ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା, ୧୭ ଚିକିତ୍ସାଧୀନ

ପୁରୀ/କଟକ,୦୩/୦୬: ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ପୁଣି ବଢ଼ିଲା ମୃତକଙ୍କ ସଂଖ୍ୟା । ରବିବାର ଆଉ ୩ ଜଣଙ୍କ ଜୀବନ ଦୀପ ଲିଭିଛି । ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ୧୭ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ହେଲେ କଟକ ଜିଲ୍ଲା ଟାଙ୍ଗି ଥାନା ଅଧୀନ କୋଠ ସାହିର ସୁକାନ୍ତ ସାହୁ (୩୫), ପୁରୀ କୁମ୍ଭାରପଡ଼ା ଥାନା ଅଧୀନ ତଳନୂଆସାହି ଗୋଲାପକା ବସ୍ତିର ସୋମନାଥ ବେହେରା ଓରଫ ରାହୁଲ (୧୫) ଓ ସଦର ଥାନା ଖଣ୍ଡିଆବନ୍ଧର କେ. ଅଜୁ ରାଓ (୧୩) । ରାହୁଲ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ୨ ଜଣ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଏସ୍‌ସିବିରେ ବାଣ ଦୁର୍ଘଟଣାଗ୍ରସ୍ତଙ୍କ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଏହି ମାମଲାରେ ପୁଲିସ୍‌ ୪ଜଣ ବାଣ ବ୍ୟବସାୟୀଙ୍କୁ ଉଠାଇ ନେଇ ଜେରା କରୁଛି ।

ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ସମନ୍ୱୟ ରକ୍ଷା କରି ତଦନ୍ତ ଚାଲିଥିବା ମାମଲାର ଆଇଓ କୁମ୍ଭାରପଡ଼ା ଥାନା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି । ପୁଲିସ ପକ୍ଷରୁ ଏକ ଏସ୍‌ଆଇଟି ଗଠନ କରାଯାଇଛି । ରବିବାର ଦିନତମାମ ଜିଲ୍ଲାର ବିଭିନ୍ନ ବାଣ ବ୍ୟବସାୟୀଙ୍କ ଘରେ ଚଢ଼ଉ କରିଛି ପୁଲିସ୍‌ । ଅପରାହ୍ଣରେ ନିମାପଡ଼ାର ଚାରିଛକରେ ପୁଲିସ ଟିମ୍‌ ପହଞ୍ଚି ୪ ଜଣଙ୍କୁ ଥାନାକୁ ଉଠାଇ ଆଣିଛି । ବିସ୍ଫୋରଣ ହୋଇଥିବା ବାଣକୁ ଏମାନେ ବିକ୍ରି କରିଥିଲେ ବୋଲି କୁହାଯାଉଛି । ତେଣୁ ପୁଲିସ୍‌ ଏମାନଙ୍କୁ ଥାନାରେ ଜେରା କରୁଛି । ୨ ଜଣ ବାଣ କାରବାର କରୁଥିବାବେଳେ ଆଉ ୨ ଜଣ ସହଯୋଗୀ ବୋଲି ପୁଲିସ କହିଛି । ସେମାନେ କେତେ ଟଙ୍କାର ବାଣ ବିକ୍ରି କରିଥିଲେ, କେଉଁଦିନ ଏହି ବାଣ କିଣା ଯାଇଥିଲା, କିଏ ଏହି ବାଣ କିଣିଥିଲା, କେତେଜଣ ବାଣ ଆଣିବା ପାଇଁ ଯାଇଥିଲେ, ବାଣ ତିଆରି ଓ ବିକ୍ରି ପାଇଁ ତାଙ୍କ ପାଖରେ ଲାଇସେନ୍ସ ଅଛି କି ନାହିଁ, ବାର୍ଷିକ କେତେ ଟଙ୍କାର ବାଣ ସେମାନେ ତିଆରି କରି ବିକ୍ରି କରୁଛନ୍ତି, କେଉଁ ଅଞ୍ଚଳକୁ ବାଣ ଯୋଗାନ୍ତି, ବାଣ ତିଆରି ପାଇଁ କେତେ କାରିଗର ଏବଂ ଶ୍ରମିକ ଅଛନ୍ତି ତାହାର  ସବିଶେଷ ତଥ୍ୟ ସଂଗ୍ରହ କରାଯାଉଥିବା ପୁଲିସ କହିଛି । ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବା ପରେ ସେମାନଙ୍କ ସମ୍ପର୍କରେ ସୂଚନା ଦିଆଯିବ ବୋଲି କହିଛନ୍ତି ଆଇଆଇସି ।

