ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଟ୍‌ ଦେବାକୁ ୧୧ କିମି ଯିବେ ନଗଡ଼ାବାସୀ: ତୁମୁଣି ବୁଥ୍ ୧୦ କିମି ଓ ଗୁହିଆଶାଳ ବୁଥ୍‌ ୧୧ କିମି ଦୂର

ସୁକିନ୍ଦା,୨୧/୦୫ (ରବିନ୍ଦ୍ର ସାମଲ): ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ନଗଡ଼ାର ଜୁଆଙ୍ଗ ଭୋଟ୍‌ ଦେବା ପାଇଁ  ୧୧ କିମି ଦୂରରେ ଥିବା ଦେଓଗାଁ ବୁଥ୍‌କୁ ଯିବେ । ସୁକିନ୍ଦା  ନିର୍ବାଚନମଣ୍ଡଳୀର ମୋଟ୍‌ ୨୨୫ଟି ବୁଥ୍‌ରୁ ଦେଓଗାଁ ବୁଥ୍‌ ହେଉଛି ୧ ନମ୍ବର ବୁଥ୍‌ । ସୁକିନ୍ଦା ବ୍ଲକର ଚୁଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ, ଗୁହିଆଶାଳ, ତୁମୁଣି  ଓ ନଗଡ଼ା ଗ୍ରାମର ମୋଟ ୮୧୪ ଭୋଟରଙ୍କୁ ନେଇ ଏହି ବୁଥ୍‌ ଗଠିତ । ଏହି ବୁଥ୍‌ରେ ନଗଡ଼ାର ତିନୋଟି  ଗାଁ (ତଳ ନଗଡ଼ା, ମଝି ନଗଡ଼ା ଓ ଉପର ନଗଡ଼ା)  ଲୋକ ମାନେ ୧୧ କିଲୋମିଟର ରାସ୍ତା ଅତିକ୍ରମ କରି  ଦେଓଗାଁ ବୁଥ୍‌ରେ ଭୋଟ ପ୍ରଦାନ କରିବେ । ନଗଡ଼ାରୁ  ଏବେ ଖଣି ଅଞ୍ଚଳ ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ  ଦ୍ୱାରା ସବୁ ଦିନିଆ ରାସ୍ତା ହୋଇ ସାରିଛି । ମାତ୍ର ତୁମୁଣି ଗ୍ରାମର ଭୋଟରମାନେ ୩ କିଲୋମିଟର ଓ ଗୁହିଆଶାଳର ଭୋଟରମାନେ ୪ କିଲୋମିଟର ପାହାଡ଼ି ରାସ୍ତା ଅତିକ୍ରମ  କରି ନାଲିଆଡ଼ାବରେ ପହଞ୍ଚିବେ । ସେଠାରୁ ୭ କିମି ସବୁ ଦିନିଆ ରାସ୍ତା ଦେଇ ଦେଓଗାଁ ବୁଥ୍‌ରେ ପହଞ୍ଚିବେ ।  

ପୂର୍ବରୁ ନଗଡ଼ାକୁ ବାଟ ଫିଟିନଥିଲା । ଏଠିକାର ଭୋଟରମାନେ ପାହାଡ଼ି ରାସ୍ତାରେ ଚାଲି ଚାଲି ଭୋଟ୍‌  ଦେବାକୁ ଆସୁଥିଲେ । ସେଥିପାଇଁ କାଁ ଭାଁ କେତେଜଣଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଭୋଟ୍‌ ଦେଉନଥିଲେ । ଯେଉଁମାନେ ଭୋଟ୍‌ ଦେବାକୁ ଚାହୁଁଥିଲେ, ସେମାନେ  ପୂର୍ବଦିନ ଦେଓଗାଁ ସ୍କୁଲରେ ଆସି ରାତ୍ରୀ ଯାପନ  କରୁଥିଲେ । ପର ଦିନ ଭୋଟ ଦେଇ ଚାଲି ଚାଲି  ଘରକୁ ଫେରୁଥିଲେ । ବହୁ ଚର୍ଚ୍ଚିତ ଅପପୁଷ୍ଟି  ମୃତ୍ୟୁ ଘଟଣା ପରେ ନଗଡ଼ାକୁ ବାଟ ଫିଟିଛି । ମାତ୍ର  ନାଲିଆଡାବ ଠାରୁ ତୁମୁଣି ଓ ଗୁହିଆଶାଳ ଯାଏ ଏବେ  ବି ପାହାଡ଼ି ରାସ୍ତାରେ ଜୁଆଙ୍ଗମାନେ ଯିବା ଆସିବା  କରୁଛନ୍ତି । ଗୁହିଆଶାଳରେ ୨୬ଟି  ପରିବାର ବାସ କରୁଥିବା ବେଳେ  ତୁମୁଣିରେ ୨୫ ପରିବାର, ମଝି  ନଗଡ଼ା ଓ ଉପର ନଗଡ଼ା ମିଶାଇ  ୩୨ ପରିବାର ଏବଂ ତଳନଗଡ଼ା  ୩୭ ଜୁଆଙ୍ଗ ପରିବାର ବସବାସ  କରୁଛନ୍ତି । ନଗଡ଼ାର ଭୋଟର ମାନେ  ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ  ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ  ରାସ୍ତାରେ ଦେଓଗାଁ ବୁଥ୍‌କୁ ଆସି ଭୋଟ  ଦେଇଥିଲେ ।  

