ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ଥାଳିରେ ଗ୍ୟାରେଣ୍ଟିର ବର୍ଷା: ବିଜେଡି, ବିଜେପି, କଂଗ୍ରେସ ଚଳାଇଛନ୍ତି କସରତ, ଏତେ ଟଙ୍କା ଆସିବ କୁଆଡ଼ୁ ?

ଭୁବନେଶ୍ୱର,୧୩/୦୫: ମହିଳାଙ୍କୁ ଲକ୍ଷେ ଟଙ୍କା, ୩ ହଜାର ଟଙ୍କା ବେକାରୀ ଭତ୍ତା, କୃଷି ଋଣ ଛାଡ଼, ମାଗଣା ବିଜୁଳି, ରିହାତି ଗ୍ୟାସ, ଛାତ୍ରବୃତ୍ତି, ୩ ହଜାର ଟଙ୍କା ଯାଏ ବାର୍ଦ୍ଧକ୍ୟ ଭତ୍ତା... ।

ଏମିତି ଗ୍ୟାରେଣ୍ଟି ଉପରେ ଗ୍ୟାରେଣ୍ଟି ବର୍ଷା କରି ଚାଲିଛନ୍ତି ରାଜନୈତିକ ଦଳମାନେ । ଭୋଟରଙ୍କ ଥାଳିରେ ପ୍ରତିଶ୍ରୁୂତିର ଗ୍ୟାରେଣ୍ଟି ଥୋପି ଚାଲିଛନ୍ତି ସବୁ ଦଳ । ପୃଷ୍ଠା ପୃଷ୍ଠା ପ୍ରତିଶ୍ରୁତି । ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ତରଫରୁ ଗ୍ୟାରେଣ୍ଟିର ପାହାଡ଼ ଛିଡ଼ା ହୋଇଛି ଭୋଟରଙ୍କ ଦୁଆର ମୁହଁରେ । କେଉଁ ଗ୍ୟାରେଣ୍ଟି ପାଇଁ କେତେ ଖର୍ଚ୍ଚ ହେବ? ଏତେ ଟଙ୍କା ଆସିବ କୁଆଡୁ? ଏ ହିସାବ କେହି ଦେଉ ନାହାନ୍ତି । ଏକ ଆକଳନ କହୁଛି, ପ୍ରତି ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ଲକ୍ଷେ ଟଙ୍କା ବଣ୍ଟାଗଲେ ଅତି କମ୍‌ରେ ଲକ୍ଷେ କୋଟି ଟଙ୍କା ଖର୍ଚ୍ଚ ହେବ । 

୫୦ ହଜାର କୋଟି କୃଷି ଋଣ ଗଡ଼ୁଛି । ମାଗଣା ବିଜୁଳିରେ ୪ ହଜାର କୋଟି  ଓ ବେକାରୀ ଭତ୍ତାରେ ୧୫୦୦ କୋଟି- ଏମିତି ଲମ୍ବା ହିସାବ। ଓଡ଼ିଶାର ବଜେଟ ଆକାର ୨ ଲକ୍ଷ ୫୫ ହଜାର କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୨ ଲକ୍ଷ ୪ ହଜାର କୋଟି ହେବ ବୋଲି ଆକଳନ କରାଯାଇଛି । ଏତେ ସବୁ ଗ୍ୟାରେଣ୍ଟିକୁ ଭରଣା କଲେ ରାଜକୋଷ ଖାଲି ହୋଇଯିବ । ବାକି ଖର୍ଚ୍ଚ ଭରଣା ହେବ କେଉଁଠୁ, ରାଜ୍ୟ ଚାଲିବ କେମିତି ବୁଝାପଡ଼ୁ ନାହିଁ ।    

କଂଗ୍ରେସ, ବିଜେପି ଓ ବିଜେଡି ନିର୍ବାଚନୀ ଇସ୍ତାହାରରେ ଭଳି କି ଭଳି ଲୋଭନୀୟ ଅଫର ଛାଡ଼ିଛନ୍ତି । ସବୁ ଦଳର ଟାର୍ଗେଟ- ଯେମିତି ଭୋଟରଙ୍କ ପକେଟକୁ ସିଧା ଲାଭ ପହଞ୍ଚିବ । ଭୋଟର କାହାକୁ ଭରସିବେ ଜୁନ୍‌ ୪ ଇଭିଏମ ପେଡ଼ି ଖୋଲିବା ପରେ ଜଣାପଡ଼ିବ । 

ତିନିଟା ଯାକ ଦଳ ମହିଳାଙ୍କ ଭୋଟ ହାତେଇବାକୁ ବଡ଼ ବଡ଼ ଘୋଷଣା କରିଛନ୍ତି । ସର୍ବପ୍ରଥମେ କଂଗ୍ରେସ ଘୋଷଣା କରି ଦେଇଛି, ଗୃହ ଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବୁ । ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଦେବୁ । ଗ୍ୟାସ ସିଲିଣ୍ଡର ୫ ଶହ ଟଙ୍କାରେ ଯୋଗାଇବୁ । ଏହାକୁ କଂଗ୍ରେସ ନିଜର ଟ୍ରମ୍ପ କାର୍ଡ ଭାବି ସବୁ ସଭା, ସମାବେଶରେ ପ୍ରଚାର କରି ଚାଲିଛି ।

