ନୂଆଦିଲ୍ଲୀ: ଏଲନ ମସ୍କ ଏବଂ ଜେଫ୍ ବେଜୋସ୍ଙ୍କ ପରେ ତୃତୀୟ ବ୍ୟକ୍ତି ଭାବରେ ୨୦୦ ବିଲିୟନ୍ କ୍ଲବରେ ସାମିଲ ହୋଇଛନ୍ତି ମେଟାର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । Bloomberg's Billionaires Index ଅନୁସାରେ, ଜୁକରବର୍ଗ ୨୦୨ ବିଲିୟନ୍ ଡଲାର ସଂପତ୍ତି ସହ ବିଶ୍ବର ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଟେସଲା ଏବଂ ଟ୍ବିଟର ମୁଖ୍ୟ ଏଲନ ମସ୍କ ୨୭୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା ବେଳେ ଆମଜନ ମୁଖ୍ୟ ଜେଫ୍ ବେଜୋସ୍ ୨୧୫ ବିଲିୟନ ଡ଼ଲାର ସମ୍ପତ୍ତି ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ।
ସେହିପରି ତୃତୀୟ ସ୍ଥାନରେ ମାର୍କ ଜୁକରବର୍ଗ ଅଛନ୍ତି । ସେ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡଲାର ସମ୍ପତ୍ତି କ୍ଲବରେ ସାମିଲ ହୋଇଛନ୍ତି । ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତ ବର୍ଷ ପ୍ରାୟ ୭୧ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି । ସେହିଭଳି ଜେଫ୍ ବେଜୋସଙ୍କ ସମ୍ପତ୍ତି ୩୯.୯ ବିଲିୟନ ଡଲାର ଏବଂ ଏଲନ ମସ୍କଙ୍କ ସମ୍ପତ୍ତି ୩୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି ।
ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଜୁକରବର୍ଗ ପହଞ୍ଚିଥିବା ବେଳେ ଫ୍ରାନ୍ସର ବର୍ଣ୍ଣାଡ ଆର୍ଣ୍ଣଲ୍ଟ ୧୮୪ ବିଲିୟନ୍ ଡଲାରର ସମ୍ପତ୍ତି ସହ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ଲାରି ଏଲିସନ୍ ପଞ୍ଚମ ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ଭାରତର ମହାଧନୀ ମୁକେଶ ଅମ୍ବାନୀ ବିଶ୍ବ ବିଲେନିୟର ତାଲିକାରେ ୧୨ ତମ ସ୍ଥାନରେ ରହିଛନ୍ତି । ତାଙ୍କ ସଂପତ୍ତିର ମୂଲ୍ୟ ୧୧୪ ବିଲିୟନ ଡଲାର ରହିଛି। ସେହିଭଳି ଭାରତ ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ୧୦୫ ବିଲିୟନ୍ ଡଲାର ସଂପତ୍ତି ସହ ୧୫ ତମ ସ୍ଥାନରେ ରହିଥିବା Bloomberg's Billionaires Index ରୁ ଜଣାପଡ଼ିଛି ।