ନୂଆଦିଲ୍ଲୀ,୨୮/୦୯: ଦ୍ୱିତୀୟ ଟି ୨୦ ମ୍ୟାଚରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୧୬୧ ରନ୍ କରିବାରେ ସକ୍ଷମ ହୋଇଛି। ଶ୍ରୀଲଙ୍କା ପକ୍ଷରୁ କୁସଲ ପରେରା ସର୍ବାଧିକ ୩୪ ବଲ୍ରେ ୫୩ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୫ ଓଭରରେ ୧୩୦ ରନ୍ ସଂଗ୍ରହ କରିଥିବା ବେଳେ ଶେଷ ୫ ଓଭରରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଦଳର ସ୍କୋର ୧୭୦ ଭିଂତରେ ରହିଥିଲା। ଏହାରି ଭିତରେ ରବି ବିଷ୍ଣୋଇ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।
ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଚତୁର୍ଥ ଓଭରରେ କୁସାଲ ମେଣ୍ଡିସଙ୍କ ୱିକେଟ୍ ନେଇ ଅର୍ଶଦୀପ ସିଂ ଭାରତକୁ ଭଲ ଆରମ୍ଭ ଭେଟି ଦେଇଥିଲେ। ଶ୍ରୀଲଙ୍କାକୁ ୨୬ ରନ୍ରେ ଗୋଟିଏ ଓ୍ବିକେଟ ହରାଇବାକୁ ପଡ଼ିଥିଲା। ଏହା ପରେ ପଥୁମ୍ ନିସଙ୍କା ଏବଂ କୁସଲ ପରେରାଙ୍କ ମଧ୍ୟରେ ୫୪ ରନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା, କିନ୍ତୁ ଦଶମ ଓଭରରେ ୩୨ ରନ୍ କରିବା ପରେ ନିସଙ୍କା ଆଉଟ୍ ହୋଇଥିଲେ। ପରେ କୁସାଲ ପରେରା ଏବଂ କାମିନ୍ଦୁ ମେଣ୍ଡିସ୍ ମିଳିତ ଭାବେ ୫୦ ରନ୍ ଯୋଡି ଦଳର ସ୍କୋରକୁ ୧୦୦ ପାର୍ କରାଇଥିଲେ। ତେବେ ଗୋଟିଏ ଓଭରରେ କୁସାଲ ପରେରା ଏବଂ କାମିନ୍ଦୁ ମେଣ୍ଡିସଙ୍କ ୱିକେଟ୍ ଯିବା ପରେ ଶ୍ରୀଲଙ୍କା ଦଳ ପଛରେ ପଡ଼ିଥିଲା।
ଶେଷ ୫ ଓଭରରେ ଭାରତର ଦମଦାର ପ୍ରତ୍ୟାବର୍ତ୍ତନ:
ଶ୍ରୀଲଙ୍କା ଦଳ ୧୫ ଓଭରରେ ଦୁଇଟି ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। କୁସଲ ପରେରା ଏବଂ କାମିନ୍ଦୁ ମେଣ୍ଡିସ ଯେଉଁପରି ଭାବେ ବ୍ୟାଟିଂ କରୁଥିଲେ ଜଣାପଡ଼ୁଥିଲା ଯେ, ଶ୍ରୀଲଙ୍କା ୧୮୦ ରୁ ୧୯୦ ରନ୍ ମଧ୍ୟରେ ପହଞ୍ଚିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ୧୬ ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ମେଣ୍ଡିସ୍ ଏବଂ ପରେ ପେରେରାଙ୍କୁ ପାଭିଲିୟନ ପଠାଇ ଆୟୋଜକ ଦଳକୁ ଦୁଇଥର ଝଟ୍କା ଦେଇଥିଲେ। ପରବର୍ତ୍ତୀ ଓଭରରେ ରବି ବିଷ୍ଣୋଇ ଲଗାତାର ଦୁଇଟି ବଲରେ ଦାସୁନ୍ ସନକା ଏବଂ ୱାନିନ୍ଦୁ ହାସରାଙ୍ଗାଙ୍କ ୱିକେଟ୍ ନେଇଥିଲେ, କିନ୍ତୁ ହ୍ୟାଟ୍ରିକ୍ ନେବାରୁ ବଞ୍ଚିତ ହୋଇଥିଲେ। ଭାରତୀୟ ବୋଲରମାନେ ଡେଡ୍ ଓଭରରେ ମାତ୍ର ୩୧ ରନ୍ ଦେଇ ଶ୍ରୀଲଙ୍କାକୁ ୧୬୧ ରନ୍ ସ୍କୋରରେ ସୀମିତ ରଖିଥିଲେ।