଠାଯାଇଛି । ସେମାନଙ୍କ ପରୀକ୍ଷା ପରେ କେଉଁ  ପ୍ରକାର ମ୍ୟାଲେରିଆ ଜୀବାଣୁ ରହିଛି ଜଣାପଡ଼ିବ । ତଥାପି ଗାଁର ସମସ୍ତ ଜ୍ୱର ଆକ୍ରାନ୍ତଙ୍କୁ ମ୍ୟାଲେରିଆ  ଔଷଧ ବିତରଣ କରାଯାଇଥିବା ଅତିରିକ୍ତ ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମମତା ଚୌଧୁରୀ କହିଛନ୍ତି । ଗତକାଲି ରାତିରେ ଖବର ମିଳିବା ପରେ  ଏକ ଟିମ୍‌ ଗଠନ କରାଯାଇ ଗାଁକୁ ଗସ୍ତ କରିଥିଲେ । ଶୁକ୍ରବାର ଅନ୍ୟ ଗାଁକୁ ଡାକ୍ତରୀ ଟିମ୍‌ ଯାଇ ନମୁନା  ସଂଗ୍ରହ ସହ ଔଷଧ ବଣ୍ଟନ କରିବେ । ଏଥିସହିତ  ଅନ୍ୟ ଗାଁଗୁଡ଼ିକୁ ମଧ୍ୟ ମୋବାଇଲ ସ୍ୱାସ୍ଥ୍ୟ ଟିମ୍‌ ଯିବେ  ବୋଲି ସୂଚନା ଦିଆଯାଇଛି । ଏହା ଅନ୍ୟ ଗାଁଗୁଡ଼ିକୁ  ମଧ୍ୟ ବ୍ୟାପିଥିବା ଅନୁମାନ କରାଯାଉଛି ।  

ସୂଚନାଥାଉକି ୩ସପ୍ତାହ ହେଲା କେସିଂହପୁର  ବ୍ଲକ ପାର୍ସାଲି ପଞ୍ଚାୟତ ଲାଖପଦର, ପଟ୍ଟାଙ୍ଗପଦର,  ଡଙ୍ଗାମାଟି, ଜର୍‌ପା, ଲମ୍ବା, ଖମ୍ବେସି, ପାଲଭେରି,  ସୀମାନ୍ତ ସୀମାର ଫୁଲଡୁମେର ଗାଁ ଓ ଏହାର  ଆଖପାଖ ଅଞ୍ଚଳରେ ମ୍ୟାଲେରିଆରେ ଲୋକେ  ପୀଡିତ ହୋଇଛନ୍ତି। ସ୍ୱାସ୍ଥ୍ୟକର୍ମୀ ମାସକୁ ଥରେ  ଯାଇ ଅଧପନ୍ତରିଆ ଭାବେ ଲୋକଙ୍କ ପରୀକ୍ଷା କରି  ଫେରିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଔଷଧ ଅଭାବରୁ ଲୋକେ ଚେରମୂଳି କରୁଛନ୍ତି ।  ଏସବୁ ଅଞ୍ଚଳକୁ ଆଜିପର୍ଯ୍ୟନ୍ତ ସ୍ୱାସ୍ଥ୍ୟଟିମ୍‌ ପହଞ୍ଚି  ନଥିବା ଗ୍ରାମବାସୀ କହିଛନ୍ତି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ  ମ୍ୟାଲେରିଆ ଓ ମିଳିମିଳା ନିୟମଗିରି ପାହାଡର  ବିଭିନ୍ନ ଗାଁରେ ବ୍ୟାପୁଛି । ଗ୍ରୀଷ୍ମଋତୁ ପୂର୍ବରୁ ସ୍ୱାସ୍ଥ୍ୟ  ବିଭାଗ ଠିକ୍‌ ପଦକ୍ଷେପ ଗ୍ରହଣ କରୁ ନଥିବାରୁ  ଏହାର ପୁନରାବୃତି ଘଟୁଛି । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ  ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.