ବିସ୍ଫୋରଣ ସମୟରେ ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ ହୋଇଛି । ପୁଲିସ, ଆଗ୍ନିକ ଓ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ପୁଲିସ୍‌ ଚିହ୍ନଟ କରିଛି । ସେମାନଙ୍କୁ ପଚରାଉଚରା କରାଯାଇ ବୟାନ୍‌ ରେକର୍ଡ କରାଯାଉଛି । ଚନ୍ଦନ ଯାତ୍ରା ପାଇଁ ସ୍ୱତନ୍ତ୍ର ପୁଲିସ୍‌ ବ୍ୟବସ୍ଥା ହୋଇଥିଲା । ନରେନ୍ଦ୍ର କୋଣରେ ପୁଲିସ କ୍ୟାମ୍ପ୍‌ ହୋଇଥିବାବେଳେ ଭଉଁରି ପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ଏଭଳି କେବେ ବି ବାଣ ଫୁଟା ଯାଇ ନଥିଲା । ଏଥର ପ୍ରଥମ ଥର ପାଇଁ ଏତେ ପରିମାଣର ବାଣ ନରେନ୍ଦ୍ର ପୋଖରୀ ପରିସରକୁ ଯାଇଥିଲା । ଟ୍ରଲିରେ ବୋହି ବାଣ ନିଆଯାଇଥିବାବେଳେ ଉପସ୍ଥିତ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଏ ଦିଗରେ ଦୃଷ୍ଟି ଦେଇ ନଥିଲେ । ଅନୁମତି ନଥିଲେ ବି ବାଣ ଫୁଟିଥିଲା । ସନ୍ଧ୍ୟା ୭ଟାରୁ ବାଣ ଫୁଟିବା ଆରମ୍ଭ ହୋଇଥିବାବେଳେ ରାତି ୧୦ଟାରେ ଅଘଟଣ ଘଟିଥିଲା । ୫ ବସ୍ତା ବାଣ ଦଶତୁଠ ଠାରେ ରଖା ଯାଇଥିଲା । ନିଆଁ ଝୁଲ ପଡ଼ି ସବୁ ବାଣ ବିସ୍ଫୋରଣ ହୋଇଥିଲା । ୩୦ରୁ ଅଧିକ ଶ୍ରଦ୍ଧାଳୁ ପୋଡ଼ି ଯାଇଥିଲେ । ପ୍ରଶାସନର ଅବହେଳା ପାଇଁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ଅଭିଯୋଗ ହୋଇଛି । ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟିଛି । ଏବେ ଏହି ଅଧିକାରୀ ଓ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଥିବାବେଳେ ଉପସ୍ଥିତ ଦେଖଣାହାରୀଙ୍କ ବୟାନ୍‌କୁ ଆଧାର କରି ପୁଲିସ କି ପଦକ୍ଷେପ ଗ୍ରହଣ କରୁଛି ତାହା କେବଳ ଦେଖିବାକୁ ବାକି ରହିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଖଣ୍ଡିଆବନ୍ଧର ଚନ୍ଦନ ଭୋଇ ଏହି ବାଣ ଆଣିଥିବାବେଳେ ନରେନ୍ଦ୍ର ପୋଖରୀ ପରିସର ଦଶତୁଠ ଠାରେ ଫୁଟା ଯାଉଥିଲା । ମୃତ କେ.ଅଜୁ ରାଓଙ୍କ ବାପା କେ.