ଭୁବନେଶ୍ୱର ୦୪/୦୪: ପିଆଜକୁ ପାଣିରେ ଫୁଟାଇ ଆପଣ ଘରର ଅନେକ ସମସ୍ୟାର ସମାଧାନ କରିପାରିବେ । ଚାଲନ୍ତୁ ଜାଣିବା ଏହା କିପରି ସମ୍ଭବ । ସମସ୍ତଙ୍କ ଘରେ ପିଆଜକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । କାରଣ ପିଆଜ ଖାଦ୍ୟର ସ୍ୱାଦକୁ ବଢାଇଥାଏ । ଏହାବ୍ୟତୀତ ପିଆଜ ସାଲାଡ୍ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ଏହାକୁ ଭିଟାମିନ୍ ଓ ପୋଷକ ତତ୍ତ୍ୱର ସୁପରଫୁଡ୍ ମଧ୍ୟ କୁହାଯାଏ । ପିଆଜ କେବଳ ଖାଇବା ପାଇଁ ନୁହେଁ କେଶ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଜାଣନ୍ତି କି? ଏହାବ୍ୟତୀତ ମଧ୍ୟ ପିଆଜକୁ ପାଣିରେ ଫୁଟାଇ ଘରର ବିଭିନ୍ନ ସାମାଗ୍ରୀକୁ ସଫା କରିବା ପାଇଁ ବ୍ୟବହାର କରିପାରିବେ ।
ପୋଡ଼ା ବାସନକୁ ସଫା କରିପାରିବେ:
ଅନେକ ସମୟରେ ଗ୍ୟାସ୍ରେ ଦୁଗ୍ଧ, ଭାତ ଓ ତରକାରୀ ବସାଇ କିଛି ଲୋକ ଭୁଲିଯାଇଥାନ୍ତି । ଫଳରେ ଖାଦ୍ୟ ପୋଡ଼ିବା ସହ ବାସନ ମଧ୍ୟ ଜଳି ଯାଇଥାଏ । ଏହି ପୋଢା ବାସନକୁ ସଫା କରିବାକୁ ବହୁ କଷ୍ଟ କରିବାକୁ ପଡିଥାଏ । ଚାଲନ୍ତୁ ଜାଣିବା ଏହାକୁ ସଫାକରିବା ସହଜ ଉପାୟ । ପ୍ରଥମେ କଟା ପିଆଜକୁ ପାଣିରେ ଫୁଟାଇ ନିଅନ୍ତୁ । ଏହି ଫୁଟା ପାଣି ସହ ପିଆଜକୁ ସେହି ପୋଡା ବାସନରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ୨୦ ମିନିଟ୍ ପରେ ଏହି ବାସନକୁ ଡିସ୍ୱାଶ୍ର ପକାଇ ସ୍କ୍ରବ୍ରରେ ସଫା କରି ନିଅନ୍ତୁ ।
ଘରେ କରନ୍ତୁ କୀଟନାଶକ ସ୍ପ୍ରେ:
ଗରମ ବା ବର୍ଷାଋତୁ ଆସିବା ସହ ଘରକୁ ମାଡ଼ି ଆସିଥାନ୍ତି ଛୋଟ ଛୋଟ କୀଟ । ବହୁ ପ୍ରୟାସ ସତ୍ତେ୍ୱ ଏମାନଙ୍କୁ କମ୍ କରିବା ସହଜ ହୁଏନା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ପାଣିର ବ୍ୟବହାର କରିପାରିବେ । ସେଥିପାଇଁ ପିଆଜର ଚୋପା ଛଡାଇ ତାକୁ ପାଣିରେ ପକାଇ ଫୁଟାନ୍ତୁ । ଏହି ପାଣିକୁ ଛାଣିବା ପରେ ଲେମ୍ବୁ ରସ ମିଶାଇ ସ୍ପ୍ରେ ବୋତଲରେ ଭରି ନିଅନ୍ତୁ । ପୋକଯୋକ ଆସୁଥିବା ସ୍ଥାନରେ ଏହି ମିଶ୍ରଣକୁ ସ୍ପ୍ରେ କରିନିଅନ୍ତୁ । ଧୀରେ ଧୀରେ କୀଟଙ୍କ ସଂଖ୍ୟା କମିଯିବ ।
ଓଭନ୍ର ଗନ୍ଧ ଦୂର ହେବ:
ପିଆଜ ଫୁଟା ପାଣିରେ ଓଭନ୍ର ଗନ୍ଧକୁ ଚୁଟକିରେ ଦୂର କରିପାରିବେ । ଏଥିପାଇଁ ପିଆଜକୁ ପାଣିରେ ଫୁଟାଇବା ପରେ ଥଣ୍ଡା କରିଦିଅନ୍ତୁ । କଟନ୍ କପଡା ସେହି ପାଣିରେ ବୁଡାଇ ଓଭନ୍ ଭିତରକୁ ପୋଛିନିଅନ୍ତୁ ।
ଗଛ ପାଇଁ ପେଷ୍ଟିସାଇଡ୍ ସ୍ପ୍ରେ:
ପିଆଜର ପାଣିକୁ ଘରୋଇ ପେଷ୍ଟିସାଇଡ୍ ଭାବେ ବ୍ୟବହାର କରିପାରିବେ । ସେଥିପାଇଁ ପିଆଜକୁ କାଟି ଏକ ପାତ୍ରରେ ପାଣି ଦେଇ ଫୁଟାନ୍ତୁ । ପାଣି କଳା ହେବା ଯାଏ ଫୁଟାନ୍ତୁ । ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏବେ ଏହାକୁ ଛାଣି ସ୍ପ୍ରେ ବୋତଲରେ ଭରିନିଅନ୍ତୁ । ଏହାକୁ ଗଛରେ ପୋକ ଲାଗିଥିବା ସ୍ଥାନରେ ପକାଇପାରିବେ ।