ପ୍ରମୂଖ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦେଶବ୍ୟାପୀ ଲାଗୁ ହେବ ବିଏନ୍‌ଏସ୍‌ଏସ୍‌ ୪୭୯ ଧାରା, ଏକ ତୃତୀୟାଂଶ ସମୟ ଜେଲରେ କାଟିଥିବା ବିଚାରାଧୀନ କଏଦୀଙ୍କୁ ମିଳିବ ଜାମିନ

ନୂଆଦିଲ୍ଲୀ, ୨୪/୦୮: ଭାରତୀୟ ନାଗରିକ ସୁରକ୍ଷା ସଂହିତା  (ବିଏନ୍‌ଏସ୍‌ଏସ୍‌) ଧାରା ୪୭୯ ଦଣ୍ଡ ପ୍ରକ୍ରିୟା ସଂହିତା ବଦଳରେ ଦେଶବ୍ୟାପୀ  ବିଚାରାଧୀନ କଏଦୀଙ୍କ ଉପରେ ପିଛିଲା  ଭାବେ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ  ଶୁକ୍ରବାର କହିଛନ୍ତି । ଅର୍ଥାତ ଏହି ପ୍ରାବଧାନ ୨୦୨୪ ଜୁଲାଇ ୧ ପୂର୍ବରୁ ରୁଜୁ  ହୋଇଥିବା ମାମଲାରେ ବିଚାରାଧୀନ  ଥିବା ସମସ୍ତ କଏଦୀଙ୍କ ଉପରେ ଲାଗୁ  ହେବ । ଯଦି ବିଚାରାଧୀନ କଏଦୀ ଧାରା  ୪୭୯ ବିଏନ୍‌ଏସ୍‌ଏସ୍‌ ଅନୁସାରେ ସେହି  ଅପରାଧ ପାଇଁ ଥିବା ନିର୍ଦ୍ଦିଷ୍ଟ କାରାଦଣ୍ଡ  ଅବଧିର ଏକ ତୃତୀୟାଂଶ ସମୟ  ଜେଲରେ କାଟିଥିବେ ତେବେ ସେମାନଙ୍କୁ  ଜାମିନରେ ମୁକୁଳାଯାଇପାରିବ ।  

ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ  ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଦେଶର  ସମସ୍ତ ଜେଲ୍‌ ଅଧୀକ୍ଷକଙ୍କୁ କହିଥିଲେ ଯେ,  ସେମାନେ ଧାରା ୪୭୯ରେ ଦିଆଯାଇଥିବା  ହେପାଜତର ଅବଧିର ଏକ ତୃତୀୟାଂଶ  ପୂରଣ କରିସାରିଥିବା କଏଦୀଙ୍କ  ଆବେଦନ ଉପରେ ପଦକ୍ଷେପ ନିଅନ୍ତୁ।  ଏପରି ମାମଲାକୁ ୩ ମାସ ଭିତରେ  ଶେଷ କରାଯାଉ । ଜେଲରେ କଏଦୀଙ୍କ  ଭିଡ଼ କମାଇବା ପାଇଁ ସୁପ୍ରିମକୋର୍ଟ  ୨୦୨୧ ଅକ୍ଟୋବରରୁ ନଜର ରଖିଛନ୍ତି ।  ଏ ବାବଦରେ ଆଗତ ଜନସ୍ୱାର୍ଥ ମାମଲା  ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି  କରୁଥିଲେ । ଏହି ମାମଲା ଉପରେ ନିଜେ  ପଦକ୍ଷେପ ନେଇ ସୁପ୍ରିମକୋର୍ଟ କେନ୍ଦ୍ର  ସରକାରଙ୍କୁ ଜବାବ ମାଗିଥିଲେ । ଦେଶରେ  ଜୁଲାଇ ୧ ପୂର୍ବରୁ ସମସ୍ତ ବିଚାରାଧୀନ ମାମଲାରେ ଧାରା ୪୭୯ ଲାଗୁ କରାଯିବା  ନେଇ ସୁପ୍ରିମକୋର୍ଟଙ୍କୁ କହିଥିଲେ ।  ପୂର୍ବ ଶୁଣାଣିରେ ବରିଷ୍ଠ ଓକିଲ ତଥା  ଆମିକସ୍‌ କ୍ୟୁରୀ ଗୌରବ ଅଗ୍ରୱାଲ ଧାରା  ୪୭୯ ବଳରେ ବିଚାରାଧୀନ କଏଦୀଙ୍କୁ  ହେପାଜତରେ ରଖିବାର ଅଧିକତମ  ଅବଧି ସହ ଜଡ଼ିତ ପ୍ରାବଧାନ ଉପରେ  କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହି ଆଇନ ତ୍ୱରିତ ଭାବେ ଲାଗୁ  କରାଗଲେ ଜେଲରେ କଏଦୀଙ୍କ ଭିଡ଼  କମାଯାଇପାରିବ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.