ବିଜେପି ବି ମହିଳାଙ୍କ ଭୋଟ ଭିଡ଼ିବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଛି । ବିଜେପି କହୁଛି, ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବୁ । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହେବେ ରାଜ୍ୟରେ ବୋଲି ବିଜେପି ଦାବି କରୁଛି ।

ବିଜେଡି ଏ ଦୌଡ଼ରେ ପଛରେ ନାହିଁ । ବିଜେଡି ଘୋଷଣା କରିଛି, ଏଥର ସରକାର ଆସିଲେ ମିଶନ ଶକ୍ତି ମହିଳାଙ୍କୁ ପେନସନ ଦେବୁ । ବିନା ସୁଧରେ ୧୫ ଲକ୍ଷ ଯାଏଁ ସୁଧ ମିଳିବ । ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ) ସାମିଲ କରାଯିବ ।

ତିନି ଦଳ ମହିଳା ଭୋଟ ହାତେଇବାକୁ ଏମିତି କେତେ କ’ଣ ଘୋଷଣା କରି ଚାଲିଛନ୍ତି । ମହିଳା ଭୋଟ କୁଆଡ଼େ ଯିବ, ତାହା ଗଣତିରେ ଜଣାପଡ଼ିବ ।

ବିଜୁଳି ଉପଭୋକ୍ତା ପାଇଁ ବି ସବୁ ଦଳ ବଡ଼ବଡ଼ ଅଫର ଫିଙ୍ଗିଛନ୍ତି । ବିଜୁଳି ବିଲ୍‌ର ଚାପ କମାଇ ଭୋଟ ଭିଡ଼ିବାକୁ ସବୁ ଦଳ ଲାଗିଛନ୍ତି । କଂଗ୍ରେସ କହୁଛି, ସରକାରକୁ ଆସିଲେ ୨୦୦ ୟୁନିଟ୍‌ ଯାଏଁ ଘରୋଇ ଉପଭୋକ୍ତାଙ୍କ ବିଜୁଳି ଦେୟ ଛାଡ଼ କରିବ । ବିଜେଡି ଗ୍ୟାରେଣ୍ଟି ଦେଉଛି, ସରକାରକୁ ଆସିଲେ ୧୦୦ ୟୁନିଟ୍‌ ବିଜୁଳି ବିଲ୍‌ ସମ୍ପୂର୍ଣ୍ଣ ମାଗଣା । ୧୦୦ରୁ ୧୫୦ ୟୁନିଟ୍‌ ଯାଏଁ ଉପଭୋକ୍ତାଙ୍କୁ ୫୦ ୟୁନିଟ୍‌ ରିହାତି ମିଳିବ । ଏହାକୁ ବିଜେଡି ତା’ର ବଡ଼ ନିର୍ବାଚନୀ ପ୍ରତିଶ୍ରୁୂତି କରିଛି ୨୦୨୪ ନିର୍ବାଚନ ପାଇଁ । 

ବିଜେପି ଦଳ ପ୍ରତିଶ୍ରୁତି ଦେଉଛି-ଆମେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ବିଜୁଳି ଦେବୁ । ଯୁବ ଭୋଟ ଉପରେ ସଭିଙ୍କର ଆଖି । ୧୮-୨୯ ବର୍ଷ ବୟସ୍କ ମୋଟ ଯୁବ ଭୋଟରଙ୍କ ସଂଖ୍ୟା ପ୍ରାୟ ୮୦ ଲକ୍ଷ । ଏହି ଭୋଟ ଯୁଆଡ଼େ ଯିବ, ସୁଅ ଭଳି ମୁହାଁଇବ । ଏକଥାକୁ ବୁଝି ତିନି ଦଳ ଲାଗି ପଡ଼ିଛନ୍ତି ଯୁବଙ୍କ ମନ ଜିତିବାକୁ । 

କଂଗ୍ରେସର ଅଫର୍‌-ଆମକୁ ଭୋଟ ଦିଅ, ଆମେ ୫ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ଦେବୁ । ଯୁବବର୍ଗଙ୍କୁ ଆପ୍ରେଣ୍ଟିସ ତାଲିମ ଦେବା ସହ ଦରମା ବି ଦେବୁ । ଖାଲି ସେତିକି ନୁହେଁ, କଂଗ୍ରେସ ଆହୁରି ଦି’ ପାଦ ଆଗକୁ ଯାଇ ଘୋଷଣା କରିଛି, ଚାକିରି ନଥିଲେ ବେକାରୀ ଭତ୍ତା ଦେବୁ ମାସିକ ୩ ହଜାର ଟଙ୍କା ।

