ପ୍ରମୂଖ ଖବର

ଆଜିଠୁ ମା’ସମଲେଶ୍ୱରୀଙ୍କୁ ଦର୍ଶନ କରିବାକୁ ବିଭିନ୍ନ ଜିଲ୍ଲାରୁ ଆସିବେ ଭକ୍ତ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ସମ୍ବଲପୁର,୦୫/୦୨: ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ବିକାଶ ସଂପର୍କିତ ସମଲେଇ ପ୍ରକଳ୍ପ ଉଦଘାଟିତ ହୋଇସାରିଛି । ଆଉ ଏହାର ଭବ୍ୟ ରୂପ ଦେଖିବାକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଲାଗି ରହୁଛି । ଏହି ପରିପ୍ରେକ୍ଷୀରେ ଆଜି ଠାରୁ ପଶ୍ଚିମ  ଓଡିଶାର ପ୍ରତି ଜିଲ୍ଲାରୁ ଭକ୍ତଙ୍କୁ ଆଣି ମାଁଙ୍କ ପୀଠର ଦର୍ଶନ କରାଇବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ  ବ୍ୟବସ୍ଥା ହୋଇଛି । ଏନେଇ ରବିବାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । 

ରାଜ୍ୟର  ୧୧ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭକ୍ତଙ୍କୁ  ଆଣି ଦର୍ଶନ କରାଇବାର ବ୍ୟବସ୍ଥା ହୋଇଛି । ତ ୨୭  ତାରିଖରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ  କରିଛନ୍ତି । ଏହି ପୀଠର ଭବ୍ୟ ରୂପ ଦେଖିବାକୁ ସମସ୍ତଙ୍କ  ମଧ୍ୟରେ ଉତ୍ସୁକତା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ  ଆସନ୍ତାକାଲି ଠାରୁ ମା’ସମଲେଇଙ୍କ ଦର୍ଶନ ନିମନ୍ତେ ବିଭିନ୍ନ  ନିର୍ବାଚନ ମଣ୍ଡଳୀରୁ ଭକ୍ତମାନେ ଦର୍ଶନ ପାଇଁ ଆସିବେ । ଏନେଇ ରବିବାର ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ  ଅଧ୍ୟକ୍ଷତାରେ ମଣ୍ଡଳିଆ ପଡିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଛି । ଭକ୍ତ ପହଞ୍ଚିବା ଠୁ ଫେରିବା ପର୍ଯ୍ୟନ୍ତ ସମସ୍ତ  ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଚାରୁ ରୂପେ ତୁଳାଇବାକୁ ଦାୟିତ୍ୱରେ  ଥିବା ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।   

ସୂଚନା ଯେ, ସୋମବାର ବଲାଙ୍ଗିର ଜିଲ୍ଲାର ଲୋଇସିଂହା  ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା, ନୂଆପଡ଼ାର ଖରିଆର ଏବଂ  ବରଗଡର ଅତାବିରା ନିର୍ବାଚନ ମଣ୍ଡଳିର ଭକ୍ତ ଆସିବେ ।  ସେହିପରି ୬ରେ ବୀରମହାରାଜପୁର, ବଲାଙ୍ଗିର, ତଳସରା  ଏବଂ ବୀରମିତ୍ରପୁର । ୭ରେ ଭବାନୀପାଟଣା, ପଦ୍ମପୁର,  ରାଜଗାଙ୍ଗପୁର ଏବଂ କଣ୍ଟାମାଳ । ୮ ତାରିଖରେ ବଣେଇ,  ଭଟଲି, କଣ୍ଟାବାଞ୍ଜି ଏବଂ ଜୁନାଗଡ଼ । ୯ ତାରିଖରେ କୁଚିଣ୍ଡା, ରେଢ଼ାଖୋଲ, ଆଠମଲ୍ଲିକ । ୧୦ ତାରିଖରେ ରେଙ୍ଗାଲି,  ଦେବଗଡ ଏବଂ ଛେଣ୍ଡିପଦା । ୧୧ ତାରିଖରେ ବିଜେପୁର, ବ୍ରଜରାଜନଗର, ଧର୍ମଗଡ଼ ଏବଂ ନର୍ଲା । ୧୨ ତାରିଖରେ  ବରଗଡ଼, ଟିଟଲାଗଡ଼, ନୂଆପଡ଼ା ଏବଂ ରଘୁନାଥପାଲି । ୧୩  ତାରିଖରେ ବୌଦ୍ଧ, ସୋନପୁର, ଲାଞ୍ଜିଗଡ ଏବଂ ସମ୍ବଲପୁର  ଏବଂ ୧୪ ତାରିଖରେ ପାଟଣାଗଡ଼, ରାଉରକେଲା ଓ ସୁନ୍ଦରଗଡ  ନିର୍ବାଚନ ମଣ୍ଡଳିର ଭକ୍ତ ଦର୍ଶନ କରିବା ନେଇ ଯୋଜନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.