ମାଲକାନଗିରି,୨୭/୦୭(ରତ୍ନାକର ଦାଶ): ମାଓବାଦୀ ଓ ଗଞ୍ଜେଇ । ଏହି ଦୁଇଟି ପ୍ରସଙ୍ଗକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛି ମାଲକାନଗିରି ଜିଲ୍ଲା । ଲାଲ୍ବାହିନୀର ଲାଲ୍ତାଣ୍ଡବ ଆଗରେ ଅସହାୟ ଥିଲେ ସମସ୍ତେ । ମାନେ ଏଠାକାର ବଣମୂଲକରେ ରହୁଥିବା ଆଦିବାସୀଙ୍କ ସହ ପୁଲିସ୍ ପ୍ରଶାସନ । ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ପାଦ ପକାଇବାକୁ ଭୟ କରୁଥିଲେ ଯବାନ । ଏହାର ସୁଯୋଗ ନେଇ ଅପହଞ୍ଚ ଇଲାକାର ହଜାର ହଜାର ହେକ୍ଟର ଜମିରେ ନିର୍ଭୟରେ ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ । ଏବେ ମାଓବାଦୀଙ୍କ ନାଲି ଆଖି ଆଉ ନାହିଁ । ସବୁ ଅଞ୍ଚଳକୁ ଘେରି ରହିଛନ୍ତି ବିଏସ୍ଏଫ୍ ଓ ସିଆର୍ପିଏଫ୍ ଯବାନ । ମାଓ ଦମନ କ୍ଷେତ୍ରରେ ସକରାର ସିନା ସଫଳତା ପାଇଛନ୍ତି, ହେଲେ ଗଞ୍ଜେଇ ଚାଷ ପୂର୍ବ ପରି ଚାଲୁ ରହିଛି ।
ଗଞ୍ଜେଇ ମାଫିଆମାନଙ୍କର ଏହା ଏବେବି ଆଡ୍ଡାସ୍ଥଳୀ ହୋଇ ରହିଛି । ହଜାର ହଜାର ହେକ୍ଟର ଜମିରେ ‘ଶିଳାବତୀ’ ସହ ଅନ୍ୟାନ୍ୟ କିସମର ଗଞ୍ଜେଇ ଚାଷ ଚାଲିଛି । ଏହାକୁ ରୋକିବା ଦିଗରେ ସେଭଳି କୌଣସି ଠୋସ୍ ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ଗଞ୍ଜେଇ ଚାଷର ଭୂସ୍ୱର୍ଗ ପାଲଟିଯାଇଛି ମାଲକାନଗିରି । ସବୁଜ ଜହର ବଳୟରେ ରହିଛି ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ ସୀମାନ୍ତ ଏହି ଜିଲ୍ଲାର ଅନେକ ଦୁର୍ଗମ ଓ ବଚ୍ଛିନ୍ନାଞ୍ଚଳ । ବିଶେଷ କରି କାଲିମେଳା ଥାନା ଅନ୍ତର୍ଗତ ପପ୍ଲୁର୍, କୁର୍ମାନୁର, ପାପରମେଟ୍ଲା, ଟେକ୍ଗୁଡ଼ା, ଯୋଡ଼ାମ୍ବ, ପଣସପୁଟ୍, ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳର ଜାନବାଈ, ରାଲେଗଡ଼ା, ମାଲକାନଗିରି ଥାନା ଅଧୀନ ପଦ୍ମଗିରି, ଝରାପାଲ୍ଲୀ, ଭୀମାରାଙ୍ଗଣି ଭଳି ପାହାଡ଼ିଆ ଦୁର୍ଗମାଞ୍ଚଳରେ ଏହି ଚାଷ ଜୋରଦାର ଚାଲିଛି ।