ବିଜେପି ନିଜ ସଂକଳ୍ପପତ୍ରରେ  ପ୍ରତିଶ୍ରୁତି ଦେଇଛି,  ୨୦୨୯ ସୁଦ୍ଧା ରାଜ୍ୟରେ ସାଢ଼େ ୩ ଲକ୍ଷ ଲୋକଙ୍କୁ ଚାକିରି ଦେବୁ । ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦ ପୂରଣ ହେବ । ଏହି ପଦବୀରେ ଓବିସି ଓ ଆର୍ଥିକ ଦୁର୍ବଳ ଶ୍ରେଣୀକୁ ଅଗ୍ରାଧିକାର ମିଳିବ । 

ବିଜେଡି ଇସ୍ତାହାରରେ ବି ଯୁବବର୍ଗଙ୍କୁ ସ୍ୱତନ୍ତ୍ର ଫୋକସ । ବିଜେଡିର ଘୋଷଣା- ୧୦ ବର୍ଷ ପାଇଁ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ଯୁବ ବଜେଟ ଆସିବ । ପ୍ରତିବର୍ଷ ୧୦ ହଜାର କୋଟି ଖର୍ଚ୍ଚ ହେବ ଯୁବ ବିକାଶ ପାଇଁ । ସ୍ୱୟମ ଯୋଜନା ଋଣ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ । ନୂଆ ଓ ଯୋଜନାରେ ଛାତ୍ର ବୃତ୍ତି ପରିମାଣ ବଢ଼ିବ । ଛାତ୍ରଙ୍କୁ ବାର୍ଷିକ ୧୨ ହଜାର ଓ ଛାତ୍ରୀଙ୍କୁ ମିଳିବ ୧୪ ହଜାର ଟଙ୍କା । 

ଏଥିରୁ ସ୍ପଷ୍ଟ, ତିନି ଦଳ ଯୁବ ଭୋଟରଙ୍କ ମନ ଜିତିବାକୁ ପୂରା ଦମ୍‌ ଲଗାଇ ଦେଇଛନ୍ତି । ସୋସିଆଲ୍‌ ମିଡିଆରେ ଏ ନେଇ ଘନଘନ ପ୍ରଚାର ଚାଲିଛି ।ଚାଷୀ ଏବେ ସଭିଙ୍କର ଲୋଡ଼ା । ନିର୍ବାଚନ ଜିତିବା ପାଇଁ ଚାଷୀ ପାଇଁ ବଡ଼ବଡ଼ ଘୋଷଣା ଫିଙ୍ଗିଛନ୍ତି ସମସ୍ତେ । କଂଗ୍ରେସର ଅଫର୍‌- ଚାଷୀଙ୍କୁ ବୋନସ ସହ ଧାନ କୁଇଣ୍ଟାଲ ୩ ହଜାର ଟଙ୍କା କରିଦେବୁ । କୃଷି ଋଣ ଛାଡ଼ ହେବ । ଖାଲି ସେତିକି ନୁହେଁ, ପ୍ରତି ଚାଷୀକୁ ମାସିକ ୨ ହଜାର ଟଙ୍କା ପେନସନ ଦେବାକୁ କଂଗ୍ରେସ ଇସ୍ତାହାର ଦେଇଛି । 

ବିଜେପି ଘୋଷଣା କରିଛି- ଧାନର କୁଇଣ୍ଟାଲ ୩୧୦୦ ଟଙ୍କା କରିଦେବୁ । କୃଷି ଯନ୍ତ୍ରପାତି ପାଇଁ ୮୦ରୁ ୮୫% ସବ୍‌ସିଡି ମିଳିବ । ବିଜେଡି ବି କହିଛି, ଚାଷ ପାଇଁ ମାଗଣା ବିଜୁଳି ଦେବୁ । ଝିଅ ବାହାଘର ପାଇଁ ଚାଷୀ ପରିବାରକୁ ୨୫ ହଜାର ଟଙ୍କା ସହାୟତା, ବିନା ସୁଧରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମିଳିବ । ମତ୍ସ୍ୟଜୀବୀଙ୍କୁ ୧୫ ହଜାର ଟଙ୍କା ଦିଆଯିବ । 

ସାଧାରଣ ଭୋଟରଙ୍କ ମନ ଜିତିବାକୁ କଂଗ୍ରେସ କହୁଛି, ମାସିକ ୨ ହଜାର ଟଙ୍କା ଭତ୍ତା ଦେବୁ । ବିଜେପିର ଦାବି ଆମେ ୩ ହଜାର ଟଙ୍କା ଭତ୍ତା ଦେବୁ । ବିଜେଡିର ଘୋଷଣା- ମଧୁବାବୁ ପେନସନକୁ ଆହୁରି ସମ୍ପ୍ରସାରଣ କରାଯିବ । ମଧ୍ୟବିତ୍ତଙ୍କୁ ବି ବିଏସକେୱାଇ ସ୍ୱାସ୍ଥ୍ୟ ସୁବିଧା ମିଳିବ। ନିର୍ବାଚନୀ ଥାଳିରେ ଏତେ ସବୁ ଅଫର ପାଇ ଭୋଟର କାହାକୁ ଭରସିବେ, ତାହା ସମୟ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.