ମୁମ୍ବାଇ ୩୦/୦୯: କିଛିଦିନ ପ୍ରସିଦ୍ଧ ଅଭିନେତା ସଚିନ୍ ପିଲଗାଓଁକର ଓ ସୁପ୍ରିୟାଙ୍କ ଝିଅ ଶ୍ରିୟା ନିଜ ପିତାମାତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ଏକ ମରାଠୀ ଫିଲ୍ମରୁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା । ଶାହରୁଖ୍ ଖାନ୍ଙ୍କ ‘ଫ୍ୟାନ୍’ ଜରିଆରେ ବଲିଉଡ୍ରେ ପଦାର୍ପଣ କରିଥିଲେ ସେ । ତେବେ ଫିଲ୍ମ ଅପେକ୍ଷା ୱେବ୍ ସିରିଜ୍ରୁ ତାଙ୍କୁ ଅଧିକ ସଫଳତା ମିଳିଛି । ଶ୍ରିୟାଙ୍କର ‘ତାଜା ଖବର’ର ଦ୍ୱିତୀୟ ସିଜନ୍ ଡିଜ୍ନି ପ୍ଲସ୍ ହଟ୍ଷ୍ଟାରରେ ନିକଟରେ ଷ୍ଟ୍ରିମିଂ ହୋଇଛି । ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ଷ୍ଟାର କିଡ୍ଙ୍କ ଭଳି କେବେହେଲେ ମୋର ଲାଳନପାଳନ ହୋଇନଥିଲା ।
ସେଥିଯୋଗୁ ମୁଁ ଖୁବ୍ ଖୁସି ମଧ୍ୟ । ଧୀରେ ଧୀରେ ମୁଁ ନିଜର ଯାତ୍ରାପଥରେ ଆଗେଇଛି । ପ୍ରଂଶସକମାନେ ମୋର ଏହି ଯାତ୍ରାର ଉତ୍ଥାନପତନକୁ ଦେଖିଛନ୍ତି । ତେଣୁ ମୋତେ କେହି ସୋସିଆଲ ମିଡିଆରେ ନେପୋଟିଜିମ୍ର ଦ୍ୱାହି ଦେଇ ନକାରାତ୍ମକ ମନ୍ତବ୍ୟ ଦେଇନାହାନ୍ତି । ମୋର ଅଭିନୟ ଯାତ୍ରା ୧୦-୧୫ ବର୍ଷ ହେଉ ବୋଲି ମୁଁ କେବେ ଚାହିଁନାହିଁ । ଦୀର୍ଘପଥ ଯାତ୍ରା କରିବାକୁ ମୋର ଇଚ୍ଛା ରହିଛି । ଏଭଳିକ୍ଷେତ୍ରରେ ମୁଁ ତରତର ହୋଇ କୌଣସି ନିଷ୍ପତ୍ତି ନେଉନାହିଁ । ‘ତାଜା ଖବର’ର ଦ୍ୱିତୀୟ ସିଜନ୍ରେ ତାଙ୍କ ସହିତ ଭୁବନ୍ ବାମଙ୍କୁ ଦେଖିବାକୁ ମିଳିଛି ।