ଭୁବନେଶ୍ୱର, ୧୧/୦୮: ପାର୍କିଂ ପାଇଁ ଏୟାରଫିଲ୍ଡ ଥାନା କୁହା ଅଞ୍ଚଳରେ ୨ ସାଙ୍ଗଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ମଲ୍ଲିକ ସାହିର ଗଣେଶ ମଲ୍ଳିକ ଓ ପ୍ରଦୀପ ମଲ୍ଲିକ । ଏହି ଘଟଣାରେ କମିଶନରେଟ୍ ପୁଲିସ୍କୁ ସଫଳତା ମିଳିଛି । ୨ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ରବିବାର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
କୁହା ଗାଁ ସେଠୀ ସାହିର ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଓ ତାଙ୍କ ସାଙ୍ଗ କେନ୍ଦ୍ରାପଡ଼ା ରାଜନଗର ଥାନା ଅଧୀନ ଜରିମୂଳର ସମ୍ବିତ୍ ରାଉତ ଓରଫ ଜୁଲୁ ଗାଁ ନିକଟ କଲ୍ୟାଣି ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟର ଚତୁର୍ଥ ମହଲାର ଏକ ଫ୍ଲାଟ୍ରେ ଭଡ଼ାସୂତ୍ରରେ ରହୁଥିଲେ । ଆପାର୍ଟମେଣ୍ଟ ବାସିନ୍ଦା ହେତୁ ଜିତୁ ତାଙ୍କ କାର୍କୁ ସବୁବେଳେ ପାର୍କିଂସ୍ଥଳରେ ରଖୁଥିଲେ । ଉକ୍ତ ଆପାର୍ଟମେଣ୍ଟର ଅଂଶୀଦାର ଥିବା ଗଣେଶ ସପ୍ତାହେ ତଳେ ଆପାର୍ଟମେଣ୍ଟ ପରିଚାଳନା ଦାୟିତ୍ୱ ମୁଣ୍ଡାଇଥିଲା । ସେଠାରେ ପାର୍କିଂ ନ କରିବାକୁ ଜୁଲୁଙ୍କୁ କହୁଥିଲେ ଗଣେଶ । ଧୀରେ ଧୀରେ ଏହି ପାର୍କିଂ ଝଗଡ଼ା ୨ ସାହି ଭିତରେ ଖେଳିଗଲା । ଯାହାକୁ ନେଇ ଉଭୟ ସାହିର ବାସିନ୍ଦାଙ୍କ ଭିତରେ ଉତ୍ତେଜନା ଲାଗି ରହିଥିଲା ।
ଗତ ବୁଧବାର ସନ୍ଧ୍ୟାରେ ଜିତୁ ତାଙ୍କ କାର ଆପାର୍ଟମେଣ୍ଟ ଗେଟ୍ ସାମ୍ନାରେ ରଖିଥିଲେ । ଯାହାକୁ ଦେଖିବା ପରେ ଗଣେଶ ମଲ୍ଲିକ ସାହିରୁ ପ୍ରଦୀପ ଓ ଅନ୍ୟ ସହଯୋଗୀଙ୍କୁ ଏକାଠି କରି ରାତି ପ୍ରାୟ ସାଢ଼େ ୯ଟା ବେଳେ ଚିକେନ କାଉଣ୍ଟର ଆଡ଼କୁ ମାଡି଼ ଆସିଥିଲେ । ସେତେବେଳେ ଜିତୁ ଓ ଜୁଲୁ ଚିକେନ କାଉଣ୍ଟର ବନ୍ଦ କରୁଥିଲେ । ଉକ୍ତ ଚିକେନ ଦୋକାନରୁ ଚାପଡ଼ ଆଣି ଜିତୁ ଓ ଜୁଲୁଙ୍କୁ ହାଣି ଦେଇ ୨ ଜଣ ଫେରାର ହୋଇଯାଇଥିଲେ ।
ଏମାନଙ୍କୁ ଧରିବା ପାଇଁ ଡିସିପି ୨ଟି ଟିମ୍ ଗଠନ କରିଥିଲେ । ୨ ଦିନ ଧରି ଅଭିଯୁକ୍ତମାନେ ଏଣେ ତେଣେ ବୁଲିଥିଲେ । ଶନିବାର ସକାଳେ ପୁରୀ ଅଞ୍ଚଳର ଭିନ୍ନ ଭିନ୍ନ ଜାଗାରୁ୨ ଜଣଙ୍କୁ ପୁଲିସ୍ ଗିରଫ କରିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଗଣେଶ ହତ୍ୟା କରିବା ପରେ ଘରକୁ ଯାଇଥିଲା । ନିଜ ବାଇକ୍ ନେଇ ପୁରୀ ପଳାଇଥିଲା । ଯିବା ପୂର୍ବରୁ କାଳେ ଦୁଇ ଅଭିଯୁକ୍ତ ହସ୍ପିଟାଲ୍ରେ ବଞ୍ଚିଥିବେ ସେଥିପାଇଁ ସେ ତାଙ୍କ ସ୍ତ୍ରୀକୁ ଥାନାକୁ ପଠାଇଥିଲା ମୃତ ବ୍ୟକ୍ତିଙ୍କ ନାଁରେ ବଳାତ୍କାର ଅଭିଯୋଗ କରିବାକୁ । ତାଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ କଥାରେ ଥାନାକୁ ଆସି ବଳାତ୍କାର ଅଭିଯୋଗ ଲେଖିଥିଲେ । ହେଲେ ଦୁଇ ଜଣଙ୍କ ମୃତ୍ୟୁ ଖବର ପାଇ ସେ ଥାନାକୁ ପଳାଇବାକୁ ଯୋଜନା କରିଥିଲେ । ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରି ଛାଡ଼ି ଦେଇଥିଲେ ।