ବାରଙ୍ଗ,୧୮/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରବିବାର ଦୁଇ ନୂଆ ପ୍ରଜାତିର ଜନ୍ତୁ ଆସିଛନ୍ତି । ସେଥିରେ ଗୋଟିଏ ଅଣ୍ଡିରା ୱାଲାବି ଓ ଗୋଟିଏ ଲିଭିଂଷ୍ଟୋନ ଟୁରାକୋ ଥିବା ଜଣାପଡ଼ିଛି । ଆସିବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ନିକଟରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । କିଛି ଦିନ ରହିବା ପରେ ସେମାନଙ୍କୁ ପୂର୍ବରୁ ଆସିଥିବା ଜନ୍ତୁ ମାନଙ୍କ ସହିତ ଛଡ଼ାଯିବ ।
ସୂଚନା ଯୋଗ୍ୟ ୨୦୨୩ ଡିସେମ୍ବର ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଦୁଇଟି ୱାଲାବି ଓ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଅଣାଯାଇଥିଲା । ଆସିବାର ଗୋଟିଏ ଦିନ ପରେ ଗୋଟିଏ ଟୁରାକୋର ମୃତ୍ୟୁ ହୋଇଥିବା ବେଳେ ଗତ ୧୨ ତାରିଖ ସକାଳୁ ଏକ ଅଣ୍ଡିରା ୱାଲାବିର ମୃତ୍ୟୁ ହୋଇଥିଲା । ତେଣୁ ମୃତ୍ୟୁ ହୋଇଥିବା ଦୁଇ ଜନ୍ତୁଙ୍କୁ ପୁଣି ଉକ୍ତ ଫାର୍ମ ଦେଇଥିବା ଜଣାପଡ଼ିଛି । ତେବେ ପୁନର୍ବାର ଆସିଥିବା ଜନ୍ତୁ ଗୁଡ଼ିକୁ ଆଣିବା ପାଇଁ କିଛି ମୁଲ୍ୟ ଲାଗିଛି କି ନାହିଁ ତାହା ଜାଣିବା ପାଇଁ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରଥିଲେ ମଧ୍ୟ ଖବର ଲେଖା ହେବା ବେଳକୁ ସେ କିଛି ଉତ୍ତର ଦେଇନଥିଲେ ।