ନୋଏଡା,୧୦/୧୧: ରେଭ୍ ପାର୍ଟି ଓ ସାପ ବିଷଯୋଗାଣ ମାମଲାରେ ଛନ୍ଦି ହୋଇପଡିଥିବା ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲ୍ଭିସ୍ ଯାଦବ ଗୁରୁବାର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କୁ ବେଡ୍ ରେଷ୍ଟ ପରାମର୍ଶ ଦେବା ସହ ତାଙ୍କର ଡେଙ୍ଗୁ ଓ ମ୍ୟାଲେରିଆ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି । ସାପ ଚୋରା ଚାଲାଣ ଓ ରେଭ ପାର୍ଟିରେ ବିଷ ଯୋଗାଣ ମାମଲାରେ ନୋଏଡା ପୁଲିସ ଗତ ୭ ତାରିଖ ରାତିରେ ତାଙ୍କୁ ୩ ଘଣ୍ଟା ଧରି ପଚରାଉଚୁରା କରିଥିଲା । ପୂର୍ବରୁ ତାଙ୍କୁ ଜେରା କରିବା ଲାଗି ପୁଲିସ ସମନ୍ ଜାରି କରିଥିଲା ।
ମଙ୍ଗଳବାର-ବୁଧବାର ରାତି ପ୍ରାୟ ୨ଟରେ ସେ ନୋଏଡାର ସେକ୍ଟେର-୨୦ ଥାନାରେ ପହଞ୍ଚିଥିଲେ । ତାଙ୍କ ସହିତ ୭ ଜଣ ଓକିଲ ମଧ୍ୟ ଯାଇଥିଲେ । ସେଠାରେ ପୁଲିସ ତାଙ୍କୁ ୩ ଘଣ୍ଟା ଜେରା କରିଥିଲା । ଏହି ସମୟରେ ତାଙ୍କୁ ୨୫ଟି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଜେରା ବେଳେ ସେ ଭୟଭୀତ ହୋଇପଡିଥିଲେ । ସେ ୩ଥର ପାଣି ପିଇବା ସହ ଥରେ ଚା ପିଇଥିଲେ । ଗୁରୁବାର ପୁଣି ଥାନାକୁ ଆସିବାକୁ ତାଙ୍କୁ କୁହାଯାଇଥିଲା । ଗୁରୁବାର ଥାନାକୁ ଆସିବା ପୂର୍ବରୁ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା । ତେଣୁ ସେ ପୁଲିସ ନିକଟରେ ହାଜର ହୋଇପାରି ନାହାନ୍ତି ।