ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଡ଼ିଆ ଏମ୍‌.ଏ.ରେ ଇଂରାଜୀ ପାଠ

ଭୁବନେଶ୍ୱର:ନୂଆ ହେଇ ସ୍ଥାପିତ ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ନୂଆ କାମଟେ ନିକଟରେ କରି ଓଡ଼ିଆ ଭାଷା ଏବଂ ସାହିତ୍ୟ ବିଶେଷଜ୍ଞମାନଙ୍କୁ ତଟସ୍ଥ କରିଛି । ଓଡ଼ିଆ ଏମ.ଏ. ପାଠରେ ରଖାଯାଇଛି କୋଡ଼ିଏ ନମ୍ବରର ଇଂରାଜୀ ବିଷୟ କମ୍ୟୁନିକେଟିଭ ଇଂଲିଶ । ବିଶେଷ ଭାବେ ଏହାକୁ ବିରୋଧ କରିଛି ଓଡ଼ିଆ ଭାଷା ସଂଗ୍ରାମ ସମିତି । ଅନେକ ତଥାକଥିତ ଓଡ଼ିଆପ୍ରେମୀ ମଧ୍ୟ ବିରୋଧ କରିବା ସ୍ୱାଭାବିକ । କାରଣ, ଅଧିକାଂଶଙ୍କ ମତରେ ଇଂରାଜୀ ଏବଂ ଓଡ଼ିଆ ଦୁଇ ସଉତୁଣୀ । କିନ୍ତୁ ପ୍ରକୃତରେ ଏ ଦୁଇଜଣ ସଉତୁଣୀ ନୁହଁନ୍ତି, ଦୁଇ ଭଉଣୀ । ଏ ଦୁଇଜଣ ସାଥିରେ ରହି ପରସ୍ପରକୁ ସାହାଯ୍ୟ କଲେ ହେବ ଦୁଇଜଣଙ୍କର ଉନ୍ନତି, ବିଶେଷ ଭାବେ ଆମ ଓଡ଼ିଆ ଭାଷା ଏବଂ ସାହିତ୍ୟର । ଅତୀତରେ ଓଡ଼ିଆ ଏବଂ ସଂସ୍କୃତ ଥିଲେ ଦୁଇ ଭଉଣୀ ପରି । ଓଡ଼ିଆ ପ୍ରଫେସରମାନେ ଥିଲେ ଏ ଦୁଇ ଭାଷାରେ ପଣ୍ଡିତ । ସଂସ୍କୃତ ଭାଷା ସହାୟତାରେ ସମୃଦ୍ଧ କରାଇଥିଲେ ଓଡ଼ିଆ ଭାଷାକୁ । ଏବେ ସମୟ ବଦଳି ଯାଇଛି । ଆବଶ୍ୟକ ଅଛି ଓଡ଼ିଆ ପ୍ରଫେସରମାନେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପଣ୍ଡିତ ହେବା, ଓଡ଼ିଆ ଭାଷା ଏବଂ ସାହିତ୍ୟର ହିତ ପାଇଁ । ଓଡ଼ିଆ ଭାଷା ଏବଂ ସାହିତ୍ୟ ଚର୍ଚ୍ଚା କରୁଥିବା ଲୋକେ ଜାଣିବା ଆବଶ୍ୟକ ପୃଥିବୀର ଅନ୍ୟ ଭାଷା ଏବଂ ସାହିତ୍ୟ ସଂପର୍କରେ, ନିଜ ସାହିତ୍ୟ ଏବଂ ଭାଷାର ଉନ୍ନତି ପାଇଁ । ତାହା ସମ୍ଭବ ଇଂରାଜୀ ଭାଷା ମାଧ୍ୟମରେ । ତେଣୁ ଆବଶ୍ୟକ ଅଛି ଓଡ଼ିଆ ଏମ.