ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମଦ୍ରାସା ଗୁଡ଼ିକରେ ଏବେ ସଂସ୍କୃତ ଶିକ୍ଷା ଦିଆଯିବ। ଏକ ପ୍ରମୁଖ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଉତ୍ତରାଖଣ୍ଡ ୱାକଫ ବୋର୍ଡର ଚେୟାରମ୍ୟାନ୍ ଶାଦବ ଶ୍ୟାମ କହିଛନ୍ତି ଯେ ଉତ୍ତରାଖଣ୍ଡ ମଦ୍ରାସା ବୋର୍ଡ ଅଧୀନରେ ଥିବା ମଦ୍ରାସା ଗୁଡ଼ିକରେ ଏନସିଆରଟି (NCERT) ସିଲାବସ୍ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ସଂସ୍କୃତ ଭାଷା ଶିକ୍ଷା ଦିଆଯିବ। ଏଥିପାଇଁ ନିୟମିତ ଭାବେ ଶିକ୍ଷକମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ । ଶାଦବ ଶ୍ୟାମ କହିଛନ୍ତି ଯେ, ସଂସ୍କୃତ ପ୍ରତି ଲୋକ ମାନଙ୍କର ଆଗ୍ରହ ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା ଅନୁଯାୟୀ, ମଦ୍ରାସା ୱେଲଫେୟାର ସୋସାଇଟି ପ୍ରାୟ ୬ବର୍ଷ ପୂର୍ବେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମଦ୍ରାସାର ସିଲାବସରେ ସଂସ୍କୃତକୁ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରିଥିଲା, କିନ୍ତୁ ଏହାକୁ ଅବ୍ୟବହାରିକ ଦର୍ଶାଯାଇ ମଦ୍ରାସାରେ ସଂସ୍କୃତ ଶିକ୍ଷାକୁ ମନା କରାଯାଇଥିଲା । ହେଲେ ଏବେ ଏହି ଦିଗରେ ପଦକ୍ଷେପ ନିଆଯାଇଛି । ଉତ୍ତରାଖଣ୍ଡ ଓ୍ବାକଫ୍ ବୋର୍ଡ ବୈଜ୍ଞାନିକ ଏବଂ ଇସଲାମିକ ଶିକ୍ଷାକୁ ମିଶାଇ ଶିକ୍ଷା ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ପାଇଁ ରାଜ୍ୟର ମଦ୍ରାସା ବହୁତ ଉତ୍ସାହ ପ୍ରଦର୍ଶନ କରିଛି।
ଉତ୍ତରାଖଣ୍ଡ ୱାକଫ ବୋର୍ଡର ଚେୟାରମ୍ୟାନ୍ ଶାଦବ ଶ୍ୟାମ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଡେରାଡୁନ୍, ହରିଦ୍ୱାର, ଉଦମ୍ ସିଂ ନଗର ଏବଂ ନୈନିତାଲ ଜିଲ୍ଲାର ଚାରିଟି ମଦ୍ରାସାରେ କରାଯାଇଥିବା ଶିକ୍ଷାର ଆଧୁନିକୀକରଣକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ରୁ ୫୦ ମଦ୍ରାସା ଆମ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ଆଧୁନିକୀକରଣ କରିଥିଲେ । ଏହି ଆଧୁନିକ ମଦ୍ରାସା ଗୁଡ଼ିକରେ ପଢୁଥିବା ପିଲାମାନଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ମଧ୍ୟ ରହିବ, ଯାହା ୱାକଫ୍ ବୋର୍ଡ ଦ୍ୱାରା ସ୍ଥିର ହେବ ।
ଶ୍ୟାମ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ୧୧୭ଟି ମଦ୍ରାସାରେ ସଂସ୍କୃତ ଶିକ୍ଷା ମଧ୍ୟ ଦିଆଯିବ। ଅଧ୍ୟୟନ ସହିତ ସ୍ମାର୍ଟ କ୍ଲାସଗୁଡ଼ିକର ବ୍ୟବସ୍ଥା କରାଯାଉଛି । ସେ କହିଛନ୍ତି ଯେ ଉତ୍ତରାଖଣ୍ଡ ହେଉଛି ଦେବଭୂମୀ । ଯଦି ସଂସ୍କୃତ ଏଠାରେ ଶିକ୍ଷା ଦିଆଯିବ ନାହିଁ ତେବେ ତାହା କେଉଁଠାରେ ଶିକ୍ଷା ଦିଆଯିବ ? ବର୍ତ୍ତମାନ ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି। ମଦ୍ରାସାଗୁଡ଼ିକର ନବୀକରଣକୁ ନେଇ ସେମାନେ ମଧ୍ୟ ଖୁସି ଅଛନ୍ତି।