ରାଜୁ ରାଓ ତାଙ୍କ ଟ୍ରଲିରେ ବାଣ ନେଇ ସେଠାରେ ପହଞ୍ଚାଇ ଥିଲେ । ରାଜୁ ଓ ଚନ୍ଦନ ମିଶି ବାଣ ଫୁଟାଉଥିବାବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଚନ୍ଦନ, ତାଙ୍କ ପୁଅ ରାଜୁ ଓ ନାତି ଅଜୁଙ୍କ ସହ ୩୦ରୁ ଅଧିକ ପୋଡ଼ି ଯାଇଥିଲେ । ରାଜୁ ଓ ଚନ୍ଦନଙ୍କ ସହ ଅନ୍ୟ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା କୁମ୍ଭାରପଡ଼ା ଥାନା ପୁଲିସ୍‌ । ରାଜୁଙ୍କ ମୃତ୍ୟୁ ଘଟିସାରିଥିବାବେଳେ ଚନ୍ଦନ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ନରେନ୍ଦ୍ର ବାଣ ବିସ୍ଫୋରଣରେ ଗୁରୁତର ହୋଇଥିବା ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଏସ୍‌ସିବିକୁ ୮ ଜଣ ଆସିଥିଲେ । ଏଠାରେ ଚିକିତ୍ସା ପୂର୍ବରୁ ରାଜେନ୍ଦ୍ର କର୍ମକାର (୧୫)ଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୭ ଜଣଙ୍କ ମଧ୍ୟରୁ ୪ ଜଣ ପ୍ଲାଷ୍ଟିକ୍‌ ସର୍ଜରୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରୁ ପୁରୀ ଅରଖକୁଦ ଅଞ୍ଚଳର ଶଙ୍କର ବେହେରା (୩୮) ଓ ଦିବ୍ୟରଞ୍ଜନ ସାହୁ(୩୫)ଙ୍କ ଶରୀରର ଶତ ପ୍ରତିଶତ ପୋଡ଼ି ହୋଇ ଯାଇଥିବା ବେଳେ ପୁରୀ ତଳନୂଆ ସାହିର ରାହୁଲ୍‌ ବେହେରା (୧୪) ୬୫% ପୋଡ଼ି ହୋଇଥିଲେ । ଗତକାଲି ସୁଦ୍ଧା ଶଙ୍କର ଏବଂ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅନ୍ୟତମ ଗୁରୁତର ନାବାଳକ ରାହୁଲ୍‌ ଆଖି ବୁଜିଛନ୍ତି । 

ବାଣ ନିଆଁରେ ପୋଡ଼ି ହୋଇଥିବା ଗୁରୁତରଙ୍କ ମଧ୍ୟରୁ ଜଣକ ପରେ ଜଣେ ଆଖି ବୁଜୁଥିବାରୁ ଏହାକୁ ନେଇ ଚିକିତ୍ସାଧୀନ ଅନ୍ୟ ଦୁର୍ଘଟଣାଗ୍ରସ୍ତଙ୍କ ସମ୍ପର୍କୀୟମାନେ ଆଶଙ୍କାରେ ପଡ଼ିଛନ୍ତି । ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି । ଆଇସିୟୁରେ ଥିବା ଟୁକୁନା ବେହେରା (୧୫)ଙ୍କ ଶରୀରରେ ୨୫% ପୋଡ଼ି ହୋଇଥିବାରୁ ଚିକିତ୍ସା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ ବୋଲି ଡାକ୍ତରମାନେ ଆଶା ରଖିଛନ୍ତି । ସେହିପରି ସର୍ଜରୀ ବିଭାଗ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀ ତଳନୂଆ ସାହିର ମନମୋହନ ବେହେରା (୨୪), ମାର୍କଣ୍ଡେଶ୍ୱର ସାହିର ବଳରାମ ଦାସ (୧୫) ଏବଂ ନୀଳଚକ୍ର ନଗରର ସିପୁ ପଣ୍ଡା (୧୮)ଙ୍କ ସେତେ ଗୁରୁତର ସମସ୍ୟା ନଥିବାରୁ ସେମାନେ ମଧ୍ୟ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର କହିଛନ୍ତି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.