ଭୁବନେଶ୍ୱର,୨୦/୦୮: ସିମ୍ ବକ୍ସ ର୍ୟାକେଟର ଚେର ଓଡିଶା ସହ ଝାଡ଼ଖଣ୍ଡକୁ ଲମ୍ବିଛି । ସେଠାରେ ମଧ୍ୟ କିଛି ସିମ୍ ବକ୍ସ ଲୁଚାଯାଇଛି । ଅଭିଯୁକ୍ତ ରାଜୁ ମଣ୍ଡଳଠାରୁ ଏଭଳି ତଥ୍ୟ ଉଗାରିବା ପରେ କମିଶନରେଟ ପୁଲିସର ଏକ ଦଳ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି ।ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ ଟି ଟିମ୍ ରାଞ୍ଚି ଯାଉଛି । ତୃତୀୟ ସିମ୍ ବକ୍ସ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ । ସେପଟେ ଆଶଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଲା କମିସନରେଟ ପୋଲିସ । ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ମଧ୍ୟ ଆସି ଭୁବନେଶ୍ବର ପହଞ୍ଚିବା ସୂଚନା । ଭୁବନେଶ୍ୱର ଓ କଟକ ରୁ ମୋଟ ୧୨ ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଭୁବନେଶ୍ୱର ଓ କଟକ ଭଳି ରାଜୁ ଝାଡ଼ଖଣ୍ଡ ରାଞ୍ଚିରେ ସିମ୍ ବକ୍ସ ଲୁଚାଇ ରଖିଛି । ସହରର ଏକ ଭଡ଼ାଘରେ ଡଜନେରୁ ଅଧିକ ସିମ୍ ବକ୍ସ ଖଞ୍ଜାଯାଇଛି । ସ୍ପେଶାଲ ସ୍କ୍ୱାଡ୍, ଲକ୍ଷ୍ମୀସାଗର ଥାନା ପୁଲିସ ଓ ସାଇବର ବିଶେଷଜ୍ଞଙ୍କୁ ଗଠିତ ସ୍ୱତନ୍ତ୍ର ଟିମ୍ ରାଞ୍ଚି ଅଭିମୁଖେ ବାହାରିଛି । ମଙ୍ଗଳବାର ସକାଳେ ସ୍ଥାନୀୟ ପୁଲିସ ସହାୟତାରେ ଉକ୍ତ ଘରେ ଚଢ଼ାଉ କରାଯିବ । ସେଠାରୁ ସମସ୍ତ ସିମ୍ ବକ୍ସ ଜବତ କରାଯାଇ ଭୁବନେଶ୍ୱର ଅଣାଯିବ ।
ରାଜୁର ୨ଟି ଓ ତା’ ସ୍ତ୍ରୀ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମଗାଯାଇଛି । ରାଜୁର ୨ଟି ଫୋନ ପେ’ ଆକାଉଣ୍ଟରେ ହୋଇଥିବା ଟଙ୍କା କାରବାରର ହିସାବନିକାଶ ଚାଲିଛି । ରିମାଣ୍ଡ ବେଳେ ସିମ୍ ବକ୍ସ ବେପାରର ଇତିହାସ ବଖାଣିଛି ରାଜୁ । କହିଛି, ପଶ୍ଚିମବଙ୍ଗ ବସିରହାଟ ସୀମା ଦେଇ ଲୁଗା ବ୍ୟବସାୟ ପାଇଁ ବସ୍ ଯୋଗେ ସେ ଅଧିକାଂଶ ସମୟ ବାଂଲାଦେଶ ଯା’ ଆସ କରୁଥିଲା । ବାଂଲାଦେଶର ବନଗାଁଓରେ ସେ ଅସାଦ୍ଦୁରକୁ ଭେଟିଥିଲା । ସମ୍ପର୍କ ବଢ଼ିବା ପରେ ସିମ୍ବାକ୍ସ କାରବାର ପାଇଁ ଅସାଦ୍ଦୁର ତାକୁ ପ୍ରଲୋଭନ ଦେଖାଇଥିଲା । ଯୋଜନା ମୁତାବକ ଉଭୟେ ଅକ୍ଟୋବରରେ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିଥିଲେ । ସେତେବେଳେ କଟକ ରୋଡରେ ଥିବା ଲିଙ୍ଗରାଜ ହୋଟେଲରେ ୨ ଦିନ ପାଇଁ ରହିଥିଲେ ।
ରାଜୁର ତଥ୍ୟ ଅନୁସାରେ ଏକ ପୁଲିସ ଦଳ ସୋମବାର ପୂର୍ବାହ୍ଣରେ ଲିଙ୍ଗରାଜ ହୋଟେଲ ରେଜିଷ୍ଟାର ଖାତା ଯାଞ୍ଚ କରିଛି । ହୋଟେଲ କର୍ମଚାରୀଙ୍କୁ ଅସାଦ୍ଦୁର ସମ୍ପର୍କରେ ପଚାରି ବୁଝିଛି । ସେତେବେଳେ ବିଦେଶୀ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ‘ସି ଫର୍ମ’କୁ ବ୍ୟବହାର କରି ନଥିବା ହୋଟେଲ କର୍ମଚାରୀ ମାନିଛନ୍ତି । ଏମିତିକି ସରାଇ ଆପ୍ରେ ମଧ୍ୟ ଅସାଦ୍ଦୁରର ନାମ ଠିକଣା ଉଲ୍ଲେଖ କରିନାହାନ୍ତି । ଏ ବାବଦରେ ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚାଇଛି ।
ବିଦେଶରୁ କେମିତି ଫୋନ୍ କରାଯାଉଛି?
ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି, ଯଦି ଆପଣ ‘ଟିପି ଲିଙ୍କ୍’ ରାଉଟର ବ୍ୟବହାର କରୁଛନ୍ତି, ତେବେ ଟିପି ସ୍ମାର୍ଟ ଆପ୍ ଡାଉନ୍ଲୋଡ କରିବାକୁ ପଡି଼ବ । ଅନ୍ୟ ସଂସ୍ଥାର ରାଉଟର ପାଇଁ ଭିନ୍ନ ଭିନ୍ନ ଆପ୍ଲିକେସନ ମଧ୍ୟ ରହିଛି । କେହି ମଧ୍ୟ ଏସୀୟ ଦେଶରୁ ଆପଣଙ୍କୁ ଫୋନ୍ କଲେ, ଏଥିପାଇଁ ‘+୯୧’ ସହ ୧୦ ଅଙ୍କ ବିଶିଷ୍ଟ ଫୋନ ନମ୍ବର ଟିପିବାକୁ ପଡିବନି । ଉକ୍ତ ଆପ୍ରେ ବିଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ କୋଡ୍ ରହୁଛି । ଏହି କୋଡ୍କୁ ଚିପି ଆପ୍ ଯୋଗେ ଆପଣଙ୍କୁ ଫୋନ୍ କଲେ, ଏହା ସିଧାସଳଖ ସିମ୍ ବକ୍ସରେ ଖଞ୍ଜାଯାଇଥିବା ସିମ୍କାର୍ଡର ସ୍ଥାନୀୟ ନେଟୱର୍କ ସହ ସଂଯୋଗ ହେବ । ଆପଣଙ୍କ ଫୋନ୍ ବାଜି ଉଠିବ । ଆପଣ ଘଣ୍ଟା ଘଣ୍ଟା ଧରି କଥା ହୋଇପାରିବେ । କିନ୍ତୁ ଆପଣଙ୍କ ମୋବାଇଲ୍ରେ ସିମ୍ ବକ୍ସରେ ଖଞ୍ଜାଯାଇଥିବା ସିମ୍କାର୍ଡର ନମ୍ବର ହିଁ ଦେଖାଯିବ । ଯାହାକି, ବେନାମୀ ସିମ୍କାର୍ଡ । ଫଳରେ କେଉଁଠୁ ଏହି ଫୋନ୍ ଆସିଛି, ତାହା ଠାବ ହୋଇପାରିବନି ।
ଭିଓଆଇପିର ବେଆଇନ ବ୍ୟବହାର
ହ୍ୱାଟସ୍ଆପ୍, ମେସେଞ୍ଜର, ଗୁଗୁଲ ମିଟ୍ ଭଳି ଆପ୍ଲିକେସନରେ ‘ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ’ (ଭିଓଆଇପି) ମାଧ୍ୟମରେ ଇଣ୍ଟରନେଟ୍ ଫୋନ୍ କରିହେଉଛି । ସମାନ ଢ଼ଙ୍ଗରେ ସିମ୍ବକ୍ସରେ ଇଣ୍ଟରନେଟ୍ ଫୋନ୍ ହେଉଛି । ବିପୁଳ ଏସ୍ଏମ୍ଏସ୍ ଯୋଗେ ଲକ୍ଷ ଲକ୍ଷ ମେସେଜ ଏକାବେଳକେ ପଠାଯାଇପାରୁଛି । କିନ୍ତୁ ଏହା ବେଆଇନ୍ । ଏସବୁ ଇଣ୍ଟରନେଟ୍ ଫୋନ୍ କଲ୍ରେ ଅଡିଓ ବାର୍ତ୍ତା ରେକର୍ଡିଂ ହୋଇପାରିବନି । ଆଇପି ଠିକଣା ଜଣାପଡ଼ିବନି । ଯେଉଁଥିପାଇଁ ଆତଙ୍କୀ ସଂଗଠନ ଓ ସାଇବର ଅପରାଧୀ ସିମ୍ବକ୍ସକୁ ବେଆଇନ ଭାବେ ଲୁଚାଛପାରେ ବ୍ୟବହାର କରୁଛନ୍ତି ।
ଚୀନରୁ ଗଳାବାଟରେ ଆସୁଛି ସିମ୍ ବକ୍ସ
ସାଧାରଣତଃ ସିମ୍ ବକ୍ସ ଚୀନରେ ତିଆରି ହେଉଛି । ଚୀନରେ ‘ଟମାସି’ ଓ ଥାଇଲାଣ୍ଡରେ ‘ଟିସିମ୍’ ନାଁରେ ବିଭିନ୍ନ ବ୍ରାଣ୍ଡର ସିମ୍ବକ୍ସ ବିକାଯାଉଛି । ସିମ୍ ବକ୍ସ ମିଳିବା ସେତେଟା କଷ୍ଟ ନୁହେଁ । ୫୧୨ଟି ସିମ୍କାର୍ଡ ବିଶିଷ୍ଟ ସିମ୍ ବକ୍ସ ଅତିକମ୍ରେ ୧ ଲକ୍ଷ ୩୦ ହଜାର ଟଙ୍କାରେ ମିଳିଯାଉଛି । ଆତଙ୍କୀ ସଂଗଠନ ଓ ସାଇବର ଅପରାଧୀ ନାନା ଗଳାବାଟରେ ସିମ୍ ବକ୍ସ ହାତଉଛନ୍ତି । ଅଲିବାବା.କମ୍ ଯୋଗେ ଚୀନରୁ ମଗାଉଛନ୍ତି । କଷ୍ଟମ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଜଳପଥ ବାଟେ ଓଡି଼ଶାକୁ ଆଣୁଛନ୍ତି । ଢ଼ିଲା ଯାଞ୍ଚ ଯୋଗୁଁ ବାଂଲାଦେଶ ସୀମା ଦେଇ ଆଣିବା ଆହୁରି ସହଜ ହେଉଛି ।
ମଧ୍ୟ ଏସୀୟ ଦେଶରେ ବହୁଳ ବ୍ୟବହାର
ଆଫଗାନିସ୍ତାନ, ଉଜ୍ବେକିସ୍ତାନ, କାଜଖସ୍ତାନ, ତୁର୍କମେନିସ୍ତାନ, କିର୍ଜିକସ୍ତାନ ଭଳି ମଧ୍ୟ ଏସୀୟ ଦେଶରେ ସିମ୍ ବକ୍ସର ଚାହିଦା ବେଶୀ । ୟୁଏଇ, ଓମାନ, ଚାଇନା, ସିରିଆ, ଉତ୍ତର କୋରିଆ, ଭଳି ଦେଶରେ ହ୍ୱାଟସ୍ଆପ୍ ଓ ସ୍କାଇପ୍ ଭଳି ଆପ୍ ବ୍ୟାନ୍ କରାଯାଇଛି । ତୁର୍କୀ, ଇସ୍ରାଇଲ୍, ଜୋର୍ଡାନ, କୁଏତ୍, ପାଲେଷ୍ଟାଇନ୍, ଲେବାନନ୍ ଭଳି ମଧ୍ୟ ପୂର୍ବ ଏସୀୟ ଦେଶର ବାସିନ୍ଦା ମଧ୍ୟ ଏହି ବେଆଇନ୍ ଇଣ୍ଟରନେଟ ମାଧ୍ୟମକୁ ବ୍ୟବହାର କରୁଛନ୍ତି ।