ଏ. ପାଠରେ ଦୁଇଶହ ନମ୍ବରର ଇଂରାଜୀ ପାଠ ଦୁଇଟି ପେପର, କୋଡ଼ିଏ ନମ୍ବର ନୁହେଁ । ସେମିତି ମଧ୍ୟ ଆବଶ୍ୟକ ଅଛି ଇଂରାଜୀ ଏମ.ଏ. ପାଠରେ ଦୁଇଶହ ନମ୍ବରର ଓଡ଼ିଆ ପାଠ ଓଡ଼ିଆ ଭାଷା ଓ ସାହିତ୍ୟ । ଏ କଥା ଅନେକଙ୍କୁ ଏବେ ବେଶ୍‌ ଅଡ଼ୁଆ ଅଡ଼ୁଆ ଲାଗିବ । କିନ୍ତୁ ଭବିଷ୍ୟତରେ ତାହା ହିଁ ହେବ ।

ଓଡ଼ିଆ ଏମ.ଏ. ପାଠରେ ଦୁଇଟି ପେପର ଇଂରାଜୀ ପାଠ ରହିବାର ଆବଶ୍ୟକତା ସଂପର୍କରେ ଆମେ ବୁଝିଗଲୁ । ହେଲେ, ଇଂରାଜୀ ଏମ.ଏ. ପାଠରେ ଦୁଇଟି ପେପର ଓଡ଼ିଆ ଭାଷା ଓ ସାହିତ୍ୟ ରହିବାର କାରଣ କ’ଣ? ଆମ ସ୍କୁଲ କଲେଜର ପାଠ ଏମିତି ହେବା ଦରକାର, ଯଦ୍ୱାରା ଆମ ଛାତ୍ରଛାତ୍ରୀମାନଙ୍କର ଦୁଇଟି ଭାଷାରେ ଦକ୍ଷତା ରହିବ । ତାହା ହେଲେ  ସେମାନେ ନିଜ ନିଜ କାମ ସ୍ୱଚ୍ଛନ୍ଦରେ କରିବା ସହ ଆମ ମାତୃଭାଷା ଏବଂ ସାହିତ୍ୟର ଉନ୍ନତି କରିପାରିବେ । ଏବେ କିନ୍ତୁ ଆମ ଶିକ୍ଷା ଏକପାଖିଆ । କିଛି ଛାତ୍ରଛାତ୍ରୀମାନଙ୍କର ଇଂରାଜୀ ଦକ୍ଷତା ସବଳ ଥିଲାବେଳେ ଓଡ଼ିଆ ଦକ୍ଷତା ଦୁର୍ବଳ । ଏମାନେ ସବୁ ହେଲେ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ । ଆଉ ଓଡ଼ିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ କଥା ଠିକ୍‌ ଓଲଟା । ଏ ଅସୁବିଧା ଆମ ଏକପାଖିଆ ଶିକ୍ଷାବ୍ୟବସ୍ଥା ଯୋଗୁଁ । ବିଶେଷଜ୍ଞଙ୍କ ମତ, ମାତୃଭାଷା ମାଧ୍ୟମ ସ୍କୁଲମାନଙ୍କରେ ଠିକ୍‌ ସିଲାବସ୍‌, ପାଠ୍ୟ ସାମଗ୍ରୀ ଏବଂ ପାଠ ପଦ୍ଧତି ଦ୍ୱାରା ଦୁଇଟି ଭାଷାର ଦକ୍ଷତା ଏକସଙ୍ଗରେ ବୃଦ୍ଧି କରାଯାଇପାରିବ, ଯାହା ବିଜ୍ଞାନସମ୍ମତ । ଏ ମତ ସପକ୍ଷରେ ରହିଛି ଭାଷାବିଜ୍ଞାନ ଗବେଷଣାର ଫଳାଫଳ । ସେମାନଙ୍କ ମତରେ, ବାହାରକୁ ଅଲଗା ଦେଖାଯାଉଥିଲେ ମଧ୍ୟ ପୃଥିବୀର ଭାଷାମାନଙ୍କ ମଧ୍ୟରେ ରହିଛି