ନୂଆଦିଲ୍ଲୀ,୨୮/୦୯: ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥବ୍ୟବସ୍ଥା ଚୀନ୍ରେ କିଛି ଠିକ୍ ନାହିଁ । ଦେଶରେ ୨୦୦୮ ଭଳି ମାନ୍ଦାବସ୍ଥା ଲକ୍ଷଣ ଦେଖିବାକୁ ମିଳିଲାଣି । ଆଗକୁ ଚୀନ୍ରେ ଭୟଙ୍କର ମାନ୍ଦାବସ୍ଥା ଦେଖାଦେବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହା କେବଳ ଡ୍ରାଗନ୍କୁ ପ୍ରଭାବିତ କରିବ ନାହିଁ, ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ସଂକଟଜନକ ସ୍ଥିତିକୁ ଯାଇପାରେ ।
୨୦୨୦ ଲକ୍ଡାଉନ୍ ସମୟରେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍କୁ ଆଣିବା ପାଇଁ ଯେପରି ପ୍ୟାକେଜ୍ ଅଣାଯାଇଥିଲା ବର୍ତ୍ତମାନ ସମାନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଚୀନ୍ ସରକାର । ଅର୍ଥନୀତିକୁ ଗତି ଦେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଉପରେ କାର୍ଯ୍ୟ ହେଉଛି ।
ତଥ୍ୟ ଅନୁସାରେ, ଚୀନ୍ର ରିୟଲ ଇଷ୍ଟେଟ୍ ସୂଚକାଙ୍କ ଦୁଇ ବର୍ଷରେ ୮୨% ସଂକୁଚିତ ହୋଇଛି । ଦେଶରେ ୧୯୯୯ ପରେ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ବେକାରି ହାର ବହୁ ଦଶନ୍ଧିର ଉଚ୍ଚ ସ୍ତରରେ ପହଞ୍ଚିଯାଇଛି । ଆମେରିକା ସହ ଏହାର ବିବାଦ ଚରମ ସ୍ତରରେ । ସେୟାର ବଜାର ସ୍ଥିତି ଦିନକୁ ଦିନ ଅଧିକ ବିକୃତ ହୋଇଚାଲିଛି । ପ୍ରଶ୍ନ ଉଠୁଛି ଯେ, ଚୀନ୍ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ନେଇଯାଉନି ତ?
ଚୀନ୍ରେ ମାନ୍ଦାବସ୍ଥା ଆସିବା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ । ଏହାର କାରଣ ହେଉଛି ଯେ, ଗତ ୩ ଦଶନ୍ଧିରୁ ଚୀନ୍ ବିଶ୍ୱ ଅର୍ଥନୀତିର ଇଞ୍ଜିନ ରହିଆସିଛି । ବିଶ୍ୱ ବଜାରଗୁଡ଼ିକରେ ଚୀନ୍ର ମାଳ ମାଳ ଉତ୍ପାଦ । ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କେତେକ କମ୍ପାନିଚୀନ୍ରେ ଭଲ ବ୍ୟବସାୟ କରୁଛନ୍ତି । କିନ୍ତୁ ସେଠାରେ ମାନ୍ଦାବସ୍ଥା ଦ୍ୱାରା ଏସବୁ କମ୍ପାନିଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ । ଜାପାନ ଭଳି ଚୀନ୍ ଅର୍ଥନୀତି ସ୍ଥାଣୁ ପାଲଟିବା ଆଶଙ୍କା କରାଯାଉଛି । ଚୀନ୍ରେ ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।
ଚୀନ୍ ଅର୍ଥନୀତିରେ ସବୁଠୁ ବଡ଼ ସମସ୍ୟା ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ରହିଛି । ଦେଶର ଅର୍ଥବ୍ୟବସ୍ଥାରେ ଏହି ଶିଳ୍ପର ପ୍ରାୟ ଏକ ତୃତୀୟାଂଶ ଯୋଗଦାନ ରହିଛି କିନ୍ତୁ ଗତ କିଛି ବର୍ଷ ହେବ ଏ ଶିଳ୍ପ ଭୟଙ୍କର ସଂକଟ ମଧ୍ୟରେ ଫସିରହିଛି । ଏହାର ଆରମ୍ଭ ୨୦୨୧ରେ ହୋଇଥିଲା, ଯେତେବେଳେ ଦେଶର ସର୍ବବୃହତ୍ ରିୟଲ ଇଷ୍ଟେଟ୍ କମ୍ପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଏଭର୍ଗ୍ରାଣ୍ଡ୍ ବୁଡ଼ିଗଲା । ଫଳରେ ଗତ ଦୁଇ ବର୍ଷରେ ଦେଶର ରିୟଲ ଇଷ୍ଟେଟ୍ ସୂଚକାଙ୍କ ୮୨% ଖସି ୨୦୦୮ ସ୍ତରରେ ପହଞ୍ଚିଯାଇଛି । ରିୟଲ ଇଷ୍ଟେଟ୍ ବୁଡ଼ିବା ଫଳରେ ବ୍ୟାଙ୍କିଙ୍ଗ୍ ଶିଳ୍ପ ଉପରେ ମଧ୍ୟ ବିପଦ ରହିଛି । କାରଣ ଚୀନ୍ର ବ୍ୟାଙ୍କଗୁଡ଼ିକ ରିୟଲ ଇଷ୍ଟେଟ୍ ଶିଳ୍ପରେ ବଡ଼ ଆକାରରେ ନିବେଶ କରିଛନ୍ତି ।
ଚୀନ୍ରେ ୧୯୯୯ ପରଠାରୁ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ୨୦୦୮ରେ ଦେଶରେ ଲଗାତର ୫ଟି ତ୍ରୟମାସ ପର୍ଯ୍ୟନ୍ତ ଅବସ୍ଫୀତି ସ୍ଥିତି ରହିଥିଲା । ବର୍ତ୍ତମାନ ଏହା ଆହୁରି ଲମ୍ବା ସମୟ ଧରି ଲାଗିରହିଛି । ମୁଦ୍ରାସ୍ଫୀତିଠାରୁ ଅବସ୍ଫୀତି ସ୍ଥିତି ଭୟଙ୍କର । ଏହା ଅର୍ଥନୀତି ପାଇଁ ଭଲ ସଂକେତ ନୁହେଁ । ଚୀନ୍ରେ ବେକାରି ହାର ବହୁ ଦଶନ୍ଧିର ଚରମ ସ୍ତରରେ ପହଞ୍ଚିଯାଇଛି । ବିନିର୍ମାଣ ସୀମିତ ହୋଇଯାଇଛି ଏବଂ ରିୟଲ ଇଷ୍ଟେଟ୍ କ୍ଷେତ୍ର ଶିଥିଳ ପଡ଼ିଯିବାରୁ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି । ଉପଭୋକ୍ତା ଚାହିଦା ଦୁର୍ବଳ ।
ଚୀନ୍ର ଗ୍ରାହକ ଏଭଳି ଭାବେ ଖର୍ଚ୍ଚ କରୁଛନ୍ତି ଯେପରି ଦେଶରେ ମାନ୍ଦାବସ୍ଥା ରହିଛି । ଅର୍ଥନୀତିକୁ ଗତି ଦେବା ପାଇଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଇତିମଧ୍ୟରେ କେତେକ ଘୋଷଣା କରିଛି । ଚୀନ୍ ପୁଞ୍ଜି ସଂଗ୍ରହ କରିବା ପାଇଁ ଆମେରିକାର ଟ୍ରେଜେରି ସିକ୍ୟୋରିଟିଜ୍ରେ ଏହାର ହୋଲ୍ଡିଂ କମ୍ କରୁଛି । ଏବେ ଏହାର ହୋଲ୍ଡିଂ ୭୮୦୦୦ କୋଟି ଡଲାର ଅଛି, ଯାହା ୧୫ ବର୍ଷ ମଧ୍ୟରେ ସବୁଠୁ କମ୍ । ଗତ ୩ ବର୍ଷରେ ଏହା ଆମେରିକା ଟ୍ରେଜେରି ସିକ୍ୟୋରିଟିଜ୍ରେ ନିଜର ହୋଲ୍ଡିଂରେ ୩୦% ଅର୍ଥାତ ୩୦୦୦୦ କୋଟି ଡଲାର କମ୍ କରିଛି । ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଗତ କିଛି ବର୍ଷ ହେବ ଅଧିକ ଖରାପ ହୋଇଯାଇଛି । ଚୀନ୍ରୁ ଆମଦାନି ହେଉଥିବା ଅନେକ ସାମଗ୍ରୀ ଉପରେ ଆମେରିକା ଶୁଳ୍କ ବଢ଼ାଇଦେଇଛି, ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଲାଗୁ ହେବ ।