ଭୁବନେଶ୍ୱର, ୨୦।୩: ଦିଲ୍ଲୀରେ ଲଟକିଛି ରାଜ୍ୟ ବିଜେପି ଭାଗ୍ୟ । ମେଣ୍ଟ ହେବ କି ନାହିଁ ? କିଏ ପ୍ରାର୍ଥୀ ହେବେ ? କେବେ ଟିକଟ ଘୋଷଣା ହେବ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ରାଜ୍ୟ ବିଜେପି ଚାହିଁ ରହିଛି ଦିଲ୍ଲୀକୁ । ଅନ୍ୟପଟେ ଓଡ଼ିଶାରେ ବିଜେପି ଟିକଟ ନେଇ ଦିଲ୍ଲୀରେ ରାତି ଅଧିଆ ବୈଠକ ଚାଲିଛି । ଟିକଟକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ବୈଠକ ଜାରି ରହିଥିଲା । ରାତି ପ୍ରାୟ ସାଢ଼େ ୧୧ଟାରୁ ଆରମ୍ଭ ହୋଇଥିଲା ବୈଠକ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ଚାଲିଥିଲା । ଆସନ ୱାରୀ ଆଲୋଚନା କରିଥିଲେ ଶାହ । ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିଥିଲେ ।
ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଭେଟିଥିବା ସୂଚନା ମିଳୁଛି । ପ୍ରଧାନମନ୍ତ୍ରୀ ତାଙ୍କ ଦକ୍ଷିଣ ଭାରତ ଗସ୍ତରୁ ଫେରିବା ପରେ ମଙ୍ଗଳବାର ରାତିରେ ଶାହ ତାଙ୍କୁ ଦେଖା କରିବାକୁ ଯାଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶାହ ସିଧା ବିଜେପି ମୁଖ୍ୟାଳୟ ପହଞ୍ଚିଥିଲେ । ଏହା ପରେ ଓଡ଼ିଶାକୁ ନେଇ ଆରମ୍ଭ ହୋଇଥିଲା ବୈଠକ । ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଥମୁନଥିବାବେଳେ ବୈଠକରେ ଏ ସମ୍ପର୍କରେ କିଛି ବଡ଼ ସୂଚନା ମିଳିବା ନେଇ ରାଜ୍ୟ ବିଜେପି ନେତାଏ ଆଶା ବାନ୍ଧି ବସିଛନ୍ତି । ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଓଡ଼ିଶାରୁ ବିଜେପିର ଶୀର୍ଷ ନେତା ଦିଲ୍ଲୀ ଗସ୍ତ କରିଛନ୍ତି ସୋମବାରଠାରୁ । ରାଜ୍ୟ ବିଜେପି ନେତାଙ୍କ କହିବାନୁସାରେ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଧରି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ ଡେରା ପକାଇଛନ୍ତି । ଏପଟେ ରାଜ୍ୟ ବିଜେପି ନେତା ଓ କର୍ମୀ ଅପେକ୍ଷା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ।
ସୂତ୍ର ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଓଡ଼ିଶାକୁ ନେଇ ବୈଠକ ହେବାର ଥିଲା । ମାତ୍ର ପଶ୍ଚିମବଙ୍ଗର ବୈଠକ ଦୀର୍ଘ ସମୟ ଲମ୍ବିବାରୁ ବିଳମ୍ବ ହୋଇଥିଲା । ଏଥିପାଇଁ ଓଡ଼ିଶାକୁ ନେଇ ବିସ୍ତୃତ ଆଲୋଚନା ହୋଇପାରିନଥିଲା । ମଙ୍ଗଳବାର ରାତି ୯ଟା ପରେ ପ୍ରଥମେ ଦଳର ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟ ବିଜେପି ନେତାଙ୍କ ବୈଠକ କରିଥିଲେ । ମାତ୍ର ଚୂଡ଼ାନ୍ତ ଆଲୋଚନା ପାଇଁ ଅପେକ୍ଷା ଥିଲା ଶାହଙ୍କୁ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଶାହ ଆସିବା ପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଜୁଏଲ ଓରାମ, ସମ୍ବିତ ପାତ୍ର, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି । ଦିଲ୍ଲୀ ବୈଠକକୁ ରାଜ୍ୟର ବିଜେପି ନେତୃବୃନ୍ଦ, ଟିକଟ ଆଶାୟୀ ଓ ଦଳୀୟ କର୍ମୀ ଅପେକ୍ଷା କରି ରହିଛନ୍ତି ।