୨୦୧୯ ଭୋଟର ତାଲିକା ଅନୁଯାୟୀ  ଏହି ବୁଥ୍‌ରେ ମୋଟ୍‌ ୮୧୮ ଭୋଟର  ଥିଲେ । ତନ୍ମଧ୍ୟରୁ ୬୧୪ ଭୋଟର  ମତ ସାବ୍ୟସ୍ତ କରିଥିଲେ। ତଳ  ଓ ମଝି ନଗଡ଼ାର ଗାଁ ମୁଖିଆ  ଭଦୁଆ ପ୍ରଧାନ, ପବିତ୍ର  ପ୍ରଧାନ, କୃପା ପ୍ରଧାନ, ମଝି ନଗଡ଼ାର ଭାଲୁ ପ୍ରଧାନ, ସୁନା  ପ୍ରଧାନ ଓ ଉପର ନଗଡ଼ାର ମଣିଆ ପ୍ରଧାନ ମୁଖ୍ୟ,  ପଟଙ୍ଗ ପ୍ରଧାନଙ୍କ ସୂଚନା ମୁତାବକ, ନଗଡ଼ା ଶିଶୁ ମଡ଼କ  ପରେ ଯଦିଓ ନଗଡ଼ାରେ ରାସ୍ତା ଘାଟ, ଘରଦ୍ୱାର ନିର୍ମାଣ  ହୋଇସାରିଛି ମାତ୍ର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା  ପାଇଁ କୌଣସି ବ୍ୟବସ୍ଥା ହୋଇ ପାରିଲା ନାହିଁ । ତେଣୁ  ଚଳିତ ନିର୍ବାଚନରେ ଜୁଆଙ୍ଗମାନେ ଭୋଟ ଦେବାକୁ  ଏତେ ମାତ୍ରାରେ ମଙ୍ଗୁ ନାହାନ୍ତି ।  

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର  ଅମାତ, ସୁକିନ୍ଦା ବିଡିଓ ଅଭିଷେକ ସ୍ୱାଇଁ ଓ ବ୍ଲକ ଶିକ୍ଷା  ଅଧିକାରୀ ନାରାୟଣ ଦାସ ବିଭିନ୍ନ ସମୟରେ ଏହି  ଗ୍ରାମଗୁଡ଼ିକ ଯାଇ ଜୁଆଙ୍ଗମାନଙ୍କୁ ଭୋଟ୍‌ ଦେବାକୁ  ସଚେତନ କରାଇଛନ୍ତି । ତଥାପି ଚଳିତ ଥର ମତଦାନ ହାର  ଗତଥର ଠାରୁ କମିପାରେ ବୋଲି ଏହି ଗ୍ରାମବାସୀମାନେ  ‘ପ୍ରମେୟ’କୁ କହିଛନ୍ତି । ସେମାନଙ୍କ ରୋଜଗାର  ପାଇଁ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ।  

ଏ ସମ୍ପର୍କରେ ସୁକିନ୍ଦା ବିଡିଓ ଶ୍ରୀ ସ୍ୱାଇଁ କହିଛନ୍ତି,  ନିକଟରେ କୌଣସି ବୁଥ୍‌ର ବ୍ୟବସ୍ଥା ଏଯାବତ୍‌  ହୋଇପାରିନଥିବାରୁ ଏହି ୫ଟି ଗ୍ରାମର ଭୋଟରମାନେ  ଦେଓଗାଁରେ ହିଁ ଭୋଟ୍‌ ଦେବେ । ଚଳିତ ନିର୍ବାଚନରେ  ପ୍ରଶାସନ ପକ୍ଷରୁ ନଗଡ଼ାରୁ ଲକ୍ଷ୍ମୀ ବସ୍‌ ଯୋଗେ ସେଠିକାର  ଭୋଟର ମାନଙ୍କୁ ଦେଓଗାଁ ବୁଥ୍‌ ପର୍ଯ୍ୟନ୍ତ ଅଣାଯିବାର  ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.