ଏସବୁ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ଗ୍ରାମବାସୀଙ୍କୁ କୃଷି ବିଭାଗ ତରଫରୁ କୌଣସି ସୁବିଧା ମିଳୁନି । ଯାହାର ଫାଇଦା ଉଠାଉଛନ୍ତି ବାହାର ରାଜ୍ୟର ମାଫିଆମାନେ । ସେମାନେ ସିଧାସଳଖ ସୀମାନ୍ତ ଲୋକଙ୍କ ସହିତ ଆଲୋଚନା ନକରି ଅଞ୍ଚଳର କେତେକ ଦଲାଲଙ୍କୁ ହାତ କରିଥାନ୍ତି । ସେମାନଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଥାନ୍ତି । ଆଦିବାସୀମାନଙ୍କୁ ଆଗ୍ରୀମ ଟଙ୍କା, ଉନ୍ନତମାନର ‘ଶିଳାବତୀ’ ଗଞ୍ଜେଇ ମଞ୍ଜି ଏବଂ ଖତସାର ସହ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇଥାନ୍ତି । କମ୍ ପରିଶ୍ରମରେ ଅଧିକ ଲାଭ ମିଳୁଥିବାରୁ ଗ୍ରାମବାସୀମାନେ ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ଆଦରି ନେଇଛନ୍ତି ।
ଅନ୍ୟପକ୍ଷରେ କର୍ମଚାରୀ ଅଭାବର ଆଳ ଦେଖାଇ ଗୋଡ଼ ଉପରେ ଗୋଡ଼ ଥୋଇ ବସୁଛି ଅବକାରୀ ବିଭାଗ । କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଗଛ ବଡ଼ ହୋଇ କଲି ଧରିବା ପରେ ଦୁର୍ଗମ ଅଞ୍ଚଳର ଲୋକମାନେ ଏହାକୁ ଅମଳ କରିବା ଆରମ୍ଭ କରୁଛନ୍ତି । ମଞ୍ଜି, ପତ୍ର ଏବଂ ଉପର କଲିକୁ ଅଲଗା କରୁଛନ୍ତି । ନିଜ ବାଡି଼ବଗିଚାରେ ବିନା ପ୍ରତିବନ୍ଧକରେ ଶୁଖାଉଛନ୍ତି । ଅମଳ ବେଳକୁ ପହଞ୍ଚି ଯାଉଛନ୍ତି ବାହାର ରାଜ୍ୟର ମାଫିଆମାନେ । ଆଦିବାସୀଙ୍କୁ ଆଉ କିଛି ଟଙ୍କା ଧରାଇ ଦେଇ ହଜାର ହଜାର କୋଟି ଟଙ୍କାର ଗଞ୍ଜେଇକୁ କବ୍ଜା କରୁଛନ୍ତି । ସାଥୀରେ ଆଣିଥିବା ମେସିନ୍ ସାହାଯ୍ୟରେ ଗଞ୍ଜେଇକୁ ପ୍ରେସ୍ କରି ୩ରୁ ୫ କେଜି ଲେଖାଏଁ କେକ୍ ଭଳି ପ୍ରସ୍ତୁତ କରୁଛନ୍ତି । ଯଦ୍ୱାରା ଗଞ୍ଜେଇର ଆକାର କମିଯାଉଛି ଏବଂ ଏହାକୁ ଚାଲାଣ କରିବାରେ ସୁବିଧା ହେଉଛି ।
ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲ ‘ଶିଳାବତୀ’ ଗଞ୍ଜେଇ ଅମଳ ହେଉଛି ଏହି ଜିଲ୍ଲାରୁ । ପଡ଼ୋଶୀ ଆନ୍ଧ୍ର, ଛତିଶିଗଡ଼, ତେଲଙ୍ଗାନା ସମେତ ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଚାଲାଣ ହେଉଛି । ମାଫିଆଙ୍କ ଆକ୍ରମଣର ଭୟ ଥିବାରୁ ପୁଲିସ୍ ଓ ଅବକାରୀ କର୍ମଚାରୀମାନେ ସେଠାକୁ ଯିବାକୁ ଭୟ କରୁଛନ୍ତି । ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଉନଥିଲେ ବି ବିନା ଖର୍ଚ୍ଚରେ ବଞ୍ଚିବାର ରାହା ପାଇଯାଉଥିବାରୁ ଅନାୟାସରେ ସହଯୋଗର ହାତ ବଢାଉଛନ୍ତି । ମାଫିଆ ଏବଂ ଏଜେଣ୍ଟ୍ମାନେ ଏହାକୁ ଶାଗମାଛ ଦରରେ କିଣିନେଇ ଅନ୍ତର୍ଜାତୀୟ ବଜାରରେ କ୍ୱିଣ୍ଟାଲ ୧୦ ଲକ୍ଷରୁ ଅଧିକ ଦାମ୍ରେ ବିକ୍ରି କରି ମାଲାମାଲ୍ ହେଉଛନ୍ତି । ଏସବୁ ଅଞ୍ଚଳରେ ଗଞ୍ଜେଇ ଚାଷର ଅଭିବୃଦ୍ଧି ଏବଂ ବ୍ୟାପକ ଚୋରା କାରବାର ସମଗ୍ର କେବିକେ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି ।
ବୈପାରିଗୁଡ଼ା, କୋଟପାଡ଼, ଜଗଦଲପୁର ଦେଇ ଛତିଶଗଡ଼ର ରାୟପୁର, କାଲିମେଳା-ଏମ୍ଭି ୭୯-ମୋଟୁ-ପଡ଼ିଆ, ଚିତ୍ରକୋଣ୍ଡା, ମାଛକୁଣ୍ଡ- ନନ୍ଦପୁର-ପାଡୁଆ, ମାଲକାନଗିରି-ଜୟପୁର– ନବରଙ୍ଗପୁର-ଭବାନୀପାଟଣା, ଚିତ୍ରକୋଣ୍ଡାସିଲେରୁ-ଆନ୍ଧ୍ର ପ୍ରଦେଶ ହେଉଛି ଗଞ୍ଜେଇ ଚାଲାଣର ମୁଖ୍ୟ ପଥ । ବାହାର ରାଜ୍ୟର ବ୍ୟବସାୟୀମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ଲାଗି ଏହାକୁ କେରଳ, ହାଇଦ୍ରାବାଦ, ମହାରାଷ୍ଟ୍ର, ତାମିଲନାଡ଼ୁ, ବିହାର, ଉତ୍ତରପ୍ରଦେଶ, ରାୟପୁର, ଭିଲାଇ, ଜଗଦଲପୁର, ବିଜୟନଗରମ, ଭଦ୍ରାଚଳମ୍କୁ ଚାଲାଣ କରୁଛନ୍ତି ।
କାଁଭାଁ ଧରାପଡୁଛି ପୁଲିସ୍ ହାତରେ, ସିଂହଭାଗ ଖସିଯାଉଛି । ବୁଦ୍ଧିବୀବୀମାନେ କହିଛନ୍ତି, ନକ୍ସଲଙ୍କ ଭଳି ଏହାକୁ ମୂଳପୋଛ କରିବାକୁ ହେଲେ ଅଞ୍ଚଳର ଲୋକ ପ୍ରତିନିଧି, ରାଜସ୍ୱ କର୍ମଚାରୀ, ପ୍ରଶାସନିକ କଳ, ପୁଲିସ୍ ଓ ଅବକାରୀ ବିଭାଗକୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିବ । ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଭିତରେ ବ୍ୟାପକ ସଚେତନତା ଆଣିବାକୁ ହେବ । ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାକୁ ହେବ । ଚାଷୀଙ୍କୁ ଜଳସେଚନ ସହ କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ସୁବିଧା ଦେବାକୁ ହେବ । ଅଞ୍ଚଳର ଲୋକ ପ୍ରତିନିଧି ଏହା ଉପରେ କଡ଼ା ନଜର ରଖିବେ । ପ୍ରଶାସନ, ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଅଞ୍ଚଳରେ ଚଢଉ ହେବ । ଏଥିସହ ଲାଭଦାୟକ ଫସଲ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିପାରିଲେ ନିଶା କାରବାରରୁ ମୁକ୍ତି ପାଇପାରିବ ମାଲକାନଗିରି ।