ପାଖାପାଖି ଅଶି ପ୍ରତିଶତ ସାମଞ୍ଜସ୍ୟ । ତାହା କେବଳ ଭାଷା-ଭାଷା ମଧ୍ୟରେ ନୁହଁ, ଭାଷାର ମୁଖ୍ୟ ଦକ୍ଷତାମାନଙ୍କ ଭିତରେ ମଧ୍ୟ । ଭାଷାର ଚାରିଟି ମୁଖ୍ୟ ମୌଳିକ ଦକ୍ଷତା ହେଲା- ଶୁଣିବା, କହିବା, ପଢ଼ିବା ଏବଂ ଲେଖିବା । ସେ ଚାରି ଭାଷା ଦକ୍ଷତାମାନଙ୍କର ଗୁଣଗୁଡ଼ିକ ପ୍ରାୟତଃ ସବୁ ଭାଷାରେ ସମାନ । ଏଇ ଯେମିତି ପଢ଼ିବା ଦକ୍ଷତାର କିଛି ଗୁଣ ହେଲା ପଢ଼ିଥିବା ପାଠର ତଥ୍ୟ ବୁଝିବା, ଅଜଣା ଶବ୍ଦର ଅର୍ଥ ପଢ଼ିଥିବା ପାଠର ପରିପ୍ରେକ୍ଷୀରୁ ଅନୁମାନ କରିବା, ପଢ଼ିଥିବା ପାଠର ଘଟଣାରୁ ନପଢ଼ିଥିବା ପର ପାଠର ଘଟଣାକୁ ଅନୁମାନ କରିବା ଇତ୍ୟାଦି ଇତ୍ୟାଦି । ପଠନର ଏସବୁ ଗୁଣ ସବୁ ଭାଷାର ପଠନରେ ସମାନ । ପଠନକୁ କୁହାଯାଏ ଗୋଟିଏ ଅନୁମାନର ଖେଳ, ଗୋଟିଏ ଗେସିଂ ଗେମ୍‌ । ଏହା ସବୁ ଭାଷାରେ ପଠନ ଦକ୍ଷତା ପାଇଁ ପ୍ରଯୁଜ୍ୟ ।

ଏ ସବୁର ଅର୍ଥ ହେଲା, ଗୋଟିଏ ଭାଷା ଶିଖିଥିଲେ ଅନ୍ୟ ଭାଷା ଶିଖିବା ସହଜ, ଯଦି ଆମ ପାଠ୍ୟ ସାମଗ୍ରୀ ଏବଂ ପାଠ୍ୟ ପଦ୍ଧତି ଅନୁକୂଳ ରହେ । ସେଥିପାଇଁ ଗୋଟିଏ ଭାଷାରେ ଦକ୍ଷତା ଅର୍ଜନ ପରେ ଦ୍ୱିତୀୟ ଭାଷା ଶିକ୍ଷା ଦେବା ଦରକାର । ତାହେଲେ ପ୍ରଥମ ଭାଷା ଦକ୍ଷତାଗୁଡ଼ିକ ଅନାୟାସରେ ଦ୍ୱିତୀୟ ଭାଷାକୁ ସଞ୍ଚରି ଯିବ । ତେବେ ପ୍ରଶ୍ନ ଉଠେ, ଛାତ୍ରଛାତ୍ରୀମାନଙ୍କର ପ୍ରଥମ ଭାଷାଟି କ’ଣ ହେବା ଦରକାର । ପ୍ରଥମ ଭାଷା ଶିକ୍ଷା ଯେ ମାତୃଭାଷାରେ ହେବା ଆବଶ୍ୟକ ତାହା ସହଜରେ ଅନୁମେୟ । କାରଣ, ମାତୃଭାଷାର ଅଧା ଶିକ୍ଷା ଘର ପରିବେଶରୁ ହୋଇ ସାରିଥାଏ । ତାହା ହେଲେ ପ୍ରଥମରୁ ଇଂରାଜୀ ଭାଷାରେ ଶିକ୍ଷା ପାଇଁ ଆମେ ଏତେ ଆଗ୍ରହୀ କାହିଁକି? ତାର କାରଣ, ବିଜ୍ଞାନସମ୍ମତ ଭାଷା ଶିକ୍ଷାର ତଥ୍ୟ ସମ୍ବନ୍ଧରେ ଆମେ ଅଜ୍ଞ । ଏ ଅଜ୍ଞତା ବେଶୀ ଦିନ ରହିବ ନାହିଁ । ଦିନ ଆସିବ, ଇଂରାଜୀ ମାଧ୍ୟମ ଶିକ୍ଷା ମୋହ ଆମର ଭଙ୍ଗ ହେବ । ଆମ ଦେଶରେ ସବୁ ଛାତ୍ରଛାତ୍ରୀ ମାତୃଭାଷା ମାଧ୍ୟମରେ ଶିକ୍ଷାଲାଭ କରିବେ ଯାହା ସମ୍ଭବ ହେଇଛି ଜର୍ମାନୀ, ଫିନଲାଣ୍ଡ, ଇଟାଲି, ଫ୍ରାନ୍ସ ଏବଂ ଜାପାନ ଭଳି ଉନ୍ନତ ଦେଶମାନଙ୍କରେ । ସେସବୁ ଦେଶରେ ଇଂରାଜୀ ପଢ଼ା ଡେରିରେ ହେଲେ ମଧ୍ୟ ସେ ଭାଷାରେ ଦକ୍ଷତା ଅର୍ଜନ ସହଜ ହୁଏ । ଦୁଇ ଭାଷାର ଦକ୍ଷତା ଅର୍ଜନ ସମ୍ଭବ ହୁଏ ମାତୃଭାଷା ମାଧ୍ୟମ ଶିକ୍ଷା ଦ୍ୱାରା । ଆମ ରାଜ୍ୟ ଏବଂ ଦେଶରେ ମଧ୍ୟ ତାହା ସମ୍ଭବ, ପରୀକ୍ଷା କରି ଦର୍ଶାଯାଇଛି ଆମ ରାଜ୍ୟର ସହର ପଛୁଆ ଅଞ୍ଚଳର ମାଲକାନଗିରିର ଗୋଟିଏ ସ୍କୁଲରେ । ଏ ସ୍କୁଲରେ ଛାତ୍ରଛାତ୍ରୀ ଓଡ଼ିଆରେ ଯେତିକି ଭଲ, ସେତିକି ଭଲ ଇଂରାଜୀରେ ।

ନିକଟ ଅତୀତରେ ସେ ସ୍କୁଲର ଇଂରାଜୀ ଶିକ୍ଷକ ନିର୍ବାଚନ ପାଇଁ ଗୋଟିଏ ପରୀକ୍ଷା ହେଇଥିଲା । ସମାନ ପ୍ରଶ୍ନ ଦିଆଯାଇଥିଲା ଚାରିଜଣ ଶିକ୍ଷକ ପ୍ରାର୍ଥୀ ଏବଂ ସେ ସ୍କୁଲର ଅଷ୍ଟମ ଶ୍ରେଣୀର କିଛି ଛାତ୍ରଛାତ୍ରୀମାନଙ୍କ ପାଇଁ । ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ପ୍ରାର୍ଥୀମାନଙ୍କ ଠାରୁ ଅଧିକ ନମ୍ବର ରଖିଥିଲେ । ଚାରିଜଣ ଶିକ୍ଷକ ପ୍ରାର୍ଥୀମାନଙ୍କ ମଧ୍ୟରୁ କିଛିଜଣ ଇଂରାଜୀ ଅନର୍ସ ସହ ବି.ଏ. ପାସ୍‌ କରିଥିଲେ ଜୟପୁରର ବିକ୍ରମ ଦେବ କଲେଜରୁ । ଏ ଲେଖକ ନିଜେ ସେ ସ୍କୁଲର ଛାତ୍ରଛାତ୍ରୀମାନଙ୍କର ଓଡ଼ିଆ ଏବଂ ଇଂରାଜୀ ଦକ୍ଷତା ଜାଣିବା ପାଇଁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ପରୀକ୍ଷା କରିଥିଲେ ଦଶମ ଶ୍ରେଣୀର ଇଂରାଜୀ ଏବଂ ଓଡ଼ିଆ ବହିର ଦୁଇଟି ପାଠ । ଫଳାଫଳ ଥିଲା ଅତି ଉତ୍ସାହଜନକ । ଏଥିରୁ ଜଣାପଡ଼େ, ଇଂରାଜୀ ଭାଷା ଦକ୍ଷତା ପାଇଁ ସ୍ୱତନ୍ତ୍ର ଇଂରାଜୀ ମାଧ୍ୟମ ସ୍କୁଲର ଆବଶ୍ୟକତା ନାହିଁ । ଆମମାନଙ୍କର ଅଜ୍ଞତା ହେତୁ ଆମେ ମୋହଗ୍ରସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ପ୍ରତି । ଭବିଷ୍ୟତରେ ଆମର ଏ ମୋହ ଭଙ୍ଗହେବ ଏବଂ ଆମ ରାଜ୍ୟର ସବୁ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ ଓଡ଼ିଆ ମାଧ୍ୟମ ସ୍କୁଲରେ ।

ଏବେ ଫେରିଯିବା ପୁଣି ସେଇ ଇଂରାଜୀ ଏମ.ଏ. ପାଠରେ ଓଡ଼ିଆରେ ଦୁଇଟି ଦୁଇଶହ ନମ୍ବରର ବିଷୟକୁ । ଏ ବିଷୟ କଥା ଆଲୋଚନାକୁ ନେଲେ ମନେପଡ଼େ କେତେଜଣ ଓଡ଼ିଆ ସାହିତ୍ୟର ମହାରଥୀଙ୍କ କଥା । ଏଇ ଯେମିତି ମାୟାଧର ମାନସିଂ, ଗୋପୀନାଥ ମହାନ୍ତି, ବସନ୍ତ ସତପଥୀ, ମନୋଜ ଦାସ, ଚନ୍ଦ୍ରଶେଖର ରଥ, ସୌରୀନ୍ଦ୍ର ବାରିକ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର, ରାମଚନ୍ଦ୍ର ବେହେରାଙ୍କ କଥା । ଏମାନେ ସବୁ ଇଂରାଜୀ ସାହିତ୍ୟର ଛାତ୍ର । ଏମାନେ ଏତେ ବଡ଼ ଓଡ଼ିଆ ଲେଖକ ହେବାରେ ଇଂରାଜୀ ସାହିତ୍ୟ ପାଠର କିଛି ଅବଦାନ ଅଛି କି? ଏହା ଗବେଷଣା ସାପେକ୍ଷ । ଏ ସମ୍ବନ୍ଧରେ ମୁଁ ଆଲୋଚନା କରିଥିଲି ପ୍ରଖ୍ୟାତ ଅନୁବାଦକ ପ୍ରଫେସର ବିକ୍ରମ ଦାସଙ୍କ ସହ । ତାଙ୍କ ମତରେ, କେବଳ ମାତୃଭାଷାରେ ହିଁ ସଫଳ ସାହିତ୍ୟ ସୃଷ୍ଟି ସମ୍ଭବ । ଏମାନଙ୍କ ଦ୍ୱାରା ଇଂରାଜୀରେ ଲେଖାଲେଖି କଷ୍ଟସାଧ୍ୟ ହୋଇଥାନ୍ତା । ଅବଶ୍ୟ ସେମାନଙ୍କର ସେଥିପାଇଁ ଇଂରାଜୀ ସାହିତ୍ୟ ପାଠର କିଛି ଅବଦାନ ନିଶ୍ଚିତ ଭାବେ ରହିଛି ।


