କଟକ, ୨। ୬ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ଆହତଙ୍କର ଶନିବାର ରାତିରେ ଏସ ସି ବି ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଦିବ୍ୟରଞ୍ଜନ ସାହୁ । ପିତାଙ୍କ ନାମ ଦୁଷ୍ମନ୍ତ ସାହୁ ବୋଲି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ସୂଚନା ଦେଇଥିଲେ।
ସେ ପ୍ଲାଷ୍ଟିକ ସର୍ଜରୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ଭର୍ତ୍ତି ହେବାଠାରୁ ଏ ପର୍ଯ୍ୟନ୍ତ ତାଙ୍କୁ ଦେଖା କରିବାକୁ କେହି ଆସିନାହାନ୍ତି କିମ୍ବା ମରଶରୀର ନେବାକୁ ମଧ୍ୟ କେହି ପହଂଚି ନାହାନ୍ତି। ତାଙ୍କ ସଠିକ ପରିଚୟ ପ୍ରଦାନ ପୂର୍ବକ ମରଶରୀର ନେବାକୁ ଏସ ସି ବି କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ମୃତବ୍ୟକ୍ତିଙ୍କ ଶରୀରର ଅଧିକାଂଶ ଭାଗ ପୋଡି ଯାଇଥିବାରୁ ମରଶରୀରକୁ ୭୨ ଘଣ୍ଟାରୁ ଅଧିକ ସମୟ ସଂରକ୍ଷିତ କରି ରଖିବା ସମ୍ଭବପର ନୁହେଁ। ତେଣୁ ଖୁବଶୀଘ୍ର ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିବାକୁ କୁହାଯାଇଛି।