କେବଳ ଇଂରାଜୀ ଏବଂ ଓଡ଼ିଆ ଦୁଇ ଭାଷାରେ ମିଶାମିଶି ଏମ.ଏ. ପାଠ ନୁହଁ, ବହୁ ଭାଷାଭାଷୀ ଦେଶମାନଙ୍କରେ ଦୁଇରୁ ଅଧିକ ଭାଷା ମିଶାମିଶି ଏମ.ଏ. ପାଠ ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ ରହିଛି । ଯେଉଁମାନେ ଏ ସମ୍ଭାବନା ଅସମ୍ଭବ ବୋଲି ଭାବୁଛନ୍ତି ଗଲା ଦଶବର୍ଷ ତଳୁ ଆରମ୍ଭ ହୋଇଥିବା ନାଇଜାର ଆଇଜାର ଭଳି ଅନୁଷ୍ଠାନମାନଙ୍କର ଏମ.ଏସି. ପାଠକୁ ଦେଖନ୍ତୁ । ଏମ.ଏସି. ଇନ୍‌ ଇଣ୍ଟିଗ୍ରେଟେଡ ସାଇନ୍ସ । ସବୁ ବିଜ୍ଞାନ ବିଷୟକୁ ମିଶାଇ ଏମ.ଏସି. ଡିଗ୍ରୀ । ଅତୀତରେ ଏ ପ୍ରକାରର ଡିଗ୍ରୀ କଥା ଆମେ କ’ଣ କେବେ ଭାବିଥିଲୁ । କିନ୍ତୁ ଏବେ ତ ସେ ଡିଗ୍ରୀ ଅତି ଲୋକପ୍ରିୟ । ପ୍ରାୟତଃ ସେ ଡିଗ୍ରୀ କରିଥିବା ସମସ୍ତ ଛାତ୍ରଛାତ୍ରୀ ପାଉଛନ୍ତି ନିଯୁକ୍ତି । ତାହା ବ୍ୟତୀତ ସେ ଛାତ୍ରଛାତ୍ରୀମାନେ ବିଜ୍ଞାନକୁ ଯେମିତି ବୁଝିଛନ୍ତି ଅଲଗା ଅଲଗା ବିଜ୍ଞାନ ବିଷୟରେ ଡିଗ୍ରୀ କରିଥିବା ଛାତ୍ରଛାତ୍ରୀ ସେମିତି ବୁଝିନାହାଁନ୍ତି । ଭବିଷ୍ୟତରେ ଏମ.ଏ. ଇନ୍‌ ଇଣ୍ଟିଗ୍ରେଟେଡ ଭାଷାର ଡିଗ୍ରୀ ସେମିତିକା ଲୋକପ୍ରିୟ ଏବଂ ଉପାଦେୟ ହେବ ।

ଅବଶେଷରେ, ଧନ୍ୟବାଦ ଦେବି ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ମହୋଦୟାଙ୍କୁ ଏମିତି ଗୋଟିଏ ଭାଷା ଶିକ୍ଷା କ୍ଷେତ୍ରରେ, ନୂଆ ପରିବର୍ତ୍ତନ ଆଣିଥିବାରୁ । କିନ୍ତୁ ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, କମ୍ୟୁନିକେସନ ପାଇଁ ଭାଷାର ଅବଦାନ ଯେତିକି ନୁହଁ, ତା’ଠାରୁ ବେଶୀ ଅବଦାନ ରହେ ଦେହର ଭାଷା (ବଡି ଲାଙ୍ଗୁଏଜ) ଏବଂ କହିବା ଟୋନ୍‌ର । କମ୍ୟୁନିକେସନ କ୍ଷେତ୍ରରେ ବିଶେଷଜ୍ଞଙ୍କ ମତରେ, ଭାଷାର ପ୍ରତିଶତ ସାତ ଥିବାବେଳେ, ବଡି ଲାଙ୍ଗୁଏଜର ପ୍ରତିଶତ ଥାଏ ୫୫ ଏବଂ ଟୋନ୍‌ର ପ୍ରତିଶତ ୩୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.